ଆଗାମୀ ୩ରୁ ୪ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ଓଡ଼ିଶାକୁ ଛୁଇଁବ ମୌସୁମୀ

add-all

ଭୁବନେଶ୍ବର: ଗତ ୨୪ ଘଣ୍ଟାରେ ବୌଦ୍ଧ ରେ ସର୍ବାଧିକ ୧୦.୮ ସେମି ବର୍ଷା ରେକର୍ଡ କରାଯାଇଛି। ସେହିଭଳି ୮ ସହରରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ଆଗାମୀ ୫ ଦିନ ଯାଏଁ ଲାଗି ରହିବ ବର୍ଷା ଘଡଘଡି। ଆସନ୍ତା ୨୪ ଘଣ୍ଟାରେ ବିଜୁଳି ଘଡ଼ଘଟି ସହ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର।
ପାଣିପାଗ ବିଜ୍ଞାନ କେନ୍ଦ୍ରର ଆଞ୍ଚଳିକ ନିର୍ଦ୍ଦେଶିକା ମନୋରମ ମହାନ୍ତିଙ୍କ ସୂଚନା ଅନୁଯାୟୀ, ଆସନ୍ତାକାଲି ଅର୍ଥାତ୍ ୨୩ ଆଉ ୨୪ ତାରିଖରେ ରାଜ୍ୟରେ କମିବ ବର୍ଷା। ପୁଣି ୨୫ ରୁ ବଢିବ ବର୍ଷା। ୨୬ ରେ ଗୋଟେ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷକରି କଳାହାଣ୍ଡି , ରାୟଗଡ଼ା , ଗଜପତି କନ୍ଧମାଳ ଓ ଗଞ୍ଜାମର କିଛି କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ ବୋଲି ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର।
ଆଗାମୀ ୪ ଦିନ ପାଇଁ ବିଜୁଳି ଘଡଘଡି ପାଇଁ ସତର୍କ ସୂଚନା ଦିଆଯାଇଛି । ଉପକୂଳ ଓଡ଼ିଶା ସମେତ ବଲାଙ୍ଗୀର , ନୂଆପଡ଼ା , ସୋନପୁର ଆଦି ଜିଲ୍ଲାର କିଛି କିଛି ସ୍ଥାନରେ ଘଡଘଡି ବିଜୁଳି ମାରିବାର ସମ୍ଭାବନା ରହିଛି। ଏଣୁ ସତର୍କ ସୂଚନା ଦେଇଛି ପାଣିପାଗ ବିଜ୍ଞାନ କେନ୍ଦ୍ର।
ରାଜ୍ୟରେ ପ୍ରାୟ ସବୁ ଜିଲ୍ଲାକୁ ଛୁଇଁଛି ମୌସୁମୀ। ଏବେର ସୂଚନା ଅନୁସାରେ ସୁନ୍ଦରଗଡ଼ , ଝାରସୁଗୁଡ଼ା , ମୟୂରଭଞ୍ଜ , କେଉଁଝର ଓ ବାଲେଶ୍ଵରର କିଛି ଅଞ୍ଚଳରେ ପହଞ୍ଚିନି ମୌସୁମୀ । ମୌସୁମୀ ପାଇଁ ଏବେ ପାଗ ଅନୁକୂଳ ରହିଛି। ଆଗାମୀ ୩ ରୁ ୪ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ଓଡ଼ିଶାକୁ ଛୁଇଁବ ମୌସୁମୀ।
ଏବେ କମିଛି ଗୁଳୁଗୁଳି। ଉତ୍ତର ଉପକୂଳ ଓଡ଼ିଶାରେ ସର୍ବାଧିକ ୩୦ ଡିଗ୍ରୀ ଭଳି ତାପମାତ୍ରା ରେକର୍ଡ ହେଉଛି। ସେହିଭଳି ଦକ୍ଷିଣ ଉପକୂଳ ଓଡ଼ିଶାରେ ପ୍ରାୟ ୨୮ ରୁ ୩୦ ଡିଗ୍ରୀ ତାପମାତ୍ରା ଦେଖିବାକୁ ମିଳୁଛି। କିନ୍ତୁ ଆଗକୁ ୨ ରୁ ୩ ଡିଗ୍ରୀ ଭଳି ବଢିପାରେ ତାପମାତ୍ରା।

ad-week
Leave A Reply

Your email address will not be published.