
ଚିକିଟୀ : ଏହି ନିର୍ବାଚନ ମଣ୍ଡଳୀ ଚିକିଟୀ ବ୍ଲକ ଅନ୍ତର୍ଗତ କେ. ନୂଆଗାଁ ପଞ୍ଚାୟତର ବିଭିନ୍ନ ଗ୍ରାମରେ ବିଜୁ ଜନତା ଦଳ ପକ୍ଷରୁ ଜୋରଦାର ପ୍ରଚାର କରାଯାଇଛି। ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ ଓ ବିଜେଡି ବିଧାୟକ ପ୍ରାର୍ଥୀ ଚିନ୍ମୟାନନ୍ଦ ଶ୍ରୀରୁପ ଦେଓ ତାଙ୍କ ଦଳୀୟ କର୍ମୀ ଓ ସମର୍ଥକଙ୍କ ଗହଣରେ ପହଞ୍ଚି ପ୍ରଥମେ କୋଳଥିଆ, ବଡ଼ଗାଁ, ଲିଆଖାଇ, ଜି. ଖୁଦୁଡି, କେ. ଖୁଦୁଡି, କେ. ନୂଆଗାଁ ଓ କୃଷ୍ଣପୁର ଆଦି ଗ୍ରାମ ପରିକ୍ରମା କରି ଶ୍ରୀରୁପ ନିଜ ସହିତ ବ୍ରହ୍ମପୁର ଲୋକସଭା ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ରଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ। କେ. ନୂଆଗାଁ ଗ୍ରାମରେ ବିଧାୟକ ପ୍ରାର୍ଥୀ ଶ୍ରୀରୁପ ଦେଓ ପହଞ୍ଚି ଗ୍ରାମରେ ଭୋଟ ପ୍ରଚାର ପରେ ଆୟୋଜିତ ସାଧାରଣ ସଭାରେ ନବୀନଙ୍କ ବିକାଶ ଏବଂ ତାଙ୍କ ମାଁ ତଥା ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀଙ୍କ ଶାନ୍ତିପ୍ରିୟତାକୁ ନେଇ ମୋତେ ଆପଣମାନେ ଭୋଟ ଦେଇ ଆଶିର୍ବାଦ କରିବେ ବୋଲି ମୋର ବିଶ୍ୱାସ ରହିଛି ବୋଲି କହିଛନ୍ତି । ଆଜିର ଅନୁଷ୍ଠିତ ବିଜେଡି ପ୍ରଚାର ସମୟରେ ସବୁ ଗ୍ରାମରେ ବିଧାୟକ ପ୍ରାର୍ଥୀ ଶ୍ରୀରୁପଙ୍କୁ ମହିଳା ମାନେ ଫୁଲ ଚନ୍ଦନ ଦେଇ ପ୍ରବଳ ସମ୍ବର୍ଦ୍ଧନା ଦେଇ ସ୍ୱାଗତ କରିଥିଲେ । ସକାଳର ପ୍ରବଳ ଖରା ଓ ଅପରାହ୍ନର ବର୍ଷା ସତ୍ତ୍ୱେ ଦଳୀୟ କର୍ମୀ ମାନେ ଉତ୍ସାହର ସହିତ ଚାଲି ଚାଲି ନିଜ ପ୍ରିୟ ନେତାଙ୍କ ସହ ପ୍ରଚାରରେ ସାମିଲ ହୋଇଥିଲେ । ଶ୍ରୀରୁପଙ୍କ ପ୍ରଚାର ବେଳେ ବରିଷ୍ଠ ସଂଘଠକ ସୁରେନ୍ଦ୍ର ମଣ୍ଡଳ, ବ୍ଲକ ଅଧ୍ୟକ୍ଷ ଆପନ୍ନା ସେଠୀ, ଏନ ଏ ସି ଅଧ୍ୟକ୍ଷା ଦୀପା କୁମାରୀ ସାହୁ, ବରିଷ୍ଠ ନେତା ଉଦୟନାଥ ପ୍ରଧାନ, ପୂର୍ବତନ ସରପଞ୍ଚ ରାଘବ ପଟ୍ଟନାୟକ, ସରପଞ୍ଚ ମହେନ୍ଦ୍ରନାଥ ପ୍ରଧାନ, ରୀତା ମହାନ୍ତି, ବ୍ଲକର ସମସ୍ତ ସରପଞ୍ଚ ଓ ସମିତିସଭ୍ୟ ଙ୍କ ସହିତ ପ୍ରତ୍ୟେକ ଗ୍ରାମର ବହୁ ମହିଳା ଏବଂ ଯୁବପୀଢ଼ିଙ୍କ ସହ ବିଜୁ ଜନତା ଦଳର ଶହ ଶହ କର୍ମୀ ଉପସ୍ଥିତ ଥିଲେ।