
ଅସନ୍ତୁଷ୍ଟ କଂଗ୍ରେସ କର୍ମୀ ସ୍ୱାଧିନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କଲେ
ହିଞ୍ଜିଳିକାଟୁ : ରାଜ୍ୟ ରାଜନୀତିରେ ସବୁଠାରୁ ଗୁରୁତ୍ୱପୁର୍ଣ୍ଣ ନିର୍ବାଚନ ମଣ୍ଡଳୀ ହେଉଛି ହିଞ୍ଜିଳି । କାହିଁକି ନା ହିଞ୍ଜିଳି ବିଧାନସଭା ଆସନରୁ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୨୦୦୦ ମସିହା ଠାରୁ ଏଯାବତ୍ ଲଗାତାର ୫ ଥର ହିଞ୍ଜିଳି ବିଧାନସଭା ଆସନରୁ ପ୍ରାର୍ଥୀ ହେବା ସହ ଲଗାତାର ୫ଥର ଲାଗି ରାଜ୍ୟ ମୁଖ୍ୟମନ୍ତ୍ରୀ ଭାବେ ଗୌରବ ଅର୍ଜନ କରି ଆସିଛନ୍ତି । ଏକଦା କଂଗ୍ରେସର ଅଭେଦ ଦୁର୍ଗ ଭାବେ ପରିଚିତ ଥିବା ହିଞ୍ଜିଳି ବିଧାନସଭା ଆସନ ୨୦୦୦ ମସିହା ପରଠାରୁ ବିଜେଡି ଗଡ ଭାବେ ପରିଚିତ ହୋଇ ଆସୁଛି । ୧୯୫୬ ମସିହାରେ ହିଞ୍ଜିଳି ବିଧାନସଭା ଗଠନ ପରେ ୧୯୫୬ ମସିହା ଠାରୁ ଆରମ୍ଭ କରି ୧୯୯୦ ମସିହା ପର୍ଯ୍ୟନ୍ତ ଲଗାତାର ୭ ଥର କଂଗେସ ବିଜୟ ଲାଭ କରିଥିବା ବେଳେ ୧୯୯୦ ରୁ ୧୯୯୫ ମସିହା ପର୍ଯ୍ୟନ୍ତ ଜନତା ଦଳ ପକ୍ଷରୁ ହରିହର ସାହୁ ବିଜୟୀ ହୋଇଥିଲେ । ପୁଣି ୧୯୯୫ ମସିହାରେ କଂଗ୍ରେସ ଦଳ ହିଞ୍ଜିଳି ବିଧାନସଭା ଆସନ ଅକ୍ତିଆର କରିବାକୁ ସକ୍ଷମ ହୋଇଥିଲା । ୨୦୧୯ ମସିହାରେ ହିଞ୍ଜିଳି କଂଗ୍ରେସର ଗୋଷ୍ଠୀ କନ୍ଦଳ ପଦାରେ ପଡିଥିବା ଦେଖିବାକୁ ମିଳିଥିଲା । ଗତ ସାଧାରଣ ନିର୍ବାଚନରେ ଦଳ ପକ୍ଷରୁ ପ୍ରଥମେ ରାମକୃଷ୍ଣଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ଗୋଷ୍ଠୀ କନ୍ଦଳ ପଦାରେ ପଡିବାରୁ ରାମକୃଷ୍ରଙ୍କୁ ହଟାଇ ଶମ୍ଭୁ ପାଣିଗ୍ରାହୀଙ୍କୁ ପରବର୍ତ୍ତୀ ଅବସ୍ଥାରେ ପ୍ରାର୍ଥୀ କରାଯାଇଥିଲା । ପୁର୍ନବାର ଚଳିତ ସାଧାରଣ ନିର୍ବାଚନରେ ହିଞ୍ଜିଳି କଂଗ୍ରେସର ଗୋଷ୍ଠୀ କନ୍ଦଳ ଦାଣ୍ଡରେ ପଡି ହାଟରେ ଗଡୁଥିବା ଦେଖିବାକୁ ମିଳିଛି । ଯାହାର ଫାଇଦା ବିଜେଡି କିମ୍ବା ବିଜେପି ନେବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ରାଜନୈତିକ ମହଲରେ ଖୁରାକ୍ ଯୋଗାଇଛି । ହିଞ୍ଜିଳି ବିଧାନସଭା ଆସନ ସକାଶେ ହିଞ୍ଜିଳି କଂଗେସ ଦଳ ପକ୍ଷରୁ ଦଳୀୟ କର୍ମୀ ମାନେ ଟିକେଟ ଲବିରେ ଥିବା ବେଳେ ବିଜେପି