ସରକାର କିଣିଲେନି, ବେପାରୀ ନେଉନାହାନ୍ତି: ଚିନ୍ତାରେ ଚିନାବାଦାମ ଚାଷୀ

add-all

ବାଲିକୁଦା: ବଡ଼ଚଣା ବ୍ଲକ ବିରୂପା ଗେଙ୍ଗୁଟି ଓ କେଲୁଅ ଅବବାହିକାର ଚିନାବାଦାମ ଚାଷୀ ଏବେ ଚିନ୍ତାରେ। କାରଣ ସେମାନଙ୍କ ଉତ୍ପାଦିତ ଚିନାବାଦାମ ଏବେ ଘରେ ଭାଡ଼ିରେ ଥାକ ମରାଯାଇଛି। ସରକାର କିଣୁନାହାନ୍ତି କି କିଣିବାକୁ ବେପାରୀ ମଧ୍ୟ ନାହାନ୍ତି। ଦର ଏତେ ନୀଚ୍ଚା ଯେ ବିକିଲେ କ୍ଷତି ହିଁ କ୍ଷତି। ସାଉଡ଼ିଆ, ବରପଦା, ବଡ଼ବାଲିକୁଦା, ଓ ମଝିପଡ଼ା ପଞ୍ଚାୟତର ଚାଷୀମାନେ ଅମଳ କରିଥିବା ଚିନାବାଦାମ ଘରେ ଥାକ ମାରି ରଖିଛନ୍ତି। ଏଣେ ଧାରଉଧାର ତଥା କରଜ ଶୁଝିବାକୁ ବାକି ରହିଛି। ଏବେ ବର୍ଷାଦିନ ଥିବାରୁ ଅଧିକ ଦିନ ଚିନାବାଦାମ ରଖିବାର ବ୍ୟବସ୍ଥା ମଧ୍ୟ ନାହିଁ।
ଏହି ଅଞ୍ଚଳର ବାଲିଆ ଦୋରସା ମାଟିରେ ବହୁଳ ପରିମାଣର ଚିନାବାଦାମ ଚାଷ ହୋଇଥାଏ। ନଭେମ୍ୱର ମାସରେ ଚିନାବାଦାମ ଲଗାଯାଇ ଫେବ୍ରୁଆରି ମାସରେ ଅମଳ ହୋଇଥାଏ। ଚଳିତ ବର୍ଷ ସରକାର ସବସିଡିରେ ବିହନ ଯୋଗାଇ ଦେଲେ ନାହିଁ। ବାଧ୍ୟହୋଇ ଚାଷୀ ଖୋଲା ବଜାରରୁ ଚଢ଼ାଦରରେ ଅର୍ଥାତ୍ କୁଇଣ୍ଟାଲ ପିଛା ୧୨ ହଜାର ଟଙ୍କାରେ କିଣି ଚାଷ କରିଥିଲେ। ଅମଳ ସମୟରେ କୁଇଣ୍ଟାଲ ୬ ହଜାରରୁ ୬,୫୦୦ ମଧ୍ୟରେ ଥିଲା। କିଛି ଚାଷୀ ଏହି ଦରରେ ବିକିଦେଲେ। ପରେ ଦାମ୍‌ ବଢ଼ିବା ଆଶାରେ ଅଧିକାଂଶ ଚାଷୀ ଚିନାବାଦାମ ରଖି ଦେଇଥିଲେ। ଦାମ୍‌ ବଢ଼ିବ କ’ଣ ଏବେ ଦର ଦେଖି ସେମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି।
