ଆଗକୁ ବଢ଼ୁଛି ମୌସୁମୀ ବାୟୁ, ତଥାପି ଆଗାମୀ ୨ ଦିନ ନିସ୍ତାର ନାହିଁ

add-all

ଭୁବନେଶ୍ବର : ଅଗ୍ରସର ହୋଇଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ। ପୂର୍ବରୁ କେବଳ ମାଲକାନଗିରି ଜିଲ୍ଲାକୁ ମୌସୁମୀ ଛୁଇଁଥିବା ବେଳେ ଏବେ କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲ୍ଲାର କିଛି ଅଞ୍ଚଳକୁ ପ୍ରବେଶ କରିଛି। ଆସନ୍ତା ୩ ଦିନ ଭିତରେ ରାଜ୍ୟର ଆଉ କିଛି ଅଞ୍ଚଳକୁ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ।
ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି, ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା ୫ ଦିନ ଯାଏଁ ବର୍ଷାର ପ୍ରଭାବ ରହିବ। ବିଜୁଳି, ଘଡ଼ଘଡ଼ି ସହିତ ବର୍ଷା ହେବ। ପବନ ବି ହେବ। ପବନର ବେଗ ଘଣ୍ଟା ପ୍ରତି ୩୦ରୁ ୪୦ କିମି ରହିବ। ଆଗାମୀ ୨୪ ଘଣ୍ଟା ଭିତରେ କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ୨୧ ତାରିଖଠାରୁ ବର୍ଷାର ବଢ଼ିବାର ସମ୍ଭାବନା ରହିଛି। ୨୧,୨୨ ଓ ୨୩ ତାରିଖରେ ଅନେକ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହିତ ବର୍ଷା ହେବ। ତା’ସହିତ ପବନ ମଧ୍ୟ ହେବ। ଏବଂ ୨୨ ତାରିଖ ବର୍ଷାର ବିସ୍ତୃତି ବଢିବା ନେଇ କହିଛି ପାଣିପାଗ ବିଭାଗ।
ଅନ୍ୟପକ୍ଷରେ ଉପକୂଳ, ଉତ୍ତର ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ଜାରି ରହିବ ଗୁଳୁଗୁଳି। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଗୁଳୁଗୁଳି ଅଧିକ ହେବା ନେଇ କହିଛି ବିଭାଗ। ତା’ପରେ ଗୁଳୁଗୁଳି କମିବାର ସମ୍ଭାବନା ରହିଛି। ଆଗାମୀ ୩ ଦିନ ପର୍ଯ୍ୟନ୍ତ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲ୍‌ସିୟସ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି ବୋଲି କହିଛନ୍ତି ମନୋରମା ମହାନ୍ତି।

ad-week
Leave A Reply

Your email address will not be published.