୫ଟି ନାଆଁରେ ଓଡ଼ିଶାରେ ଯେଉଁ ଲୁଟ୍ ହୋଇଛି, ତାର ହିସାବ ମାଗିବୁ: ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ

add-all

ବରଗଡ଼ : ବିଜେଡିର ତଥାକଥିତ ଦ୍ୱିତୀୟ କ୍ଷମତା ଭି.କେ ପାଣ୍ଡିଆନ୍‌ ସନ୍ନ୍ୟାସ ନେଇପାରିବେ ନାହିଁ। ଓଡ଼ିଶା ଛାଡ଼ି ଯାଇପାରିବେ ନାହିଁ। ତାଙ୍କୁ ୨୪ ବର୍ଷର ହିସାବ ଦେବାକୁ ପଡ଼ିବ। ଆଜି ଏପରି କହିଛନ୍ତି ଚାଷୀ ନେତା ତଥା ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ।
ଆଜି ଅତାବିରାରେ ରାଜ୍ୟ କୃଷକ ସଂଗଠନ ପକ୍ଷରୁ ଆୟୋଜିତ ହୋଇଥିଲା ସମ୍ବର୍ଦ୍ଧନା ସଭା। ଏଥିରେ ସାମିଲ୍ ହୋଇଥିଲେ ସାଂସଦ ପ୍ରଦୀପ ପୁରୋହିତ ଓ ଅତାବିରା ବିଧାୟକ ନିହାର ମହାନନ୍ଦ। କୃଷକ ସଙ୍ଗଠନ ପକ୍ଷରୁ ଉଭୟଙ୍କୁ ସମ୍ୱର୍ଦ୍ଧନା ଦିଆଯାଇଥିଲା। ଚାଷୀଙ୍କୁ ଉଦ୍‌ବୋଧନ ଦେବା ବେଳେ ଶ୍ରୀ ପୁରୋହିତ କହିଛନ୍ତି, ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ୨୪ ବର୍ଷ ଧରି ଓଡ଼ିଶାରେ ଶାସନ ଚାଲିଥିଲା। ସରକାର ଚଳାଇବା ପାଇଁ ବିଜେଡି ପାଖରେ ପଇସା ନଥିଲା। ଓଡ଼ିଶାର ଗରିବ ଲୋକଙ୍କ ପଇସାରେ ଏ ସରକାର ଚାଲୁଥିଲା। ହେଲେ ୨୪ ବର୍ଷ ଭିତରେ ଖଣି ଖାଦାନ ଲୁଟ୍‌ କରି 5-T ମାଧ୍ୟମରେ ଶହଶହ କୋଟି ଟଙ୍କା ରଜକୋଷରୁ ନେଇଗଲେ। ବିଜେପି ସରକାର ପ୍ରତି ବିଭାଗରେ ତାହାର ହିସାବ କରାଯିବ। କେତେ ଟଙ୍କା ଏମାନେ ରାଜକୋଷରୁ ଉଠାଇଛନ୍ତି ଓ ଖର୍ଚ୍ଚ କରିଛନ୍ତି? ପିସିରୁ କେତେ ଟଙ୍କା ଲୁଟ୍‌ କରିଛନ୍ତି? ଖଣି ଖାଦାନର ସମ୍ପତ୍ତି କେତେ ଲୁଟ୍‌ କରିଛନ୍ତି? ସବୁ ହିସାବ କରାଯିବ। ଯେଉଁମାନେ ଦୋଷୀ ହେବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦରକାର ପଡ଼ିଲେ ଜେଲ୍‌ ଯିବେ ବୋଲି ଶ୍ରୀ ପୁରୋହିତ କହିଛନ୍ତି।
ସେ ଆହୁରି କହିଛନ୍ତି, ଭି.କେ ପାଣ୍ଡିଆନ୍‌ ସନ୍ନ୍ୟାସ ଯାଇପାରିବେ ନାହିଁ। ଭୟଭୀତ ଥିଲେ ବୋଲି ନିର୍ବାଚନ ସମୟରେ ସନ୍ନ୍ୟାସ ନେବେ ବୋଲି କହୁଥିଲେ। ସେମାନେ ଭାବୁଛନ୍ତି ସନ୍ନ୍ୟାସ ନେଇଗଲେ, ତାଙ୍କୁ କେହି ଦେଖିବେ ନାହିଁ। ସେମାନଙ୍କୁ ୨୪ ବର୍ଷର ହିସାବ ଦେବାକୁ ପଡ଼ିବ। ଓଡ଼ିଶା ଛାଡ଼ି ଯାଇପାରିବେ ନାହିଁ ବୋଲି ସେ କହିଛନ୍ତି।
ସେପଟେ ଅତାବିରା ଆରଏମସି ମାର୍କେଟ ୟାର୍ଡରେ କିପରି ଧାନ କିଣାବିକା ଚାଲିଛି ତା’ର ସ୍ଥିତି ସମୀକ୍ଷା କରିଛନ୍ତି ସାଂସଦ ପ୍ରଦୀପ ପୁରୋହିତ ଓ ବିଧାୟକ ନିହାର ମହାନନ୍ଦ। ଏଥିସହ ଉଭୟ ନେତା ଚାଷୀଙ୍କ ସମସ୍ୟାକୁ ନେଇ ଅତାବିରା ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ଡୋଲାମଣି ପୁରୋହିତଙ୍କ ସହ ଆଲାଚନା କରିଛନ୍ତି। ମଣ୍ଡିରେ ପଡ଼ି ରହିଥିବା ଧାନକୁ ଅତିଶୀଘ୍ର ଉଠାଇବାକୁ ନିର୍ଦ୍ଦେଶ ଦେଉଛନ୍ତି।

ad-week
Leave A Reply

Your email address will not be published.