NEET ପରୀକ୍ଷାରେ ନେଇ NTA ମୁଖ୍ୟ ରଖିଲେ ସ୍ପଷ୍ଟୀକରଣ

add-all

ନୂଆଦିଲ୍ଲୀ : ନିଟ ପରୀକ୍ଷାରେ ବ୍ୟାପକ ଅନିୟମିତତା ହୋଇଛି। ହେରଫେର କରି ପରୀକ୍ଷାର୍ଥୀଙ୍କୁ ମାର୍କ ଦିଆଯାଇଛି। ଏଥିପାଇଁ ପୂରା ଦେଶରେ ୬ଟି କେନ୍ଦ୍ରର ୬୭ ଜଣ ପିଲା ୧ନଂ ରାଙ୍କରେ ରହିବା ସହ ସମାନ ମାର୍କ ପାଇଛନ୍ତି। ଏପରି ହେରଫେର ଯୋଗୁ ଯୋଗ୍ୟ ଆଶାୟୀମାନେ ସୁଯୋଗ ପାଇବାରୁ ବଞ୍ଚିତ ହୋଇଛନ୍ତି ବୋଲି ପରୀକ୍ଷାର୍ଥୀମାନେ ଅଭିଯୋଗ କରିବା ପରେ ବିବାଦ ବଢ଼ିଛି।
ବିବାଦ ବଢ଼ୁଥିବାରୁ ଏହା ଉପରେ ତାଳି ପକାଇବାକୁ ଚେଷ୍ଟା କରିଛନ୍ତି ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି(NTA) ମହାନିର୍ଦ୍ଦେଶକ ସୁବୋଧ କୁମାର। ସେ ସମସ୍ତ ପ୍ରକାରର ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଏଥିସହ ପରୀକ୍ଷା ପ୍ରଶ୍ନ ପତ୍ର କୌଣସି ପ୍ରକାରର ଲିକ ହୋଇ ନାହିଁ ବୋଲି ସଫେଇ ଦେଇଛନ୍ତି।
ଗୋଟିଏ ସାମ୍ବାଦିକ ସମ୍ମିଳନୀ କରି ଏନଟିଏ ମୁଖ୍ୟ ଆହୁରି କହିଛନ୍ତି ଯେ ଏଜେନ୍ସିରେ ଥିବା ଅଧିକାରୀମାନେ ସବୁ କଥାକୁ ବିଶ୍ଲେଷଣ କରିଛନ୍ତି ଓ ଜାଣିବାକୁ ପାଇଛନ୍ତି ସବୁ ବିବାଦ/ସମସ୍ୟା କେବଳ ୬ଟି ପରୀକ୍ଷା କେନ୍ଦ୍ରରେ ସୀମିତ।
ନିଟ ପରୀକ୍ଷାର୍ଥୀଙ୍କୁ ମିଳିଥିବା ଗ୍ରେସ ମାର୍କର ରିଭ୍ୟୁ ହୋଇପାରେ। ଶିକ୍ଷା ମନ୍ତ୍ରଣାଳୟ ୧୫ଶହରୁ ଅଧିକ ପିଲାଙ୍କ ପରୀକ୍ଷା ଫଳକୁ ପୁନଃ ଯାଞ୍ଚ ପାଇଁ ଗୋଟିଏ ପ୍ୟାନେଲ ଗଠନ କରିଛି। ତଦନ୍ତ ହେବ। କିନ୍ତୁ ଏହାର ପ୍ରଭାବ ଆଡମିସନ ଉପରେ ପଡ଼ିବ ନାହିଁ ବୋଲି କୁମାର କହିଛନ୍ତି।
