ପରିତ୍ୟକ୍ତ ଘରୁ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

add-all

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡା ଉଲୁଣ୍ଡା ଥାନା ଅନ୍ତର୍ଗତ ଅଇଁଳାଛାଟ ଛକରେ ଥିବା ଏକ ପରିତ୍ୟକ୍ତ ଘରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତି ହେଲେ ବିନିକା ରହେଲା ଗ୍ରାମର ଗଣେଶ ଦାସ।
ସୂଚନା ଅନୁସାରେ ଗଣେଶ ପରିବାର ସହିତ ତାଙ୍କ ଶାଶୂଘର ଅଇଁଲାଛାଟ ଗ୍ରାମରେ ରହି ଆସୁଥିଲେ। ସେ ଅଇଁଲାଛାଟ ଛକ ଠାରେ ଏକ ଠେଲାରେ ହୋଟେଲ କରି ପରିବାର ପ୍ରତିପୋଷଣ କରିଥିଲେ। ସବୁଦିନ ଭଳି ବୁଧବାର ସକାଳୁ ସେ ଅନ୍ୟ ଦିନ ପରି ଠେଲା ଦୋକାନକୁ ଆସିଥିଲେ। ମାତ୍ର ସେ ଘରକୁ ଫେରିବାରେ ବିଳମ୍ବ ହେବାରୁ ତାଙ୍କ ସ୍ତ୍ରୀ ଫୋନ୍ କରିଥିଲେ ମଧ୍ୟ ସେ ଫୋନ୍ ଉଠାଇ ନଥିଲେ।
ଅପରାହ୍ନ ପ୍ରାୟ ଦୁଇଟାରେ ସମୟରେ ଅଇଁଳାଛାଟ ଛକ ଠାରେ ଥିବା ଏକ ପରିତ୍ୟକ୍ତ ଘରେ ଗଣେଶ ରକ୍ତଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ସ୍ଥାନୀୟ ଲୋକ ଦେଖିଥିଲେ। ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ପୁଲିସ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ତାଙ୍କୁ ସୋନପୁର ଡାକ୍ତରଖାନାକୁ ନେଇ ଭର୍ତ୍ତି କରିଥିଲା। ମାତ୍ର ସେଠାରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ମୃତ ଘୋଷଣା କରିଥିଲେ। ଏନେଇ ମୃତକଙ୍କ ସ୍ତ୍ରୀ ଯୋଶବନ୍ତୀ ଉଲୁଣ୍ଡା ଥାନାର ଦ୍ୱାରସ୍ଥ ହୋଇ ସ୍ବାମୀଙ୍କୁ ଲୁହାଛଡ଼ରେ ପିଟି ହତ୍ୟା କରାଯାଇଥିବା ନେଇ ଲିଖିତ ଅଭିଯୋଗ କରିଛନ୍ତି। ଘଟଣାଟି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ad-week
Leave A Reply

Your email address will not be published.