ଲାଓସରେ ଫସିଥିବା ୧୭ ଓଡ଼ିଆ ଶ୍ରମିକ ଭାରତୀୟ ରାଷ୍ଟ୍ରଦୂତଙ୍କ ହସ୍ତକ୍ଷେପ ପରେ ଘରକୁ ଫେରିଲେ

add-all

ଭୁବନେଶ୍ବର: ଲାଓସରେ ଫସି ରହିଥିବା ୧୭ ଜଣ ଓଡ଼ିଆ ଶ୍ରମିକ ଓଡ଼ିଶା ଫେରିଛନ୍ତି। ଲାଓସରୁ ସେମାନେ ବ୍ୟାଙ୍ଗକକ୍‌ ବିମାନବନ୍ଦରରେ ପହଞ୍ଚିଲା ପରେ ସେଠାରୁ ପୁଣି ଏକ ଅନ୍ୟ ବିମାନରେ ଆଜି କୋଲକାତାରେ ପହଞ୍ଚି ଥିଲେ। ଓଡ଼ିଆ ଶ୍ରମିକମାନେ କୋଲକାତାରୁ ନିଜନିଜ ବ୍ୟବସ୍ଥାରେ ଘରକୁ ଫେରୁଛନ୍ତି। ଓଡ଼ିଆ ଶ୍ରମିକମାନେ ଆଜି ସନ୍ଧ୍ୟାରେ ନିଜନିଜ ଘରକୁ ପହଞ୍ଚିଛନ୍ତି।

ଫସିଥିବା ୧୭ ଓଡିଆ ଶ୍ରମିକଙ୍କୁ ଉଦ୍ଧାର କରି ସୁରକ୍ଷିତ ଭାରତ ଫେରାଇ ଆଣିବା ପାଇଁ ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତକ୍ଷେପ କରିବାକୁ ଗତ ମାସ ୨୭ ତାରିଖରେ ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଏକ ଚିଠି ଲେଖି ନିବେଦନ କରିଥିଲେ।

କେନ୍ଦ୍ରାପଡା ଜିଲ୍ଲା ଅର୍ନ୍ତଗତ ଆଳି, ରାଜକନିକା, ରାଜନଗର ନିର୍ବାଚନ ମଣ୍ଡଳୀର ୧୧ ଜଣ, ଯାଜପୁରରୁ ୪ ଜଣ, ଢେଙ୍କାନାଳ ଓ କେନ୍ଦୁଝରରୁ ଜଣେ ଲେଖାଏଁ ଶ୍ରମିକ ଅଧିକ ରୋଜଗାର ଆଶାରେ ଏକ ଏଜେଣ୍ଟଙ୍କ ଜରିଆରେ ଲାଓସ ଯାଇଥିଲେ। କିନ୍ତୁ ସେଠାରେ ପହଞ୍ଚିବା ପରେ କମ୍ପାନି କର୍ତ୍ତୃପକ୍ଷ ସେମାନଙ୍କୁ ଚୁକ୍ତି ମୁତାବକ ଦରମା ନଦେଇ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେବା ସହ ଦୈନିକ ୧୨ ଘଣ୍ଟାରୁ ଅଧିକ ସମୟ କାମ କରିବାକୁ ବାଧ୍ୟ କରୁଥିବା ପରିବାର ଲୋକଙ୍କୁ ଜଣାଇଥିଲେ।

ଉପାୟଶୂନ୍ୟ ହୋଇ ପରିବାର ଲୋକ ସେମାନଙ୍କୁ ସ୍ବଦେଶ ଫେରାଇ ଆଣିବା ପାଇଁ କେନ୍ଦ୍ରାପଡା ଜିଲ୍ଲା ଉପସଭାପତି କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ଜରିଆରେ ବୈଜୟନ୍ତ ପଣ୍ଡାଙ୍କୁ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲେ। ଅନୁରୋଧକ୍ରମେ ଶ୍ରୀ ପଣ୍ଡା ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ଯୋଗାଯୋଗ କରି ଏ ବିଷୟରେ ଅବଗତ କରିବା ସହ ତୁରନ୍ତ ଏ ଦିଗରେ ପଦକ୍ଷେପ ନେଇ ସମସ୍ତଙ୍କୁ ସୁରକ୍ଷିତ ଭାରତ ଫେରାଇ ଆଣିବା ସଙ୍ଗେ ସଙ୍ଗେ ସହାୟତା ଯୋଗାଇଦେବାକୁ ନିବେଦନ କରିଥିଲେ। ଦୂତାବାସର ତ୍ଵରିତ ପଦକ୍ଷେପ ପାଇଁ ଶ୍ରୀ ପଣ୍ଡା ଧନ୍ୟବାଦ ଜଣାଇଛନ୍ତି। ଏହି ଖବର ପାଇବା ପରେ ପରିବାର ଲୋକ ଓ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହର ଖେଳିଯାଇଛି ଓ ପରିବାର ଲୋକ ଶ୍ରୀ ପଣ୍ଡାଙ୍କୁ କୃତଜ୍ଞତା ଜଣାଇଛନ୍ତି।

ad-week
Leave A Reply

Your email address will not be published.