
ଫୁଲବାଣୀ : ଦ୍ୱିବାର୍ଷିକ ମା ନାରାୟଣୀ ଠାକୁରାଣୀ ଯାତ୍ରା ଅବସରରେ ଦିନକୁ ଦିନ ଯାତ୍ରା ପଡ଼ିଆରେ ଭକ୍ତଙ୍କ ଭିଡ଼ ଜମିବା ଆରମ୍ଭ ହୋଇଥିବା ବେଳେ ଆଜି ଯାତ୍ରା ଅବସରରେ ମିନା ବଜାର ଓ ବିଭିନ୍ନ ପ୍ରକାର ଦୋଳୀ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ଆଦର୍ଶ ଟାଉନ ଥାନା ଅଧିକାରୀ କନକ ମାଝୀ ଓ ଅଗ୍ନି ନିର୍ବାପକ ଅଧିକାରୀଙ୍କ କରକମଳରେ ଶୁଭ ଉଦ୍ଘାଟିତ ହୋଇଥିଲା l ଶନିବାର ସଂନ୍ଧ୍ୟା ଆଳତି ପରେ ପଞ୍ଚଦେବୀ ପଞ୍ଚଠାକୁରାଣୀ ଗମ୍ଭିରାରୁ ବାହାରି ଗୋପାଳ ସାହି , ଉପର ନାରୟଣୀ ସାହି ଆଦି ଅଞ୍ଚଳ ନଗର ଭ୍ରମଣରେ ଯାଇ ଭୋଗ ଆଳତି ଗ୍ରହଣ କରିଥିଲେ। ସନ୍ଧ୍ୟାରେ ଯାତ୍ରା ମଣ୍ଡପଠାରେ କୋମଳଗାନ୍ଧାର ସଙ୍ଗୀତ ଓ ସଂସ୍କୃତି ପ୍ରତିଷ୍ଠାନ ପକ୍ଷରୁ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସମଗ୍ର ରାଜ୍ୟରେ ଚହଳ ପକାଇଥିବା କଣ୍ଠଶିଳ୍ପୀ ଅସିତନନ୍ଦଙ୍କ ଭଜନ ଶୁଣିବା ପାଇଁ ଦର୍ଶକଙ୍କ ଭିଡ ଜମିଥିଲା l ସେହିଭଳି ପଞ୍ଚଦେବୀ ଶୁକ୍ରବାର ଜିଲ୍ଲାପାଳ , ଉପଜିଲ୍ଲାପାଳ ଓ କନ୍ଧମାଳ ଆରୀକ୍ଷୀ ଅଧିକ୍ଷକଙ୍କ ବାସଭବନ ସହିତ ବିଭିନ୍ନ ସାହି ଭ୍ରମଣରେ ଯାଇ ଭୋଗ ଆଳତି ଗ୍ରହଣ କରିଥିଲେ। ଏହି ଅବସରରେ ଯାତ୍ରା ପଡ଼ିଆ ଠାରେ ବ୍ରହ୍ମପୁରର କଳାକାର ମାନଙ୍କ ଦ୍ୱାରା ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଜି ରବିବାର ଗମ୍ଭୀରାରୁ ବାହାରି ଲକ୍ଷ୍ମୀ ମାର୍କେଟ୍ ରାସ୍ତା ଦେଇ ସତ୍ୟସାଇ ରାସ୍ତା ଡିଆରଡିଏ ଛକଠାରେ ପହଂଚିବେ , ସେଠାରୁ ତାହାଣପଟେ ଯାଇ ଇଲେକ୍ଟ୍ରିକ କଲୋନୀକୁ ଭୋଗ ଆଳତି ପାଇଁ ଯିବେ । ପରେ ଆମ୍ବେଦକର ଛକ ସେଠାରୁ ମାଷ୍ଟ୍ରପଡ଼ା ନୂଆସାହିକୁ ଭୋଗ ଆଳତି ପାଇଁ ଯିବେ ସେଠାରୁ ସର୍କୁଲାର ରାସ୍ତାରେ ଗାନ୍ଧୀ ଛକ ଦେଇ ଗମ୍ଭୀରାକୁ ବିଜେ କରିବେ। କମିଟିର ସଭାପତି ପି.ସିଧାଂଶୁ ସେନାପତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ସମସ୍ତ କାର୍ଯ୍ୟକ୍ରମରେ ସଂପାଦକ ଦୁର୍ଗା ପ୍ରସାଦ ତ୍ରିପାଠୀ ଓ ସମସ୍ତ କର୍ମକର୍ତ୍ତା ଓ ସ୍ୱେଚ୍ଛାସେବୀ ମାନେ ପରିଚାଳନାରେ ସହଯୋଗ କରୁଥିବା ବେଳେ ଆଇନ ଶୃଙ୍ଖଳା ଦୃଷ୍ଟିରୁ ପୁଲିସ୍ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ପଦକ୍ଷେପ ନିଆଯାଇଛି।