କଣ୍ଟାମାଡି ଅଙ୍ଗନବାଡ଼ି କେନ୍ଦ୍ରରେ ଝୁଲୁଛି ତାଲା,ବାଧାପ୍ରାପ୍ତ ହେଉଛି ଶିଶୁଙ୍କ ପ୍ରାକଶିକ୍ଷା

add-all

ମାଲକାନଗିରି/ ବାଲିମେଳା : ଅନୁସୂଚିତ ଜାତି ଓ ଜନଜାତି ଅଧ୍ୟୁଷିତ ଅଞ୍ଚଳରେ ବସବାସ କରୁଥିବ ପିଲା ମାନଙ୍କର ଶିକ୍ଷାର ବିକାଶ ପାଇଁ ସରକାର ଅନେକ ଯୋଜନା ପ୍ରଣୟନ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ।ସମନ୍ୱିତ ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନରେ ମା’ ଓ ଶିଶୁଙ୍କ ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ମାଲକାନଗିରି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଅଙ୍ଗନବାଡି କେନ୍ଦ୍ର ମଧ୍ୟ ଖୋଲା ଯାଇଛି ।କିନ୍ତୁ ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକରେ ସମନ୍ୱିତ ମହିଳା ଓ ଶିଶୁ ବିକାଶ ଯୋଜନା ଏକ ପ୍ରକାର ଫେଲ ମାରିଛି କହିଲେ ଅତ୍ୟୁକ୍ତି ହେବନାହିଁ ।
ଏହି ବ୍ଲକର ତାରଲାକୋଟା ପଞ୍ଚାୟତ ଅଧିନସ୍ଥ କଣ୍ଟାମାଡି ଗାଁରେ କନ୍ଧ ସମ୍ପ୍ରଦାୟର ପ୍ରାୟ 60ରୁ ଉର୍ଦ୍ଧ ପରିବାର ଦିର୍ଘବର୍ଷ ଧରି ବାସବାସ କରି ଆସୁଛନ୍ତି । ଏହି କଣ୍ଟାମାଡି ଗାଁରେ ଥିବା ଅଙ୍ଗନବାଡି କେନ୍ଦ୍ରରେ ଜୟନ୍ତୀ ସିକଦାର ନାମକ ଜଣେ ଅଙ୍ଗନବାଡି କର୍ମୀ ଏହି କେନ୍ଦ୍ରରେ ଦିର୍ଘବର୍ଷ ଧରି ଅଙ୍ଗନବାଡି କର୍ମୀ ଭାବେ କାର୍ଯ୍ୟ ତୁଲାଉଛନ୍ତି । ଏଠାରେ କାର୍ଯ୍ୟରତ ଥିବା ଅଙ୍ଗନବାଡି କର୍ମୀ ନିଜ କର୍ତ୍ତବ୍ୟରେ ଅବହେଳା କରି ପ୍ରତି ମାସର ଅଧିକାଂଶ ଦିନ ବିଭିନ୍ନ ଆଳ ଦେଖାଇ ଆଦୌ କେନ୍ଦ୍ରକୁ ଆସୁନଥିବା ଯୋଗୁ କଣ୍ଟାମାଡି ଅଙ୍ଗନବାଡି କେନ୍ଦ୍ରରେ ପ୍ରାୟ ଦିନ ତାଲା ଝୁଲୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।ସପ୍ତାହରେ ଥରେ କେଉଁଦିନ କେନ୍ଦ୍ରକୁ ଆସିଲେ ଆଉ ବାକିଦିନ ତାଙ୍କର ଦେଖା ଦର୍ଶନ ମିଳେନି । ଆଜି ଶନିବାର ସକାଳେ ଅଙ୍ଗନବାଡି କର୍ମୀ କେନ୍ଦ୍ରକୁ ଆସିନଥିବାରୁ କେନ୍ଦ୍ରର ତାଲା ପଡିଥିବା ଦେଖି ପାଠ ପଢିବାକୁ ଆସିଥିବା କୋମଳମତି ଶିଶୁମାନେ କେନ୍ଦ୍ର ପିଣ୍ଡାରେ ବହୁ ସମୟ ଧରି ଅପେକ୍ଷା କରିବା ପରେ ଶେଷରେ ସେମାନେ ନିରାଶ ହୋଇ ନିଜ ନିଜ ଘରକୁ ଫେରି ଯାଇଥିଲେ । ଅଙ୍ଗନବାଡି କର୍ମୀ ଶନିବାର ଦିନ କେନ୍ଦ୍ରରେ ପିଲାଙ୍କ ପାଇଁ ରୋଷେଇ କରିବାକୁ ମନା କରିଥିବା ସହାୟିକା ବାଙ୍ଗାରି ଖିଲ କହିଛନ୍ତି ।