କର୍ମର ରଜନୀକାନ୍ତ ପାଢିଙ୍କୁ ବିଜେପି ପକ୍ଷରୁ ଟିକେଟ ନମିଳିବାରୁ ସେ ଦଳ ପରିତ୍ୟାଗ କରି ଏପ୍ରିଲ ୧୧ରେ କଂଗ୍ରେସ ଦଳରେ ସାମିଲ ହୋଇଥିଲେ । କଂଗ୍ରେସରେ ସାମିଲ ହେବା ପରେ ଦଳ ପକ୍ଷରୁ ତାଙ୍କୁ ହିଞ୍ଜିଳି ବିଧାନସଭା ଆସନରୁ ନିର୍ବାଚନ ରଣାଙ୍ଗନରେ ଦଣ୍ଡାୟମାନ ହେବା ପାଇଁ ଟିକେଟ ପ୍ରଦାନ କରାଯାଇଥିଲା । ଫଳରେ ରଜନୀକାନ୍ତ ପାଢି ଗୁରୁବାର କଂଗ୍ରେସ ଦଳ ପକ୍ଷରୁ ହିଞ୍ଜିଳି ବିଧାନସଭା ଆସନ ସକାଶେ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ । ଦଳ ପକ୍ଷରୁ ଉପଯୁକ୍ତ ପ୍ରାର୍ଥୀଙ୍କୁ ଟିକେଟ ପ୍ରଦାନ କରାଯାଇନଥିବା ଅଭିଯୋଗ କରି ସହସ୍ରାଧିକ ଅସନ୍ତୁଷ୍ଟ କଂଗ୍ରେସ କର୍ମୀ ଏହାକୁ ବିରୋଧ କରିଥିଲେ । ଫଳସ୍ୱରୁପ ଶୁକ୍ରବାର କଂଗ୍ରେସ କୃଷକ ସେଲ୍ ରାଜ୍ୟ ସମ୍ପାଦକ ତଥା ଗଞ୍ଜାମ ଜିଲ୍ଲା(ପଶ୍ଚିମ) ସାଧାରଣ ସମ୍ପାଦକ ରାମ ନାରାୟଣ ବିଶ୍ୱାସରାୟ ସହସ୍ରାଧିକ ଅସନ୍ତୁଷ୍ଟ କଂଗ୍ରେସ କର୍ମୀଙ୍କୁ ସାଙ୍ଗରେ ନେଇ ସ୍ୱାଧିନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଶୁକ୍ରବାର ସକାଳେ ମା’ ଶ୍ୟାମଳାଇ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଏକ ବିରାଟ ଶୋଭାଯାତ୍ରାରେ ନଗର ପରିକ୍ରମା କରି ହିଞ୍ଜିଳିକାଟୁ ପରିବା ବଜାର ସ୍ଥିତ ଇନ୍ଦିରା ଗାନ୍ଧୀଙ୍କ ପ୍ରର୍ତ୍ତମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଛତ୍ରପୁର ଠାରେ ସ୍ୱାଧିନ ପ୍ରାର୍ଥୀ ଭାବେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । କାର୍ଯ୍ୟକ୍ରମରେ କଂଗ୍ରେସ ପିସିସି ସଭ୍ୟ ପଦ୍ମଚରଣ ସାହୁ, ହିଞ୍ଜିଳି ବ୍ଳକ ସଭାପତି ଗଗନ ବିହାରୀ ରାଉତ, ଶେରଗଡ ବ୍ଳକ ସଭାପତି କୁନା ବିଷୋୟୀ, ଛାତ୍ର କଂଗ୍ରେସ ସଭାପତି ସଞ୍ଜୟ ସ୍ୱାଇଁ, ଓବିସି ସେଲ୍ ସଭାପତି ମନୋଜ ସ୍ୱାଇଁ, ପ୍ରାକ୍ତନ ବ୍ଳକ ସଭାପତି ଶିବରାମ ପ୍ରଧାନ, ଶଙ୍କର ସେଠି, ରାଜୟୀ ବିଷୋୟୀ, ବଳରାମ ସାହୁ, ମହେନ୍ଦ୍ର ସାହୁ, ମହେଶ୍ୱର ଗୌଡ, ରବି ପାଣିଗ୍ରାହୀଙ୍କ ସମେତ ସହସ୍ରାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।