ଜେପି ନଡ୍ଡା ଓ ଅମିତ ମାଲବ୍ୟଙ୍କୁ ସମନ୍‌

add-all

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ସମନ। ବିଜେପିର ବିବାଦୀୟ ପୋଷ୍ଟକୁ ନେଇ ତାଙ୍କୁ କର୍ଣ୍ଣାଟକ ପୁଲିସ ସମନ ପଠାଇଛି। ତାଙ୍କ ସହ ବିଜେପି ଆଇଟି ସେଲ୍‌ ମୁଖ୍ୟ ଅମିତ ମାଲବ୍ୟଙ୍କୁ ମଧ୍ୟ ପୁଲିସ ସମନ କରିଛି। ବେଙ୍ଗାଲୁରୁ ପୁଲିସ ସାମ୍ନାରେ ହାଜର ହେବାକୁ ଉଭୟଙ୍କୁ ଏକ ସପ୍ତାହ ସମୟ ଦିଆଯାଇଛି।

ନିକଟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଦଳର ଆଇଟି ମୁଖ୍ୟ ଅମିତ ମାଲବ୍ୟ ଓ କର୍ଣ୍ଣାଟକା ବିଜପି ମୁଖ୍ୟ ବିଓ୍ୱାଇ ବିଜୟେନ୍ଦ୍ରଙ୍କ ବିରୋଧରେ ଏଫଆଇଆର ରୁଜୁ କରିଥିଲା କଂଗ୍ରେସ। ଏସ୍‌ସି ଓ ଏସ୍‌ଟି ସଂପ୍ରଦାୟର ଲୋକଙ୍କୁ ଏକ ନିର୍ଦ୍ଦିଷ୍ଟ ପ୍ରାର୍ଥୀଙ୍କୁ ଭୋଟ ନ ଦେବାକୁ ଏମାନେ ଡରାଉଥିବାରୁ କଂଗ୍ରେସ ଏପରି ପଦକ୍ଷେପ ନେଇଥିଲା। କଂଗ୍ରେସର ଏଫଆଇଆର ପରେ ପୁଲିସ୍‌ ମାମଲା ରୁଜୁ କରିଥିଲା।

ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ କର୍ଣ୍ଣାଟକ ବିଜେପି ଦ୍ୱାରା ଏକ ଭିଡିଓ ପୋଷ୍ଟ କରାଯାଇଥିଲା। ଏହି ଭିଡିଓକୁ ନେଇ ବିବାଦ ଆରମ୍ଭ ହୋଇଥିଲା। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ରାହୁଲ ଗାନ୍ଧିଙ୍କୁ ଏହି ଭିଡିଓରେ ଭୁଲ୍‌ ରୂପେ ଉପସ୍ଥାପିତ କରାଯାଇଥିବା କଂଗ୍ରେସ ଅଭିଯୋଗ କରିଛି। ଏ ସମ୍ପର୍କରେ କର୍ଣ୍ଣାଟକ କଂଗ୍ରେସ ନିର୍ବାଚନ ଆୟୋଗଙ୍କୁ ଏକ ଚିଠି ମଧ୍ୟ ଲେଖିଥିଲା।

ଏଥିରେ କୁହାଯାଇଥିଲା ଯେ, ଭିଡିଓ ଜରିଆରେ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ଲୋକଙ୍କୁ ଭୟଭୀତ କରାଯାଇଛି। ଏସସି / ଏସଟି ସମ୍ପ୍ରଦାୟର ଲୋକଙ୍କ ବିରୋଧରେ ଶତ୍ରୁତା, ଘୃଣା ଏବଂ ଅନୈତିକ ଭାବନା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ଭିଡିଓକୁ ବିଜେପି ଦ୍ୱାରା ପୋଷ୍ଟ କରାଯାଇଥିବା ନେଇ କଂଗ୍ରେସ ଅଭିଯୋଗ କରିଥିଲା। 

ଏହା ସହିତ କର୍ଣ୍ଣାଟକ କଂଗ୍ରେସ ବିଜେପି ଉପରେ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗ ମଧ୍ୟ କରିଛି। ନିର୍ବାଚନ ଆୟୋଗଙ୍କୁ ଲେଖାଯାଇଥିବା ଚିଠିରେ କଂଗ୍ରେସ କହିଛି ଯେ ରାହୁଲ ଗାନ୍ଧି ଏବଂ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ଏହି ଭିଡିଓରେ ଆନିମେଟେଡ୍‌ ରୂପେ ଦର୍ଶାଯାଇଛି, ଯାହା ଆଚରଣ ବିଧି ଉଲ୍ଲଂଘନ କରୁଛି। ଏହି ଭିଡିଓକୁ କର୍ଣ୍ଣାଟକ ବିଜେପି ଦ୍ୱାରା ମେ’ ୪ରେ ପୋଷ୍ଟ କରାଯାଇଥିଲା।

ad-week
Leave A Reply

Your email address will not be published.