ଯୌନ ନିର୍ଯାତନା ମାମଲା: ସାଂସଦ ରେଭାନ୍ନାଙ୍କୁ ଜୁନ ୬ ଯାଏ ରିମାଣ୍ଡରେ ନେଲା ଏସ୍‌ଆଇଟି

add-all

ବେଙ୍ଗାଲୁରୁ : ଶହଶହ ମହିଳାଙ୍କୁ ଯୌନ ନିର୍ଯାତନା ଦେଇ ବ୍ଲାକମେଲିଂ କରିବା ଅଭିଯୋଗରେ ଗିରଫ ହୋଇଥିବା କର୍ଣ୍ଣାଟକାର ଜେଡିଏସ୍‌ ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କୁ ରିମାଣ୍ଡରେ ନେଇଛି ଏସ୍‌ଆଇଟି। ଆଜି ଭୋରରୁ ଜର୍ମାନୀରୁ ଫେରିଥିବା ରେଭାନ୍ନାଙ୍କୁ ଏସ୍‌ଆଇଟି ଏୟାରପୋର୍ଟରୁ ହିଁ ଗିରଫ କରିଥିଲା।
ଏହାପରେ ଅପରାହ୍ନରେ ତାଙ୍କୁ ବେଙ୍ଗାଲୁରୁର ଗୋଟିଏ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ତାଙ୍କୁ ଜୁନ ୬ ଯାଏ ଏସ୍‌ଆଇଟି ହେପାଜତକୁ ପଠାଇ ଦେଇଛନ୍ତି। ଏହି ସମୟରେ ଏସ୍‌ଆଇଟି ତାଙ୍କୁ ଯୌନ ନିର୍ଯାତନା ଘଟଣାରେ ପଚରାଉଚରା କରିବ। ସେହିପରି ଭାଇରାଲ ସେକ୍ସ ଭିଡିଓରେ ଥିବା ସ୍ୱର ରେଭାନ୍ନାଙ୍କର କି ନୁହେଁ, ତା’ର ମଧ୍ୟ ଫରେନ୍ସିକ ଯାଞ୍ଚ ହେବ।
କେମ୍ପେଗୌଡା ଏୟାରପୋର୍ଟରେ ପ୍ରଜ୍ଜ୍ୱଳ ପହଞ୍ଚିବା ପରେ ତାଙ୍କୁ ମହିଳା ପୁଲିସ୍‌ କର୍ମୀଙ୍କ ଏକ ଟିମ୍‌ ଗିରଫ କରିଥିଲେ। ଏହାପରେ ତାଙ୍କୁ ସିଆଇଡି ଅଫିସ ଅଭିମୁଖେ ନିଆଯାଇଥିଲା। ସେଠାରେ ତାଙ୍କୁ ପଚରାଉଚରା କରାଯାଇଥିଲା। SIT ଟିମ୍‌ ଏୟାରପୋର୍ଟରୁ ପ୍ରଜ୍ଜ୍ୱଳଙ୍କ ସହ ଦୁଇଟି ସୁଟକେଶ୍‌ ବି ନେଇ ଯାଇଛି।
ପ୍ରାଥମିକ ଜେରା ପରେ ହାସନ ସାଂସନ ପ୍ରଜ୍ଜ୍ୱଳଙ୍କୁ ସ୍ଥାନୀୟ ସରକାରୀ ହସ୍ପିଟାଲକୁ ମେଡିକାଲ ଚେକଅପ ପାଇଁ ନିଆଯାଇଥିଲା। ମେଡିକାଲ ଯାଞ୍ଚ ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। କୋର୍ଟରେ ଏସ୍‌ଆଇଟି ଘଟଣାର ଅଧିକ ତଦନ୍ତ ପାଇଁ ପ୍ରଜ୍ଜ୍ୱଳଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା। କୋର୍ଟ ଜୁନ ୬ ଯାଏ ତାଙ୍କୁ ରିମାଣ୍ଡରେ ପଠାଇ ଦେଇଛନ୍ତି।
କର୍ଣ୍ଣାଟକାରେ ପ୍ରଥମ ପର୍ଯ୍ୟାୟ ମତଦାନ ବେଳେ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ସେକ୍ସ ଭିଡିଓ ଭାଇରାଲ ହୋଇଥିଲା। ସେ ଶହଶହ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ଆସିବା ପରେ ସେ ଦେଶ ଛାଡ଼ି ଜର୍ମାନୀ ଚାଲି ଯାଇଥିଲେ।
ତାଙ୍କ ଘରେ କାମ କରୁଥିବା ଜଣେ ଘରୋଇ ସହକାରୀ ମଧ୍ୟ ପ୍ରଜ୍ଜ୍ୱଳ ରେଭାନ୍ନା ଓ ତାଙ୍କ ବାପା ଏଚ୍‌ଡି ରେଭାନ୍ନାଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଥିଲେ। ଏହାପରେ ଏଚ୍‌ଡି ରେଭାନ୍ନାଙ୍କୁ ଗିରଫ କରାଯାଇଥିଲା।

ad-week
Leave A Reply

Your email address will not be published.