ମୁଁ ବିଜେପିରେ ଅଛି : ଦିଲୀପ ରାୟ

add-all

ରାଉରକେଲା : ଦିଲ୍ଲୀରୁ ଫେରିବା ପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ରାଜ୍ୟର ବରିଷ୍ଠ ରାଜନେତା ଦିଲୀପ ରାୟଙ୍କୁ ରାଉରକେଲାରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ମିଳିଛି। ସାଧାରଣ ଲୋକ ଓ ବିଜେପି କର୍ମୀମାନେ ତାଙ୍କୁ ବାଣ ଫୁଟାଇ ସ୍ୱାଗତ କରିଛି। ଦିଲୀପ ରାଏଙ୍କ ସହିତ ବିଜେପିର ସୁନ୍ଦରଗଡ଼ ସଂସାଦ ପ୍ରାର୍ଥୀ ଜୁଏଲ୍ ଓରାମ ମଧ୍ୟ ରହିଥିଲେ।

ଦିଲୀପ ବିଜେପି ଟିକେଟରେ ରାଉରକେଲାରୁ ଲଢ଼ିବେ ବୋଲି ପୂର୍ବରୁ ଜୁଏଲ କହି ସାରିଥିଲେ। କିନ୍ତୁ ଆଜି ଦିଲୀପ ରାୟ ବଡ଼ ବୟାନ ଦେଇଛନ୍ତି। ତାଙ୍କ ପ୍ରତି ଥିବା ସମର୍ଥନକୁ ଦେଖି ସେ ଭାବବିହ୍ୱଳ ହୋଇପଡ଼ିଛନ୍ତି। ସେ କହିଛନ୍ତି ଯେ “ମୁଁ ବିଜେପିରେ ଅଛି। ବିନା ନିର୍ବାଚନରେ ଲୋକ ମୋତେ ଜିତାଇ ସାରିଲେଣି। ମୁଁ ପୂର୍ବରୁ ବିଜେପିରୁ ଇସ୍ତଫା ଦେଇଥିଲି। କିନ୍ତୁ ଦଳ ତାକୁ ଗ୍ରହଣ କରି ନାହିଁ। ତେଣୁ ମୁଁ ବିଜେପି ଦଳର ସଦସ୍ୟ। ନିର୍ବାଚନ ପାଇଁ ଲୋକମାନେ ପ୍ରସ୍ତୁତ ଅଛନ୍ତି। ମୁଁ ବି ପ୍ରସ୍ତୁତ ଅଛି। ପାର୍ଟି ଯାହା ନିଷ୍ପତ୍ତି ନେବେ, ସେକଥା ୨ ଦିନ ଭତିରେ ଜଣାପଡ଼ି ଯିବ।”

ଅନ୍ୟପକ୍ଷରେ ଏଥର ରାଉରକେଲାରେ ବଡ଼ ଲଢ଼େଇ ଦେଖିବାକୁ ମିଳିବ। କାରଣ ବିଜେଡିରୁ ଶାରଦା ନାୟକ ପ୍ରାର୍ଥୀ ହୋଇଛନ୍ତି। ବିଜେପି ଏଯାଏ ପ୍ରାର୍ଥୀଙ୍କ ନାଁ ଘୋଷଣା କରି ନଥିଲେ ହେଁ ଦିଲୀପ ରାୟ ହିଁ ଟିକେଟ ପାଇବା ଏକପ୍ରକାରର ନିଶ୍ଚିତ ହୋଇ ସାରିଛି। ୨୦୧୪ ନିର୍ବାଚନରେ ଶାରଦା ନାୟକ ଓ ଦିଲୀପ ରାୟଙ୍କ ଭିତରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। ଏଥିରେ ଦିଲୀପ ରାୟ ବିଜୟୀ ହୋଇଥିଲେ। ୨୦୧୪ ପୁନରାବୃତ୍ତି ପୁଣି ୨୦୨୪ରେ ହେବାକୁ ଯାଉଥିବା କୁହାଯାଉଛି।

