ସରକାରଙ୍କ ‘ସମ୍ବିଧାନ ହତ୍ୟା ଦିବସ’ ଘୋଷଣାକୁ ସମାଲୋଚନା କଲେ ପ୍ରିୟଙ୍କା

add-all

ନୂଆଦିଲ୍ଲୀ : ଏଣିକି ପ୍ରତିବର୍ଷ ଜୁନ ୨୫ ତାରିଖକୁ ଦେଶରେ ସମ୍ବିଧାନ ହତ୍ୟା ଦିବସ ଭାବେ ପାଳନ କରାଯିବ। ୧୯୭୫ ମସିହା ଜୁନ ୨୫ରେ ଦେଶରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଏମର୍ଜେନ୍ସି ଲାଗୁ କରି ଗଣତନ୍ତ୍ରର ହତ୍ୟା କରିଥିବା ଅଭିଯୋଗ କରି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଶୁକ୍ରବାର ସମ୍ବିଧାନ ହତ୍ୟା ଦିବସ ସମ୍ପର୍କରେ ଘୋଷଣା କରିଥିଲେ। ଭାରତ ସରକାରଙ୍କ ପକ୍ଷରୁ ଏନେଇ ଗୋଟିଏ ଗେଜେଟ ନୋଟିଫିକେସନ ମଧ୍ୟ ପ୍ରକାଶ ପାଇଛି।
ତେବେ ସରକାରଙ୍କ ଏପରି ନିଷ୍ପତ୍ତିକୁ ଆଜି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ତୀବ୍ର ସମାଲୋଚନା କରିଛନ୍ତି। ଯେଉଁମାନେ ନିୟମିତ ନିଜର ନକାରାତ୍ମକ ରାଜନୀତିକ କାର୍ଯ୍ୟଶୈଳୀ ଦ୍ୱାରା ସମ୍ବିଧାନ ଓ ଗଣତନ୍ତ୍ରର ମୂଳ ବିଚାରଧାରାକୁ ଅଣଦେଖା କରି ଚାଲିଛନ୍ତି, ସେମାନେ ଏବେ ସମ୍ବିଧାନ ହତ୍ୟା ଦିବସ କଥା କହୁଥିବା ପ୍ରିୟଙ୍କା କହିଛନ୍ତି।
ନିଜର ସୋଶାଲ ମିଡିଆ ଆକାଉଣ୍ଟରେ ପ୍ରିୟଙ୍କା ଲେଖିଛନ୍ତି ଯେ “ଭାରତର ମହାନ ଜନତା ସ୍ୱାଧିନତା ଓ ସମ୍ବିଧାନ ପାଇଁ ଐତିହାସିକ ଯୁଦ୍ଧ ଲଢ଼ିଥିଲେ। ଯେଉଁମାନେ ସମ୍ବିଧାନ ତିଆରି କରିଛନ୍ତି, ସମ୍ବିଧାନ ଉପରେ ଯେଉଁମାନଙ୍କ ଭରସା ରହିଛି, ସେମାନେ ସମ୍ବିଧାନର ସୁରକ୍ଷା କରିପାରିବେ।
ଯେଉଁମାନେ ସମ୍ବିଧାନ ଲାଗୁ ହେବାକୁ ବିରୋଧ କରିଥିଲେ, ଏହାର ରିଭ୍ୟୁ ପାଇଁ କମିଶନ ଗଠନ କରିଥିଲେ, ସମ୍ବିଧାନକୁ ଉଚ୍ଛେଦ ପାଇଁ ଆହ୍ୱାନ ଦେଇଥିଲେ ଓ ନିୟମିତ ଭାବେ ନିଜର ନିଷ୍ପତ୍ତି ଓ କାର୍ଯ୍ୟ ଦ୍ୱାରା ସମ୍ବିଧାନ ଓ ଗଣତନ୍ତ୍ରର ଆତ୍ମା ଉପରେ ପ୍ରହାର କରୁଛନ୍ତି, ସେଭଳି ନକାରାତ୍ମ ରାଜନୀତି କରୁଥିବା ଲୋକମାନେ ନିଶ୍ଚିତ ଭାବେ ସମ୍ବିଧାନ ହତ୍ୟା ଦିବସ ପାଳନ କରିବେ। ଏଥିରେ ଆଶ୍ଚର୍ଯ୍ୟ ହେବାର କ’ଣ ଅଛି?”

ad-week
Leave A Reply

Your email address will not be published.