ଖୋଲା ଆକାଶରେ ଛଉ ନୃତ୍ୟର ମଜା ଉଠାଇଲେ ଦର୍ଶକ

add-all

ବାରିପଦା : ମୟୂରଭଞ୍ଜର ଐତିହାସିକ ଛଉ ପଡ଼ିଆ। ଚୈତ୍ର ପର୍ବର ପ୍ରଥମ ଦିନରେ ବାରିପଦାର ଉତ୍ତର ସାହି ଓ ଦକ୍ଷିଣ ସାହି ଛଉ ନୃତ୍ୟ ଦଳ ମଧ୍ୟରେ ଚାଲିଛି ଘମାଘୋଟ ପ୍ରତିଯୋଗିତା। କଳା ଓ ସଂସ୍କୃତିର ସହରରେ ଛଉ ବାଜା ଓ ଧୁମସାର ଶଦ୍ଦରେ କମ୍ପି ଉଠୁଛି ଛଉ ପଡିଆ। ସୁନ୍ଦର ଆଲୋକ ସଜ୍ଜା ଓ ସୁନ୍ଦର ଷ୍ଟେଜ ମଧ୍ୟରେ ଗୋଟିଏ ପରେ ଗୋଟିଏ ଛଉ ନୃତ୍ୟ ପ୍ରଦର୍ଶନ ହେଉଛି। ଏହି ପରମ୍ପରା ରାଜାରାଜୁଡ଼ା ସମୟରୁ ଚାଲି ଆସୁଛି। ଚଳିତବର୍ଷ ନିର୍ବାଚନ ଆଚରଣବିଧି ଲାଗୁ ହୋଇଥିବାରୁ ଅନେକ ନୃତ୍ୟରେ କାଟଛାଟ କରାଯାଇଛି। କୁନି କଳାକାରଙ୍କ ମାଖନ ଚୋରିର ନୃତ୍ୟ ଓ ଭଙ୍ଗୀକୁ ଭରପୁର ଉପଭୋଗ କରିଥିଲେ ଦର୍ଶକ।
ରାଜା ରାଜୁଡା ଅମଳରୁ ସେନା ଛାଉଣୀରେ ଥକ୍କା ମେଣ୍ଟାଇବା ଓ ଚୈତ୍ର ପର୍ବ ଅବସରରେ ରାଜାଙ୍କ ଉନ୍ନତି କାମନା କରିବାକୁ ଦେବୀଙ୍କ ପାଖରେ ଉପବାସ ରହୁଥିବା ଭକ୍ତା( ଭକ୍ତ ନୁହେଁ)ମାନଙ୍କ ମନୋରଞ୍ଜନ କରିବା ପାଇଁ ସୈନିକମାନେ ଯୁଦ୍ଧ କଳାକୁ ନାଚ ଆକାରରେ ପ୍ରଦର୍ଶନ କରୁଥିଲେ। ଆଉ ସେହି ଦିନଠାରୁ ଚାଲିଆସୁଛି ଛଉ ନୃତ୍ୟ ପ୍ରତିଯୋଗିତା। ତେବେ ଛଉରେ ଯୁବ କଳାକାରଙ୍କ ସହ କୁନି କଳାକାରଙ୍କ ସଂଖ୍ୟା ମଧ୍ୟ ବଢ଼ିବାକୁ ଲାଗିଲାଣି। ମୟୂରଭଞ୍ଜର ଛଉ ନୃତ୍ୟ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ପ୍ରସିଦ୍ଧି ଅର୍ଜନ କରିଥିବା ବେଳେ ଚୈତ୍ର ପର୍ବରେ କଳାକାର ଓ ଦର୍ଶକଙ୍କୁ ଏହି ଐତିହାସିକ ଛଉ ପଡ଼ିଆ ଟାଣି ଆଣିଥାଏ। ଆଉ ରାତି ତମାମ ଖୋଲା ଆକାଶ ତଳେ ଖୋଲା ମଞ୍ଚର ଭରପୁର ମଜା ଉଠାଇଥିଲେ ଦର୍ଶକ।
ପ୍ରଥା ଓ ପରମ୍ପରା ଅନୁଯାୟୀ ମଧ୍ୟ ରାତ୍ରୀରେ ପାଟ ଭକ୍ତାମାନେ ଘଟ ଆଣି ଛଉ ମଞ୍ଚ ଉପରେ ଉପସ୍ଥିତ ଲୋକମାନଙ୍କୁ ଆଶୀର୍ବାଦ କରିଥିଲେ। ମୟୂରଭଞ୍ଜର ପ୍ରସିଦ୍ଧ ଚୈତ୍ର ପର୍ବ କେବଳ ଯେ ସଂସ୍କୃତି ଓ ପରମ୍ପରା ତାହା ନୁହେଁ, ବରଂ ଏହାର ଆଧ୍ୟାତ୍ମିକ ଚେତନା ସହିତ ମଧ୍ୟ ଏହା ଜଡ଼ିତ ରହିଛି।

ad-week
Leave A Reply

Your email address will not be published.