ଆଜି ଦିଲୀପ ରାୟ ଅପରାହ୍ନରେ ବିମାନ ଯୋଗେ ଦିଲ୍ଲୀରୁ ରାଉରକେଲା ବିମାନ ବନ୍ଦରରେ ପହଞ୍ଚିଥିଲେ। ସେଠାରୁ ହିଁ ତାଙ୍କୁ ହଜାର ହଜାର ସଂଖ୍ୟାରେ ଲୋକେ ସ୍ୱାଗତ କରିବା ଆରମ୍ଭ କରିଥିଲେ। ଦିଲୀପ ରାୟ କହିଛନ୍ତି, “ଓଡ଼ିଶାରେ କୌଣସି ରାଜନେତାଙ୍କୁ କେବେ ହେଲେ ଏମିତି ସ୍ୱାଗତ କେହି ଦେଇ ନଥିବେ। ଏଭଳି ଘଟଣା କେବଳ ରାଉରକେଲାରେ ହୁଏ। ଏହାକୁ ଦେଖି ମୁଁ ବେଶ ଭାବବିହ୍ୱଳ ହୋଇ ପଡ଼ିଛି। ବିନା ନିର୍ବାଚନରେ ଲୋକମାନେ ମୋତେ ଜିତାଇ ସାରିଲେଣି। ରାଉରକେଲାବାସୀଙ୍କୁ ମୁଁ ହାତ ଯୋଡ଼ି ଧନ୍ୟବାଦ ଜଣାଉଛି। ମୋ ଇସ୍ତଫାପତ୍ର ଗ୍ରହଣ ହୋଇ ନାହିଁ। ମୁଁ ବିଜେପିରେ ଅଛି।”

୨୦୧୪ର ପୁନରାବୃତ୍ତି ୨୦୨୪ରେ ହେବ କି ପ୍ରଶ୍ନରେ ଶ୍ରୀ ରାୟ କହିଛନ୍ତି, “ଯାହା ରାଉରକେଲାର ଭାଇ-ଭଉଣୀ ନିଷ୍ପତ୍ତି ନେବେ।” ଶାରଦା ନାୟକ କହୁଛନ୍ତି ଯେ ଏହା ଧନୀ ଓ ଗରିବଙ୍କ ଲଢ଼େଇ ହେବ। ଏହାର ଉତ୍ତରରେ ଦିଲୀପ ରାୟ କହିଛନ୍ତି, “ଲଢ଼େଇ କିଛି ନାହିଁ। ଏହା ଗଣତନ୍ତ୍ରର ଗୋଟିଏ ପର୍ବ।

ଲୋକମାନେ ନିଜ ଇଚ୍ଛାରେ ପ୍ରାର୍ଥୀଙ୍କୁ ବାଛିବେ। ଲୋକମାନେ ପ୍ରସ୍ତୁତ ଅଛନ୍ତି ତ ମୁଁ ବି ପ୍ରସ୍ତୁତ। ଲୋକଙ୍କ ଏତେ ଭିଡ଼ ଦେଖି ଆପଣମାନେ ଭାବୁଥିବେ ଟଙ୍କା ଦିଆଯାଇ ଲୋକଙ୍କୁ ଅଣା ଯାଇଛି। କିନ୍ତୁ ବାସ୍ତବରେ ଟଙ୍କାଟିଏ ବି କାହାକୁ ଦିଆଯାଇ ନାହିଁ। ଲୋକମାନେ ଖବର ପାଇବା ମାତ୍ରେ ଆସିଛନ୍ତି। ପ୍ରାର୍ଥୀ ଘୋଷଣା ହେବା ପରେ ପ୍ରସଙ୍ଗ ଆସିବ।”

ad-week
Leave A Reply

Your email address will not be published.