ଗାଡ଼ିରୁ ତେଲ ସରିଯିବାରୁ ସାଙ୍ଗଙ୍କୁ ମାରିଦେଲେ

add-all

ଭୁବନେଶ୍ୱର : ଚନ୍ଦକା ଥାନା ଅନ୍ତର୍ଗତ ପାଞ୍ଚମାଣିଆ ଜଙ୍ଗଲରେ ଡିପ୍ଲୋମା ଛାତ୍ର ସୁଶାନ୍ତ କୁମାର ଟୁଡୁଙ୍କୁ ହତ୍ୟା କରି ଫିଙ୍ଗିଦେବା ଘଟଣାର ପର୍ଦ୍ଦାଫାଶ ହୋଇଛି। ଗାଡିରୁ ତେଲ ସରିଯିବା ଓ ଏଥିପାଇଁ ଟଙ୍କା ମାଗିବାରୁ ପ୍ରଥମେ ବଚସା ପରେ ଉତ୍‌କ୍ଷିପ୍ତ ହୋଇ ସୁଶାନ୍ତଙ୍କୁ ଗାମୁଛାରେ ହତ୍ୟା କରିଥିଲେ ତାଙ୍କର ଦୁଇ ଗାଁ ସାଙ୍ଗ। ଏ ସମ୍ପର୍କରେ ସୂଚନା ଦେଇ ଅତିରିକ୍ତ ଡିସିପି ସୁରେଶ ଚନ୍ଦ୍ର ପାତ୍ର କହିଛନ୍ତି, ସୁଶାନ୍ତଙ୍କ ହତ୍ୟା ମାମଲାରେ ସମ୍ପୃକ୍ତ ୨ ସାଙ୍ଗଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନ ମିଳିବାରୁ ଉଭୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସେମାନେ ହେଲେ ବାରଙ୍ଗ ଦାଢାପାଟଣା ଗାଁର ରାଜେନ୍ଦ୍ର ହାଁସଦା ଓରଫ ପୁଟୁ ଏବଂ ମୋହନ ମାରାଣ୍ଡି ଓରଫ ଚାମୁଣ୍ଡା। ଅଭିଯୁକ୍ତଦ୍ୱୟଙ୍କଠାରୁ ଏକ ସ୍କୁଟି, ପକେଟ ଚିରା ହୋଇଥିବା ଶାର୍ଟ ଓ ୨ଟି ମୋବାଇଲ ଫୋନ୍‌ ଜବତ କରାଯାଇଛି। ଅଭିଯୁକ୍ତଦ୍ୱୟଙ୍କ ମଧ୍ୟରୁ ଜଣେ ଡ୍ରାଇଭର ଥିବାବେଳେ ଆଉ ଜଣେ ଗାଁରେ ରହି ଛୋଟ ମୋଟ କାମ କରୁଥିବା ଅତିରିକ୍ତ ଡିସିପି ପାତ୍ର ସୂଚନା ଦେଇଛନ୍ତି।
ସୁଶାନ୍ତ ହେଉଛନ୍ତି ନାଳନ୍ଦା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିର ଡିପ୍ଲୋମା ଛାତ୍ର। ଗତ ୧୧ ତାରିଖ ଦିନ ସୁଶାନ୍ତ ନିଜ ସ୍କୁଟିରେ ତାଙ୍କର ଦୁଇ ଗାଁ ସାଙ୍ଗ ରାଜେନ୍ଦ୍ର ଓ ମୋହନଙ୍କ ସହ ଚୁଡ଼ଙ୍ଗଗଡକୁ ମଦ ପିଇବାକୁ ଯାଇଥିଲେ। ମଦ ପିଇ ଫେରୁଥିବାବେଳେ ପାଞ୍ଚମାଣିଆ ଜଙ୍ଗଲ ପାଖରେ ଗାଡିରୁ ତେଲ ସରିଯାଇଥିଲା। ଏହାପରେ ସୁଶାନ୍ତ ତେଲ ବାବଦକୁ ୫୦ ଟଙ୍କା ମାଗିଥିଲେ। ହେଲେ ଅଭିଯୁକ୍ତଦ୍ୱୟ ମଦ ପିଇବାକୁ ଟଙ୍କା ଦେଇଛୁ, ଆଉ ଦେବୁନୁ ବୋଲି