‘ନିଟ୍’ ପରୀକ୍ଷାରେ ଜାଲିଆତି ଘଟଣା: ୩ ଅଭିଯୁକ୍ତ ଗିରଫ, ଅନ୍ୟ ତିନି ଜଣ ଫେରାର

add-all

ଭୁବନେଶ୍ବର: ମେଡିକାଲ ପ୍ରବେଶିକା ପରୀକ୍ଷା ନିଟରେ ଜାଲିଆତି କରି ୩ ଜଣ ଗିରଫ ହୋଇଛନ୍ତି। ଜଣେ ପରୀକ୍ଷାର୍ଥୀ ପାଇଁ ଅନ୍ୟ ଜଣେ ଦେଉଥିଲେ ପରୀକ୍ଷା। ଏମିତି ଏକ ନକଲି ପରୀକ୍ଷାର୍ଥୀଙ୍କୁ ଧରିଛି ଭଦ୍ରକ ଗ୍ରାମାଞ୍ଚଳ ପୁଲିସ।
ସୂଚନା ଅନୁଯାୟୀ ଭଦ୍ରକ ସହରର ଏକ ଘରୋଇ ସ୍କୁଲରେ ନିଟ ପରୀକ୍ଷା ହେଉଥିବା ବେଳେ ନକଲି ପରୀକ୍ଷାର୍ଥୀଙ୍କୁ ଧରିଛି ପୁଲିସ। ମେ ମାସ ୫ ତାରିଖରେ ନିଟ ପରୀକ୍ଷା ବେଳେ ସନ୍ଦେହ ହେବାରୁ ସେଣ୍ଟର ତରଫରୁ ଆଡ଼ମିନିଷ୍ଟ୍ରେଟିଭ ଅଫିସରଙ୍କୁ ଅବଗତ କରାଯାଇଥିଲା। ତେବେ ଆଡ଼ମିଟ କାର୍ଡରେ ନକଲି ପରୀକ୍ଷାର୍ଥୀଙ୍କ ଫଟୋ ଥିଲା। କିନ୍ତୁ ଆଧାରକାର୍ଡ ଯାଞ୍ଚ ବେଳେ ଫିଙ୍ଗର ପ୍ରିଣ୍ଟ ମ୍ୟାଚ କରିନଥିଲା। ଏନେଇ ସେଣ୍ଟର ସୁପରିନଡେଣ୍ଟ ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପରେ ପୁଲିସ ତଦନ୍ତ କରିବା ବେଳେ ଜଣାପଡିଥିଲା ଯେ ମୟୂରଭଞ୍ଜ ଅଞ୍ଚଳର ଶାଶ୍ୱତ ତ୍ରିପାଠୀ ନିଟ ପରୀକ୍ଷା ଦେଇଥାନ୍ତେ। କିନ୍ତୁ ଅନ୍ୟ ଜଣେ ପରୀକ୍ଷାର୍ଥୀ ପାଇଁ ପ୍ରଥମେ ଆଦିତ୍ୟ କୁମାରଙ୍କ ସହ ଯୋଗାଯୋଗ କରିଥିଲେ, ପରେ ରାଜେଶ କୁମାର ମଧୁକର ମାଧ୍ୟମରେ ନକଲି ପରୀକ୍ଷାର୍ଥୀ ଭାବେ କଲିକତା ମେଡିକାଲ କଲେଜର ତୃତୀୟ ବର୍ଷ ଛାତ୍ର ଅଙ୍କିତ ରାଜଙ୍କୁ ଯୋଗାଯୋଗ କରିଥିଲେ।
ଗରିବ ଶ୍ରେଣୀର ଛାତ୍ର ହୋଇଥିବାରୁ ମାତ୍ର ୧୦ ଲକ୍ଷ ଟଙ୍କାରେ ପରୀକ୍ଷା ପାଇଁ ଡିଲ ହୋଇଥିଲା। ଯାଞ୍ଚ ବେଳେ ପୁଲିସ ୩ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ୩ ଜଣ ଫେରାର ଅଛନ୍ତି। ଗିରଫଙ୍କ ମଧ୍ୟରେ ବିହାର ଅଞ୍ଚଳର ନକଲି ପରୀକ୍ଷାର୍ଥୀ ଅଙ୍କିତ ରାଜ, ମଧ୍ୟସ୍ଥି ବିହାରର ରାଜେଶ ମଧୁକର ଓ ବିହାରର ପ୍ରେମ ଶଙ୍କର ପାଣ୍ଡେ ଗିରଫ ହୋଇଛନ୍ତି। ୧୦ ଲକ୍ଷ ଟଙ୍କା ନେବା ନେଇ ବ୍ୟାଙ୍କରେ ତଦନ୍ତ ଆରମ୍ଭ ହୋଇଛି। ଅଧିକ ତଦନ୍ତ ପାଇଁ ପୋଲିସ ସବିଶେଷ ତଥ୍ୟ ପ୍ରଦାନ କରି ନାହିଁ। ଭଦ୍ରକ ଗ୍ରାମାଂଚଳ ପୁଲିସ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଛି।

ad-week
Leave A Reply

Your email address will not be published.