ସେ କହିଛନ୍ତି, “ଆମେ ସବୁ କିଛିକୁ ବେଶ ସ୍ୱଚ୍ଛତାର ସହ ବିଶ୍ଲେଷଣ କରିଛୁ ଓ ଏହାପରେ ଫଳାଫଳ ପ୍ରକାଶ ପାଇଛି। ମୋଟ ୪,୭୫୦ ପରୀକ୍ଷା କେନ୍ଦ୍ର ମଧ୍ୟରୁ କେବଳ ୬ଟି କେନ୍ଦ୍ରକୁ ନେଇ ସମସ୍ୟା ଆସିଥିଲା।
୨୪ ଲକ୍ଷ ଆଶାୟୀଙ୍କ ମଧ୍ୟରୁ କେବଳ ୧୬୦୦ ପରୀକ୍ଷାର୍ଥୀ ପ୍ରଭାବିତ ହୋଇଛି। ପରୀକ୍ଷାର ଅଖଣ୍ଡତା ଦେଶର କୌଣସି ବି ସ୍ଥାନରେ ବୁଝାମଣା ହୋଇନାହିଁ। ଆମେ ଆମର ବ୍ୟବସ୍ଥାକୁ ବିଶ୍ଲେଷଣ କରିଛୁ ଓ କୌଣସି ପ୍ରଶ୍ନପତ୍ର ଲିକ୍‌ ହୋଇ ନଥିଲା ବୋଲି ଜାଣିବାକୁ ପାଇଛୁ।
ପରୀକ୍ଷାର୍ଥୀମାନେ ନିର୍ଦ୍ଦିଷ୍ଟ ପ୍ରସଙ୍ଗ ଉଠାଇଛନ୍ତି। ଏହା ଦେଶ କିମ୍ବା ବିଶ୍ୱର ସବୁଠାରୁ ବୃହତ୍ତ ପରୀକ୍ଷା। ଏହି ବୃହତ୍ତ ପରୀକ୍ଷା ଗୋଟିଏ ଥରରେ ହୋଇଥାଏ। ୨୪ ଲକ୍ଷ ପିଲା ୪,୭୫୦ଟି କେନ୍ଦ୍ରରେ ପରୀକ୍ଷା ଦେଇଛନ୍ତି।
କେବଳ ୬ଟି କେନ୍ଦ୍ରର ୧୬ଶହ ପରୀକ୍ଷାର୍ଥୀ ପ୍ରଭାବିତ ହୋଇଛନ୍ତି। ଭୁଲ ପ୍ରଶ୍ନପତ୍ର ବଣ୍ଟନ ଯୋଗୁ ଏପରି ହୋଇଛି। ପରୀକ୍ଷାର୍ଥୀମାନେ ଅଭିଯୋଗ କରିଛନ୍ତି ସେମାନଙ୍କୁ କମ ସମୟ ମିଳିଥିଲା।
ଆମେ ହାଇକୋର୍ଟଙ୍କୁ କହି ସାରିଛୁ ଯେ ବିଶେଷଜ୍ଞମାନଙ୍କୁ ନେଇ ଗୋଟିଏ ଅଭିଯୋଗ କମିଟି ଗଠନ କରାଯାଇଛି। ଏହି କମିଟି କେତେ ସମୟ ନଷ୍ଟ ହୋଇଛି, ପରୀକ୍ଷା କେନ୍ଦ୍ରରୁ ଆସିଥିବା ରିପୋର୍ଟ ଓ ସିସିଟିଭିର ଯାଞ୍ଚ କରିବ।”
ନିଟର ଅନେକ ଆଶାୟୀ ଅଭିଯୋଗ କରିଛନ୍ତି ଯେ ମାର୍କ ଦେବାରେ ହେରଫେର କରାଯାଇଛି। ଏଥିପାଇଁ ସମାନ ୬ଟି କେନ୍ଦ୍ରର ୬୭ ଜଣ ପିଲା ରାଙ୍କ ୧ରେ ରହିଛନ୍ତି। ସେମାନଙ୍କ ମାର୍କ ମଧ୍ୟ ସମାନ।

ad-week
Leave A Reply

Your email address will not be published.