
ଉମରକୋଟ : ଅଙ୍ଗନବାଡ଼ି କେନ୍ଦ୍ରର ପୁରୁଣା କୋଠା ଗୃହଟି ଏକ ପ୍ରକାର ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି କହିଲେ ଭୁଲ ହେବ ନାହିଁ। ନୂତନ ଅଙ୍ଗନବାଡି କୋଠା ଗୃହ କାମ ଆରମ୍ଭ ହୋଇ ଦୁଇ ବର୍ଷ ପରେ ମଧ୍ୟ ସଂପୂର୍ଣ୍ଣ ହୋଇପାରୁନି। ଏକ ପୁରୁଣା ବିଦ୍ୟାଳୟର ବାରଣ୍ଡାରେ ଅଙ୍ଗନବାଡି କେନ୍ଦ୍ରର କମଳମତି ଶିଶୁମାନଙ୍କୁ ବିପଦପୂର୍ଣ୍ଣ ଭାବେ ପ୍ରାକ୍ଶିକ୍ଷା ପ୍ରଦାନ କରାଯାଉଛି। ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ବଡ଼ଟେମେରା ପଞ୍ଚାୟତ ଚେପଟିଆମ୍ବା ଗ୍ରାମରେ।

ଗ୍ରାମବାସୀଙ୍କ କହିବା ଅନୁଯାୟୀ, ବହୁ ବର୍ଷ ତଳେ ଚେପଟିଆମ୍ବା ଗ୍ରାମରେ ପ୍ରଶାସନ ପକ୍ଷରୁ ଏକ ଅଙ୍ଗନବାଡ଼ି କେନ୍ଦ୍ର ସ୍ଥାପନ ହୋଇଥିଲା। ଏହାର କିଛି ବର୍ଷ ପରେ ଅର୍ଥାତ୍ ୨୦୦୦ ମସିହାରେ ପ୍ରଶାସନ ପକ୍ଷରୁ ଅଙ୍ଗନବାଡ଼ି କେନ୍ଦ୍ରର ନୂତନ କୋଠାଗୃହ ନିର୍ମାଣ ହୋଇଥିଲା। ନୂତନ କୋଠା ଗୃହ ନିର୍ମାଣ ହେବା ପରେ ଶିଶୁମାନଙ୍କୁ ସେଠାରେ ପ୍ରାକ୍ଶିକ୍ଷା ଦିଆଯିବା ସହ ଅଙ୍ଗନବାଡି କେନ୍ଦ୍ରର କାମ ଚାଲୁଥିଲା । କିନ୍ତୁ ଅଙ୍ଗନବାଡି କୋଠା ଗୃହ ନିର୍ମାଣର ମାତ୍ର ୪ବର୍ଷ ପରେ ଛାତରୁ ସିମେଣ୍ଟ, ବାଲି ଖୋସି ତଳେ ପଡ଼ି ପାଣି ଗଳିବାରୁ ସମସ୍ୟା ଦେଖା ଦେଇଥିଲା। ରକ୍ଷଣାବେକ୍ଷଣ ଅଭାବରୁ ପୁରୁଣା କୋଠାର ଅବସ୍ଥା ଜରାଜୀର୍ଣ୍ଣ ହୋଇପଡ଼ିଥିଲା। ଗ୍ରାମବାସୀଙ୍କ ବହୁବାର ଉଚ୍ଚ ପଦସ୍ତ ପ୍ରଶାସନିକ ପାଖରେ ଅଙ୍ଗନବାଡି କୋଠା ଗୃହ ପାଇଁ ଦାବି କରିବା ପରେ ୨ବର୍ଷ ତଳେ ପ୍ରଶାସନ ପକ୍ଷରୁ ନୂତନ କୋଠା ଗୃହ ନିର୍ମାଣ କାମ ଆରମ୍ଭ ହୋଇଥିଲା। କିନ୍ତୁ ଆଜି ସୁଦ୍ଧା କେବଳ ଛାତ କାମରେ ହିଁ ଏହି କୋଠା କାମ ସୀମିତ ରହି