ଅଙ୍ଗନବାଡି କେନ୍ଦ୍ର ପ୍ରତି ମାସର ଅଧିକାଂଶ ଦିନ ବନ୍ଦ ରହୁଥିବାରୁ କୋମଳମତି ଶିଶୁ ମାନଙ୍କର ଖାଦ୍ୟ ବଣ୍ଟନ ରେ ଅନିୟମିତତା ,ପିଲାଙ୍କୁ ନିୟମିତ ପାଠ ପଢ଼ା ଯାଉନଥିବାରୁ ପିଲାଙ୍କ ପ୍ରାକ ଶିକ୍ଷା ସମ୍ପୂର୍ଣ୍ଣ ଭାବେ ବାଧାପ୍ରାପ୍ତ ହେଉଛି ।ଗର୍ଭବତୀ ମହିଳା ମାନଙ୍କୁ ପୃଷ୍ଟିକର ଓ ସୁଷମ ଖାଦ୍ୟ ବଣ୍ଟନରେ ସମ୍ପୂର୍ଣ ଭାବେ ଅନିୟମିତତା ହେଉଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଗ୍ରାମବାସୀ ବହୁବାର ସମନ୍ୱିତ ମହିଳା ଓ ଶିଶୁ ବିକାଶ ବିଭାଗର ଉପରୋସ୍ଥ କର୍ମଚାର ଓ ବିଭାଗୀୟ ଅଧିକାରୀଙ୍କ ନିକଟରେ ବହୁବାର ଅଭିଯୋଗ କରିବା ପରେବି କେହି କର୍ଣ୍ଣପାତ କରୁନଥିବା ଗ୍ରାମର ଚାଲାଣ ଦାସୁ ଖିଲ, ଅଭି ପାଙ୍ଗି, ଘାସିରାମ ଖିଲ,ବାସୁଦେବ ପାଙ୍ଗି, ଲଇଛନ ଖରା, ଅନୁ ଗୋଲାରୀ, ବନିତା ଗୋଲାରୀ,ଧନେଇ ପାଙ୍ଗି, ଝୁଲାମା ଗୋଲାରୀ, ନିଳାବତୀ ଖରା, ସାରାଇ ଖରା, ମଙ୍ଗଲ ଦେଇ ପାଙ୍ଗି ,ହୀରା ପାଙ୍ଗିଙ୍କ ସମେତ ସମସ୍ତ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଆଜି କେନ୍ଦ୍ରରେ ଛତୁଆ ଓ ଅନ୍ୟାନ୍ୟ ଖଦ୍ୟ ପଦାର୍ଥ ବଣ୍ଟନ କରାଯାଇ ନାହିଁ ।ତେବେ ଗର୍ଭବତୀ ମା’ ଓ ଶିଶୁଙ୍କ ପାଇଁ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ଖାଦ୍ୟ ସାମଗ୍ରୀ ବାଟ ମାରଣା ହେଉଥିବା ନେଇ ଗ୍ରାମବାସୀ ସନ୍ଦେହ ପ୍ରକଟ କରିଛନ୍ତି ।
ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷର ଦାନା ବାନ୍ଧିବାରେ ଲାଗିଛି ।ତେବେ ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଅଧିକାରୀ ତୁରନ୍ତ ଏହି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରି ଦୃଢ଼ ଆଇନ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ନିବେଦନ କରିଛନ୍ତି ।ଏ ସମ୍ପର୍କରେ କୋରୁକୋଣ୍ଡା ସିଡିପିଓ ବିଜୟଲକ୍ଷ୍ମୀ ଶୋଭା ସୁନ୍ଦରଙ୍କୁ ପଚାରିବାରୁ ସେ କହିଲେ ଯେ, ଏହି ଘଟଣାର ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ଏ ସମ୍ପର୍କରେ ଡିଏସଡବ୍ଲୁଓ ଇନ୍ଦିରା ପ୍ରଧାନଙ୍କୁ ପଚାରିବାରୁ ସେ କହିଲେ ଯେ , ଏହି ଘଟଣାର ତଦନ୍ତ କରି ତୁରନ୍ତ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

ad-week
Leave A Reply

Your email address will not be published.