ପ୍ରଚାର ପରେ ୨୪ ଘଣ୍ଟା ଧ୍ୟାନରେ ବସିବେ ମୋଦି

add-all

ଦେଶରେ ଚାଲିଥିବା ସାଧାରଣ ନିର୍ବାଚନ ଏବେ ଶେଷ ପର୍ଯ୍ୟାୟରେ। ଆସନ୍ତା ୧ ତାରିଖରେ ଶେଷ ପର୍ଯ୍ୟାୟ ଭୋଟିଂ ହେବ। ଏହାପରେ ଜୁନ ୪ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ।

୭ ପର୍ଯ୍ୟାୟରେ ଦେଶର ୫୪୩ ଲୋକସଭା ଓ କିଛି ରାଜ୍ୟର ବିଧାନସଭା ଆସନ ମତଦାନ ହେଉଛି। ଏଥିପାଇଁ ସବୁ ଦଳର ଷ୍ଟାର ପ୍ରଚାରକମାନେ ଜୋରଦାର ପ୍ରଚାର କରୁଛନ୍ତି। ଏହିକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ତାଙ୍କ ଦଳ ବିଜେପି ପାଇଁ ପ୍ରଚାର କରୁଛନ୍ତି।

ଆସନ୍ତା ୩୦ ତାରିଖରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଶେଷ ହେବ। ପ୍ରଚାର ଶେଷ ହେବା ପରେ ମୋଦି ୨୪ ଘଣ୍ଟା ପାଇଁ ଧ୍ୟାନରେ ବସିବେ। ତାମିଲନାଡୁର କନ୍ୟାକୁମାରୀରେ ଠାରେ ଥିବା ସ୍ୱାମୀ ବିବେକାନନ୍ଦ ସ୍ମାରକୀରେ ସେ ପୂରା ୨୪ ଘଣ୍ଟା ଧ୍ୟାନ କରିବେ ବୋଲି ଖବର ମିଳିଛି।

ବିବେକାନନ୍ଦ ରକ୍‌ ସ୍ମାରକୀଟି ସମୁଦ୍ର ଭିତରେ ରହିଛି। ତେଣୁ ମୋଦି ସମୁଦ୍ର ଭିତରକୁ ଯାଇ ଧ୍ୟାନ କରିବେ। ଯେଉଁ ଧ୍ୟାନ ମଣ୍ତପମରେ ବିବେକାନନ୍ଦ ୩ ଦିନ ଧରି ଧ୍ୟାନରେ ବସିଥିଲେ ସେହି ସ୍ଥାନରେ ହିଁ ମୋଦି ଧ୍ୟାନ କରିବେ। ମେ’ ୩୧ ତାରିଖ ସନ୍ଧ୍ୟାରୁ ଜୁନ ୧ ତାରିଖ ସନ୍ଧ୍ୟା ଯାଏ ମୋଦି ଧ୍ୟାନରେ ବସିବେ।

ମିଳିଥିବା ସୂଚନା ଅନୁସାରେ, ମୋଦି ଗୁରୁବାର ଅର୍ଥାତ ୩୦ ତାରିଖ ସନ୍ଧ୍ୟାରେ କନ୍ୟାକୁମାରୀରେ ପହଞ୍ଚିବେ। ସେଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ସେ ମେ’ ୩୧ ତାରିଖ ସନ୍ଧ୍ୟାରୁ ଧ୍ୟାନ ଆରମ୍ଭ କରିବେ। ଜୁନ ୧ ତାରିଖ ସନ୍ଧ୍ୟାରେ ସେ ଧ୍ୟାନରୁ ଉଠି ସିଧା ଦିଲ୍ଲୀ ଆସିବେ।

କନ୍ୟାକୁମାରୀର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥାନ ହେଉଛି ବିବେକାନନ୍ଦ ରକ ମେମୋରିଆଲ। ଏହା ୧୯ଶ ଶତାବ୍ବୀର ଦର୍ଶନିକ ଓ ଲେଖକ ସ୍ୱାମୀ ବିବେକାନନ୍ଦଙ୍କ ସ୍ମୃତିରେ ନିର୍ମାଣ ହୋଇଛି। ଏହି ସ୍ମାରକୀ ନିକଟରେ ତାମିଲ ସନ୍ଥ ତିରୁଭାଲ୍ଲୁବାର ପ୍ରତିମୂର୍ତ୍ତି ନିକଟରେ ରହିଛି।

ଉପକୂଳ ଠାରୁ ୫୦୦ ମିଟର ସମୁଦ୍ର ଭିତରେ ଥିବା ସ୍ମାରକୀରେ ମୋଦି ଧ୍ୟାନରେ ବସିବେ। ଉକ୍ତ ପଥରକୁ ବଙ୍ଗୋପସାଗର, ଆରବ ସାଗର ଓ ଭାରତ ମହାସାଗର ଘେରି ରହିଛନ୍ତି। ଏହାକୁ ଏକତାର କେନ୍ଦ୍ରସ୍ଥଳ ମଧ୍ୟ କୁହାଯାଏ।

୨୦୧୯ ଲୋକସଭା ନିର୍ବାଚନର ଠିକ ଶେଷ ପର୍ଯ୍ୟାୟରେ ମୋଦି କେଦାରନାଥ ଗସ୍ତ କରିଥିଲେ। ସେଠାରେ ଥିବା ଗୋଟିଏ ଗୁମ୍ଫାରେ ସେ ଧ୍ୟାନରେ ବସିଥିଲେ। ୨୦୧୯ ମେ’ ୧୮ ତାରିଖରେ ମୋଦି ଉତ୍ତରାଖଣ୍ଡର ରୁଦ୍ର ଗୁମ୍ଫାରେ ୧୭ ଘଣ୍ଟା ଧରି ଧ୍ୟାନ କରିଥିଲେ। ୧୯ ତାରିଖରେ ଶେଷ ପର୍ଯ୍ୟାୟ ନିର୍ବାଚନ ହୋଇଥିଲା ଓ ମେ’ ୨୩ରେ ରେଜଲ୍ଟ ପ୍ରକାଶ ପାଇଥିଲା। ସେହିପରି ୨୦୧୪ରେ ସେ ଶିବାଜୀଙ୍କ ପ୍ରତାଗଡ଼ ଗସ୍ତ କରିଥିଲେ।

ad-week
Leave A Reply

Your email address will not be published.