ଏଭଳି ସ୍ଥିତି ହୋଇଛି ଯେ ଚିନାବାଦାମ କେହି ନେଉନାହାନ୍ତି। ରାଜ୍ୟ ଓ ରାଜ୍ୟ ବାହାରେ ନୂଆ ଚିନାବାଦାମ ଉତ୍ପାଦନ ହୋଇଥିବାରୁ ବଜାରରେ ତା’ର ଚାହିଦା ରହିଛି। ପୁରୁଣା ମଞ୍ଜିର ଚାହିଦା କମିଯାଇଛି ବୋଲି ବ୍ୟବସାୟୀ କହୁଛନ୍ତି। ବ୍ରହ୍ମବରଦା, ସୁଜନପୁର ଓ କୁଆଖିଆର ବଡ଼ ବ୍ୟବସାୟୀମାନେ ସାଧାରଣତଃ ସ୍ଥାନୀୟ ଚିନାବାଦାମ କିଣି ମଞ୍ଜି ବାହାର କରି ରାଜ୍ୟ ତଥା ରାଜ୍ୟ ବାହାରକୁ ଚାଲାଣ କରିଥାନ୍ତି। ବାହାରେ ଚାହିଦା ନଥିବାରୁ ସେମାନେ କିଣିବାକୁ ଆଗ୍ରହ‌ ପ୍ରକାଶ କରୁନାହାନ୍ତି। ବର୍ଷାଦିନେ ଲଗାଣ ବର୍ଷା ଆରମ୍ଭ ହେଲେ ପୋକ ଖୋଳପା ମଧ୍ୟ ଦେଇ ପ୍ରବେଶ କରି ମଞ୍ଜିକୁ ନଷ୍ଟ କରିଦେବେ। ମଞ୍ଜିର ରଙ୍ଗ ମଧ୍ୟ ବଦଳିଯିବ। ମାଗଣାରେ ଦେଲେ ମଧ୍ୟ ଆଉ କେହି ନେବେନି ବୋଲି ଚାଷୀମାନେ କହୁଛନ୍ତି।
ସରକାର ଚିନାବାଦାମର ସର୍ବନିମ୍ନ ସହାୟକ ମୂଲ୍ୟ ୬,୫୦୦ ଟଙ୍କା ନିର୍ଦ୍ଧାରଣ କରିଥିଲେ ମଧ୍ୟ ଏଠାରେ ମଣ୍ଡି ନାହିଁ। ନିଆଳି ଗ୍ରାମର ସଚ୍ଚିଦାନନ୍ଦ ଜେନାଙ୍କର ୧୧୦ କୁଇଣ୍ଟାଲ, ଗଗନ ଜେନାଙ୍କ ୫୦ କୁଇଣ୍ଟାଲ, ବାବାଜୀ ଜେନାଙ୍କର ୨୦ କୁଇଣ୍ଟାଲ, ପ୍ରଶାନ୍ତ ନାୟକଙ୍କ ୨୫ କୁଇଣ୍ଟାଲ, ଗୋପାଳ ମଲିକଙ୍କ ୨୦ କୁଇଣ୍ଟାଲ, ଅନନ୍ତ ଜେନା ଓ ଅଞ୍ଜନ ସୁନ୍ଦରରାୟଙ୍କ ୧୦ କୁଇଣ୍ଟାଲ ବାଦାମ ଘରେ ଥାକ ମରାହାଇ ରହିଛି। ବାଲିକୁଦା, ତାଳୁଆ, ସାଉଡ଼ିଆ, ନାରାୟଣପୁର, ବରପଦା, ବଡ଼ବାଲିକୁଦା, ଜନକ, ବନମାଳୀପୁର ଓ ମଝିପଡ଼ା ଗ୍ରାମର ଚାଷୀମାନଙ୍କ ଘରେ ଶହଶହ କୁଇଣ୍ଟାଲ ଚିନାବାଦାମ ବିକ୍ରି ପାଇଁ ରହିଛି। ସରକାର ଯଥାଶୀଘ୍ର କିଣିବାର ବ୍ୟବସ୍ଥା କରିବାକୁ ଚାଷୀମାନେ ଦାବି କରିଛନ୍ତି।

ad-week
Leave A Reply

Your email address will not be published.