ଅଗ୍ନିବୀର ଯୋଜନାକୁ ଉଚ୍ଛେଦ କରିବୁ: ରାହୁଲଙ୍କ ଘୋଷଣା

add-all

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ମଙ୍ଗଳବାର ଘୋଷଣା କରିଛନ୍ତି ଯେ ଯଦି ‘ଇଣ୍ଡିଆ’ ମେଣ୍ଟ କ୍ଷମତାକୁ ଆସେ ତେବେ ଅଗ୍ନିବୀର ଯୋଜନାକୁ ଉଚ୍ଛେଦ କରାଯିବ। କାରଣ, ଏହା ସେନା ଦ୍ୱାରା ନୁହେଁ ବରଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ କରା ଯାଇଥିଲା।
ଏଥିସହ ଜିଏସଟିରେ ସଂଶୋଧନ କରିବା ସହ ଆଦିବାସୀଙ୍କ ପାଇଁ ଏକ ପୃଥକ ସରନା ଧାର୍ମିକ କୋଡ୍‌ ଆଣିବାକୁ ମଧ୍ୟ ସେ ପ୍ରତିଶ୍ରୁତି ଦେଇଛନ୍ତି।
‘ଅଗ୍ନିବୀର ଯୋଜନାକୁ ‘ଇଣ୍ଡିଆ’ ମେଣ୍ଟ ରଦ୍ଦ କରିବ, ଯାହା କି ମୋଦୀ ଆଣିଥିବା ଯୋଜନା, ସେନା ଦ୍ୱାରା ନୁହେଁ। ଆମେ ସହିଦଙ୍କ ମଧ୍ୟରେ ପାର୍ଥକ୍ୟ କରିବାକୁ ଚାହୁଁନାହୁଁ। ଦେଶ ପାଇଁ ବଳିଦାନ ଦେଉଥିବା ବ୍ୟକ୍ତିଙ୍କୁ ସହିଦ ମାନ୍ୟତା ଦିଆଯିବା ଉଚିତ, ତାଙ୍କୁ ପେନସନ ଦିଆଯିବା ଉଚିତ’ ବୋଲି ସେ ଝାଡ଼ଖଣ୍ଡର ଗୁମଲାରେ ଆୟୋଜିତ ଏକ ନିର୍ବାଚନୀ ରାଲିରେ କହିଛନ୍ତି।
ବିଜେପି ସରକାର ୫ଟି ଟିକସ ସ୍ଲାବ ସହ ଭୁଲ ଜିଏସଟି ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଆମେ ଏଥିରେ ସଂଶୋଧନ କରିବୁ ଏବଂ ଗୋଟିଏ ଟିକସ ସ୍ଲାବ୍‌ କରିବୁ ଯାହା ସର୍ବନିମ୍ନ ହେବ। ଆମେ ଗରିବଙ୍କ ଉପରେ ଟିକସ ବୋଝ ହ୍ରାସ କରିବୁ ବୋଲି ସେ କହିଛନ୍ତି। ଆଦିବାସୀଙ୍କ ସହ ବିଶ୍ୱାସଘାତକତା ପାଇଁ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିବା ସହ ମୋଦୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅପମାନିତ କରିଛନ୍ତି ବୋଲି ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ଅଭିଯୋଗ କରିଛନ୍ତି।
ନୂଆ ସଂସଦ ଭବନ ଉଦଘାଟନ ଓ ଅଯୋଧ୍ୟାରେ ରାମ ମନ୍ଦିର ସମାରୋହକୁ ନିମନ୍ତ୍ରଣ ନକରି ପ୍ରଧାନମନ୍ତ୍ରୀ ଆଦିବାସୀ ରାଷ୍ଟ୍ରପତି ମୁର୍ମୁଙ୍କୁ ଅପମାନିତ କରିଛନ୍ତି। ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ପିଏସ୍‌ୟୁ, ରେଳବାଇ ଇତ୍ୟାଦି ଶିଳ୍ପପତିଙ୍କୁ ହସ୍ତାନ୍ତର କରିବାକୁ ବିଜେପି ଏବେ ଅଣ୍ଟା ଭିଡ଼ିଛି।

ad-week
Leave A Reply

Your email address will not be published.