କେନିଆରେ ଗୃହଯୁଦ୍ଧ ପରିସ୍ଥିତି, ସଂସଦରେ ପଶିଲେ ହଜାର ହଜାର ଲୋକ, ପୁଲିସ ଗୁଳିରେ ୧୦ ମୃତ

add-all

ନାଇରୋବି: ଆଫ୍ରିକୀୟ ଦେଶ କେନିଆରେ ଟିକସ ବୃଦ୍ଧିକୁ ବିରୋଧ କରି ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି। ଏପରିକି ସଂସଦରେ ମଧ୍ୟ ଏହାକୁ ନେଇ ହଙ୍ଗାମା ଜାରି ରହିଛି। ଲୋକଙ୍କ ବିକ୍ଷୋଭ ଧୀରେ ଧୀରେ ହିଂସାତ୍ମକ ହେବା ସହ ଅନେକ ସ୍ଥାନରେ ଜଳାପୋଡ଼ା ଦେଖିବାକୁ ମିଳିଛି। ରାଜଧାନୀ ନାଇରୋବିରେ ବିକ୍ଷୋଭକାରୀଙ୍କୁ ଦମନ କରିବା ପାଇଁ ପୁଲିସ ଗୁଳି ଚଳାଇବାରୁ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନେକ ଲୋକ ଆହତ ହୋଇଥିବା କୁହାଯାଉଛି। ବିକ୍ଷୋଭକାରୀମାନେ ଏହି ବିଲ୍ କୁ ବିରୋଧ କରୁଛନ୍ତି ଯାହା କାର୍ଯ୍ୟକାରୀ ହେବା ପରେ ଅନେକ ପ୍ରକାର ଟିକସ ବୃଦ୍ଧି ପାଇବ।
ଅନ୍ତର୍ଜାତୀୟ ଗଣମାଧ୍ୟମ ଅନୁଯାୟୀ ବିକ୍ଷୋଭକାରୀମାନେ କେନିଆ ସଂସଦର କିଛି ଅଂଶରେ ନିଆଁ ଲଗାଇ ଦେଇଛନ୍ତି। ସଂସଦର ସୁରକ୍ଷାରେ ଥିବା ପୁଲିସ କର୍ମଚାରୀଙ୍କ ଉପରେ ବି ବିକ୍ଷୋଭକାରୀମାନେ ଆକ୍ରମଣ କରିଥିଲେ ଓ ପଥରମାଡ଼ କରିଥିଲେ । ଏହା ପରେ ପୁଲିସ ସେମାନଙ୍କ ଉପରେ ଲାଠିମାଡ଼ କରିଥିଲା । ସେଥିରେ ଲୋକମାନେ ନିୟନ୍ତ୍ରଣକୁ ନ ଆସିବାରୁ ପୁଲିସ ବାଧ୍ୟ ହୋଇ ଗୁଳି ଚଳାଇଥିଲା । ଏହା ସତ୍ତ୍ବେ ହଜାର ହଜାର ବିକ୍ଷୋଭକାରୀ ସଂସଦରେ ପ୍ରବେଶ କରିଛନ୍ତି। ଏହି ଆକ୍ରମଣକୁ ଦୃଷ୍ଟିରେ ରଖି ସେଠାକାର ସାଂସଦମାନେ ଗୃହ ଖାଲି କରିଦେଇଛନ୍ତି ।
କେନିଆ ସରକାର ଏକ ବିବାଦୀୟ ଫାଇନାନ୍ସ ବିଲକୁ ଅନୁମୋଦନ କରିଛନ୍ତି, ଯାହା କାର୍ଯ୍ୟକାରୀ ହେଲେ ଦେଶରେ ଟିକସ ବୃଦ୍ଧି ପାଇବ। ଦେଶ ଉପରେ ପ୍ରବଳ ଋଣର ବୋଝ କମାଇବାକୁ ଚାହୁଁଛନ୍ତି ବୋଲି ସରକାର କହିଛନ୍ତି। ଏହି ଟିକସ ଜରିଆରେ ସରକାର ଅତିରିକ୍ତ ୨.୭ ବିଲିୟନ ଡଲାର ସଂଗ୍ରହ କରିବାକୁ ଚାହୁଁଛନ୍ତି ।

ad-week
Leave A Reply

Your email address will not be published.