ଯାଇଛି। ଅନ୍ୟପଟେ ଅସମ୍ପୂର୍ଣ୍ଣ ନୂତନ ନିର୍ମାଣଧୀନ କୋଠା ଗୃହର ଚାରିପଟେ କୃତ୍ରିମ ଜଙ୍ଗଲ ସୃଷ୍ଟି ହୋଇଛି। ପୁରୁଣା କୋଠା ଗୃହଟି ବିପଦସଂକୁଳ ଅବସ୍ଥାରେ ରହିଥିବା ବେଳେ ନୂତନ କୋଠା ଅଧାପନ୍ତରିଆ ଅବସ୍ଥାରେ ପଡ଼ି ରହିଥିବାରୁ ଚେପଟିଆମ୍ବା ଗ୍ରାମର ୪୦ଜଣ କମଳମତି ଶିଶୁ ଗ୍ରାମର ପୁରୁଣା ତଥା ବିପଦସଂକୁଳ ଏକ ପରିତ୍ୟାଗତ୍ୟ ବିଦ୍ୟାଳୟର ବାରଣ୍ଡାରେ ବସି ପ୍ରାକ୍ଶିକ୍ଷା ଗ୍ରହଣ କରୁଛନ୍ତି। ବାରଣ୍ଡାରେ ବସାଇ ଶିଶୁଙ୍କୁ ପାଠ ପଢ଼ାଇବା ପାଇଁ ବିଭିନ୍ନ ସମୟରେ ସମସ୍ୟା ଦେଖାଦେଉଛି। ରୋଷେଇ ଗୃହ ନଥିବାରୁ ପୁରୁଣା ବିଦ୍ୟାଳୟର ଦଦରା ଶ୍ରେଣୀଗୃହରେ ଏବଂ ବେଳେବେଳେ ବାହାରେ ରୋଷେଇ କରାଯାଉଥିବା ଗ୍ରାମବାସୀ କହିଛନ୍ତି। ସେହିପରି ଅଙ୍ଗନବାଡ଼ି କେନ୍ଦ୍ର ନଥିବାରୁ କେନ୍ଦ୍ରର ଆବଶ୍ୟକ ଉପକରଣ କର୍ମୀଙ୍କ ଘରେ ରହୁଥିବା ବେଳେ ଶିଶୁମାନଙ୍କ କାମରେ ଏହା ଆସୁନଥିବା ଅଭିଯୋଗ ହୋଇଛି। ଅସମ୍ପୂର୍ଣ୍ଣ କୋଠା ଗୃହଟି ସମ୍ପୂର୍ଣ୍ଣ କରିବା ପାଇଁ ବହୁବାର ଗ୍ରାମବାସୀ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ଦାବି କରୁଥିଲେ ହେଲେ ବିଭାଗୀୟ ଅଧିକାରୀ ଗ୍ରାମବାସୀର କଥାକୁ କର୍ଣ୍ଣପାତ କରୁନାହାନ୍ତି। କୋମଳମତି ଶିଶୁଙ୍କ ସୁରକ୍ଷା ଓ ଭବିଷ୍ୟତକୁ ଦେଖି ତୁରନ୍ତ ଏହି ନୂତନ ଅଙ୍ଗନବାଡି କୋଠା ଗୃହଟିର କାମ ସାରିବା ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ଅତି ଶୀଘ୍ର ଦାବି ପୁରଣ ନ ହେଲେ ଆଗାମୀ ଦିନରେ ଚେପଟିଆମ୍ବା ଗ୍ରାମବାସୀ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ବିରୁଧ୍ୟରେ ତୀବ୍ର ପ୍ରତିବାଦ କରି ରାଜ ରାସ୍ତାରେ ଓଲ୍ହାଇ ବାକୁ ଚେତାବନୀ ଦେଇଛନ୍ତି।