ମିଛ ଓ ଅପପ୍ରଚାର ବିରୋଧୀଙ୍କ ଅସ୍ତ୍ର, ବିକାଶ ବିଜେଡିର ଅସ୍ତ୍ର: ନବୀନ ପଟ୍ଟନାୟକ

add-all

କେନ୍ଦୁଝର: ମିଛ ଓ ଅପପ୍ରଚାର ବିରୋଧୀଙ୍କ ଅସ୍ତ୍ର, ବିକାଶ ବିଜେଡିର ଅସ୍ତ୍ର । କୁମ୍ଭୀର କାନ୍ଦଣା ଏଠାରେ ଚଳିବନି ବୋଲି କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । କେନ୍ଦୁଝର ଲୋକସଭା ନିର୍ବାଚନ ମଣ୍ଡଳୀ ଏବଂ ଆନନ୍ଦପୁରରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେଇ ବିରୋଧିଙ୍କ ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ କେନ୍ଦୁଝର ଲୋକସଭା ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର ସାଂସଦ ଓ ଆନନ୍ଦପୁର ଓ ଘଷିପୁରାର ବିଧାୟକ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଆଶୀର୍ବାଦ କରିବାକୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସେହିପରି ଜନସଭାରେ ଯୋଗ ଦେଇ ଭିକେ ପାଣ୍ଡିଆନ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ବିଶାଳ ହୃଦୟରେ ସବୁଠାରୁ ଭଲ ଜାଗାରେ ଅଛନ୍ତି ଆଦିବାସୀ ଭାଇଭଉଣୀମାନେ । ସେମାନଙ୍କର କଳା, ସଂସ୍କୃତି, ପୂଜାସ୍ଥଳୀର ରକ୍ଷଣାବେକ୍ଷଣ ଓ ବିକାଶ ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଯାହା ଭାରତବର୍ଷର କୌଣସି ରାଜ୍ୟରେ ହୋଇନାହିଁ । ଆଦିବାସୀ ଭାଇଭଉଣୀ ମାନଙ୍କ ଉପରୁ ୫୦ ହଜାର ଛୋଟ ବଡ ପୋଲିସ କେସ୍‌ ରଦ୍ଦ କରିଛନ୍ତି । ଜଙ୍ଗଲ ଉପରେ ନିର୍ଭରଶୀଳ ଆଦିବାସୀ ଭାଇଭଉଣୀମାନେ ଠକାମୀର ଶିକାର ନ ହେବା ପାଇଁ ‘ଲାଭ’ ଯୋଜନା ଆରମ୍ଭ କରିଛନ୍ତି, ଏହାଦ୍ବାରା ସେମାନେ ଜଙ୍ଗଲ ଜାତ ଦ୍ରବ୍ୟର ଉଚିତ ମୂଲ୍ୟ ପାଉଛନ୍ତି ବୋଲି କହିଛନ୍ତି ପାଣ୍ଡିଆନ ।

ସେହିପରି ବିରୋଧିଙ୍କୁ ଟାର୍ଗେଟ କରି ପାଣ୍ଡିଆନ କହିଛନ୍ତି ଯେ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଆସି ନିର୍ବାଚନ ପାଇଁ ଏଠାରେ ବୁଲୁଛନ୍ତି । ଏଠାରେ ଆସି ବଡ ବଡ କଥା କହୁଛନ୍ତି । ସେମାନଙ୍କୁ ଥରେ ପଚାରନ୍ତୁ, ତାଙ୍କ ରାଜ୍ୟରେ ସେମାନେ ଏଭଳି କିଛି କରିଛନ୍ତି କି? ୧୦ ବର୍ଷ ତଳେ ବିଜେପି ଦଳ କହିଥିଲା ଆମେ କ୍ଷମତାକୁ ଆସିଲେ ଦରଦାମ କମାଇବୁ, ରୋଜଗାର ବୃଦ୍ଧି କରିବୁ, କିଛି କଲେ ନାହିଁ, ଏବେ ଆସି ଭୋଟ ପାଇଁ ମିଛ କଥା କହୁଛନ୍ତି, ଅପପ୍ରଚାର କରୁଛନ୍ତି । ଏମାନେ ଲୋକଙ୍କ ପାଇଁ କାମ କରନ୍ତି ନାହିଁ, ଭୋଟ ପାଇଁ ମିଛ କଥା କୁହନ୍ତି ବୋଲି କହିଛନ୍ତି ପାଣ୍ଡିଆନ ।

ad-week
Leave A Reply

Your email address will not be published.