କହିଥିଲେ। ଗାଡିରେ କାହିଁକି ତେଲ ରଖିନାହୁଁ ବୋଲି ସୁଶାନ୍ତଙ୍କୁ ପଚାରିଥିଲେ ଅଭିଯୁକ୍ତଦ୍ୱୟ। ଏହାକୁ ନେଇ ରାସ୍ତାରେ ପାଟିତୁଣ୍ଡ ହେବାରୁ ଅଭିଯୁକ୍ତଦ୍ୱୟ ଉତ୍ତ୍ୟକ୍ତ ହୋଇ ସୁଶାନ୍ତଙ୍କ ବେକକୁ ଏକ ଗାମୁଛାରେ ଚିପି ଦେଇଥିଲେ। ଫଳରେ ଶ୍ୱାସରୁଦ୍ଧ ହୋଇ ସୁଶାନ୍ତ ଅଚେତ ହୋଇପଡିଥିଲେ। ଏହାପରେ ସୁଶାନ୍ତ ମରିଯାଇଥିବା ଜାଣି ଭୟରେ ତାଙ୍କ ମୃତଦେହକୁ ପାଞ୍ଚମାଣିଆ ଜଙ୍ଗଲ ଭିତରେ ଫୋପାଡି ଦେଇଥିଲେ। ଅଭିଯୁକ୍ତମାନେ ସୁଶାନ୍ତଙ୍କ ବେକକୁ ଚିପି ଧରିଥିବାବେଳେ ସେ ଛଟପଟ ହୋଇ ଅଭିଯୁକ୍ତ ରାଜେନ୍ଦ୍ରଙ୍କ ଶାର୍ଟ ପକେଟକୁ ଚିରି ଦେଇଥିଲେ। ଉକ୍ତ ଚିରା ପକେଟ ହିଁ ଘଟଣାସ୍ଥଳରେ ପଡିଥିଲା।
ଘଟଣା ପରେ ଉଭୟ ଅଭିଯୁକ୍ତ ସ୍କୁଟିକୁ ଗଡ଼ାଇ ଆଣି ନିକଟରେ ରହୁଥିବା ଜଣେ ବ୍ୟକ୍ତିଙ୍କ ଘରେ ରଖି ଗାଁକୁ ପଳାଇଥିଲେ। ଏପଟେ ସୁଶାନ୍ତ ଘରକୁ ନ ଆସିବାରୁ ପରିବାର ଲୋକେ ୧୨ ତାରିଖରେ ଅଭିଯୁକ୍ତଦ୍ୱୟଙ୍କୁ ପଚାରିବାରୁ ସେମାନେ କିଛି ଜାଣି ନ ଥିବା କହିଥିଲେ। ମୃତଦେହରୁ ଦୁର୍ଗନ୍ଧ ହେବାରୁ ଆଖପାଖର ଲୋକେ ସେଠାରେ ପହଞ୍ଚତ୍ ଥାନାକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳକୁ ଯାଇ ଛାନ୍‌ଭିନ୍‌ କରିବା ସହ ଏହା ଏକ ହତ୍ୟାକାଣ୍ଡ ବୋଲି ଜାଣିବାକୁ ପାଇଥିଲା। ଏନେଇ ମୃତ ସୁଶାନ୍ତଙ୍କ ବାପାଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ହତ୍ୟା ମାମଲା (ନଂ.୨୨୧/୨୦୨୪) ରୁଜୁ କରି ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ତଦନ୍ତ ଆରମ୍ଭ କରିଥିଲା। ତେବେ ତଦନ୍ତବେଳେ ସୁଶାନ୍ତଙ୍କ ସହ ଯାଇଥିବା ଦୁଇ ଅଭିଯୁକ୍ତ ରାଜେନ୍ଦ୍ର ଓ ମୋହନଙ୍କୁ ପଚାରଉଚରାବେଳେ ଉଭୟ ହତ୍ୟା କରିଥିବା ପୋଲିସ ଆଗରେ ସ୍ବୀକାର କରିଥିଲେ।

ad-week
Leave A Reply

Your email address will not be published.