ଋଣ ପରିଶୋଧ ପାଇଁ ବିକିଲେ କିଡନୀ, ୩୦ ଲକ୍ଷ ଟଙ୍କା ବଦଳରେ ମିଳିଲା ୧ ଲକ୍ଷ

add-all

ନୂଆଦିଲ୍ଲୀ : ଋଣ ପରିଶୋଧ ପାଇଁ କିଡନୀ ବିକ୍ରି କରିଥିବା ଜଣେ ଅଟୋ ଡ୍ରାଇଭର ଠକାମିର ଶିକାର। କିଡନୀ ବଦଳରେ ୩୦ ଲକ୍ଷ ଟଙ୍କା ଦେବାକୁ ଡିଲ୍ ହେବା ପରେ ତାଙ୍କୁ ମାତ୍ର ଏକ ଲକ୍ଷ ୧୦ ହଜାର ଟଙ୍କା ଦିଆ ଯାଇଥିବା ଅଭିଯୋଗ ହୋଇଛି। ଠକାମିର ଶିକାର ହେବା ପରେ ଏନେଇ ସେ ପୁଲିସରେ ଅଭିଯୋଗ କରିଛନ୍ତି, ଯାହା ପରେ ପୂରା ଘଟଣା ସାମ୍ନାକୁ ଆସିଛି।
ସୂଚନା ଅନୁସାରେ, ମଧୁବାବୁ ଗାର୍ଲାପତି ମୋବାଇଲ ଆପ୍ ଜରିଆରେ ଋଣ କରିବା ସହ ଅନେକ ଲୋକଙ୍କଠାରୁ ଧାର କରଜ ମଧ୍ୟ କରିଥିଲେ। ଋଣ ଭାର ଚିନ୍ତାରେ ଥିବାବେଳେ ସେ ଫେସବୁକରେ ଏକ ବିଜ୍ଞାପନ ଦେଖିଥିଲେ। ଏହି ବିଜ୍ଞାପନରେ କିଡନୀ ଦାନ ବଦଳରେ ଯଥେଷ୍ଟ ରୋଜଗାର କରିପାରିବେ ବୋଲି କୁହାଯାଇଥିଲା। ଏହାପରେ ସେ ବିଜ୍ଞାପନ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ସହ ଯୋଗାଯୋଗ କରିଥିଲେ।
ପରେ ବିଜୟୱାଡାର ଜଣେ ବ୍ୟକ୍ତି ମଧୁବାବୁଙ୍କ ସହ ଯୋଗାଯୋଗ କରି କିଡନୀ ଦାନ ଏବଂ ଏହା ବଦଳରେ ତାଙ୍କୁ ୩୦ ଲକ୍ଷ ଟଙ୍କା ଦିଆଯିବ ବୋଲି କହିଥିଲେ। ଯେଉଁ ବ୍ୟକ୍ତି କିଡନୀ ଗ୍ରହଣ କରିଥିଲେ ସେମାନଙ୍କ ସହ ମଧ୍ୟ ପରିଚିତ କରାଇଥିଲେ।
କିନ୍ତୁ କିଡନୀ ଦାନ ପରେ ତାଙ୍କୁ ୩୦ ଲକ୍ଷ ଟଙ୍କା ଦିଆ ଯାଇନଥିବା ସେ ଅଭିଯୋଗ କରିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ତାଙ୍କୁ ଡାକ୍ତରଖାନା ଯା’ଆସ ପାଇଁ ୫୦ ହଜାର ଟଙ୍କା ଏବଂ ପରେ ୬୦ ହଜାର ଟଙ୍କା ଦେଇ ବାକି ଟଙ୍କା ଦେଉନାହାନ୍ତି। ଏନେଇ ମଧୁବାବୁ ଗୁଣ୍ଟୁର ଏସପିଙ୍କ ଦ୍ୱାରସ୍ଥ ହୋଇଥିଲେ। କିଡନୀ ଦାନର ସମସ୍ତ କାଗଜପତ୍ର ସହ ଏସପିଙ୍କ ନିକଟରେ ଦାଖଲ କରିଥିଲେ।
ତଦନ୍ତ ପରେ ସଙ୍ଗୀନ ଘଟଣା ସାମ୍ନାକୁ ଆସିଛି। ମଧୁବାବୁ ଏବଂ କିଡନୀ ଗ୍ରହଣ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ପାରିବାରିକ ସମ୍ପର୍କ ଥିବାର ନକଲି କାଗଜରେ ତାଙ୍କ ଦସ୍ତଖତ ନିଆ ଯାଇଥିବା ଜଣାପଡ଼ିଛି। ଏପରିକି ସେ ସ୍ୱଇଚ୍ଛାରେ କିଡନୀ ଦାନ କରିଥିବା ସେଥିରେ ଉଲ୍ଲେଖ କରାଯାଇଛି।
ଅସ୍ତ୍ରୋପଚାର କରିଥିବା ଡାକ୍ତର ତାଙ୍କ ବାମ କିଡନୀ ପରିବର୍ତ୍ତେ ଡାହାଣ କିଡନୀ କାଢି ନେଇଥିବା ମଧ୍ୟ ଜଣାପଡିଛି। ଏହାକୁ ନେଇ ବିଜୟ ସୁପର ସ୍ପେଶାଲିଟି ହସ୍ପିଟାଲର ଡାକ୍ତର ଏବଂ ତାଙ୍କ ଟିମ୍ ବିରୁଦ୍ଧରେ ବେଆଇନ ଅଙ୍ଗ କାରବାର ଅଭିଯୋଗ ହୋଇଛି।
ସେପଟେ ଏହି ଅଭିଯୋଗକୁ ହସ୍ପିଟାଲ ମୁଖପାତ୍ର ଖଣ୍ଡନ କରିଛନ୍ତି। ମୁଖପାତ୍ର କହିଛନ୍ତି, “ଡାକ୍ତରଖାନା ଆଇନ ଅନୁଯାୟୀ ଉଚିତ ପ୍ରକ୍ରିୟା ଅନୁସରଣ କରିଛି। ଆମ ଡାକ୍ତରଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗ ଭିତ୍ତିହୀନ।”

ad-week
Leave A Reply

Your email address will not be published.