ତାମିଲନାଡୁ ବିଏସ୍‌ପି ମୁଖ୍ୟଙ୍କ ହତ୍ୟା ଘଟଣା: ପୁଲିସ୍ ଏନକାଉଣ୍ଟରରେ ଜଣେ ଅଭିଯୁକ୍ତ ନିହତ

add-all

ତାମିଲନାଡୁର ବହୁଜନ ସମାଜ ପାର୍ଟି (BSP) ମୁଖ୍ୟ କେ ଆର୍ମଷ୍ଟ୍ରଙ୍ଗଙ୍କ ହତ୍ୟା ଘଟଣାର ଜଣେ ଅଭିଯୁକ୍ତ ଶନିବାର ରାତିରେ ପୁଲିସ ଏନକାଉଣ୍ଟରରେ ନିହତ ହୋଇଛନ୍ତି। ମୃତକଙ୍କ ନାଁ ତିରୁବେଙ୍ଗଦାମ।

ତାଙ୍କ ନାଁରେ ପୂର୍ବରୁ ଅନେକ ମାମଲା ରହିଥିଲା। ୨୦୧୫ ମସିହାରେ ତିରୁବଲ୍ଲୁର ଜିଲ୍ଲା ବିଏସ୍‌ପି ସଭାପତି ଥେନ୍ନାରାସୁଙ୍କ ହତ୍ୟା ଘଟଣାରେ ମଧ୍ୟ ଅଭିଯୁକ୍ତ ଥିଲେ ତିରୁବେଙ୍ଗଦାମ। ଚେନ୍ନାଇର ମାଧବରମରେ ଗତକାଲି ରାତିରେ ପୁଲିସ୍ କରିଥିବା ଏନ୍‌କାଉଣ୍ଟରରେ ସେ ନିହତ ହୋଇଛି। ସୂଚନା ଅନୁଯାୟୀ, ହତ୍ୟା କରିବା ପୂର୍ବରୁ କିଛି ଦିନ ଧରି କେ ଆର୍ମଷ୍ଟ୍ରଙ୍ଗଙ୍କ ଉପରେ ନଜର ରଖିଥିଲା ତିରୁବେଙ୍ଗଦାମ।

ଜୁଲାଇ ୫ ତାରିଖରେ ଚେନ୍ନାଇର ପେରାମ୍ବୁର ଅଞ୍ଚଳରେ କେ ଆର୍ମଷ୍ଟ୍ରଙ୍ଗଙ୍କୁ ହତ୍ୟା କରାଯାଇଥିଲା। ତାଙ୍କ ଘର ପାଖରେ ତାଙ୍କୁ ହତ୍ୟା କରାଯାଇଥିଲା। ୬ ଜଣ ବ୍ୟକ୍ତି ଛୁରୀରେ ତାଙ୍କୁ ଆକ୍ରମଣ କରିଥିଲେ। ସେମାନେ ବାଇକରେ ଆସିଥିଲେ। କେ ଆର୍ମଷ୍ଟ୍ରଙ୍ଗଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା। ତେବେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।  

ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୧ ଜଣ ସନ୍ଦିଗ୍ଧଙ୍କୁ ପୁଲିସ ଗିରଫ କରିଛି। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ରାଜ୍ୟ ରାଜନୀତି ଉଷ୍ମ ହୋଇଛି। ଏହି ଘଟଣା ପାଇଁ ବିରୋଧୀ ଦଳଗୁଡ଼ିକ ସିଧାସଳଖ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନଙ୍କୁ ଟାର୍ଗେଟ କରିଛନ୍ତି। ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ଭୁଶୁଡ଼ି ପଡ଼ିଛି ବୋଲି ସେମାନେ ଅଭିଯୋଗ କରିଛନ୍ତି।  

କେ ଆର୍ମଷ୍ଟ୍ରଙ୍ଗଙ୍କ ହତ୍ୟା ଘଟଣାର ତଦନ୍ତ ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର କରିବା ପାଇଁ ଦାବି କରିଥିଲେ BSP ସୁପ୍ରିମୋ ମାୟାବତୀ। ସେ କହିଥିଲେ ଯେ ଏହି ଘଟଣାରେ ଯେଉଁମାନଙ୍କୁ ଗିରଫ କରାଯାଇଛି, ସେମାନେ ପ୍ରକୃତ ଦୋଷୀ ନୁହନ୍ତି।

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ ମୃତ କେ ଆର୍ମଷ୍ଟ୍ରଙ୍ଗଙ୍କ ଘରକୁ ଯାଇ ତାଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇବା ସହିତ ଦୋଷୀମାନଙ୍କୁ ଛଡ଼ାଯିବ ନାହିଁ ବୋଲି କହିଥିଲେ। ଆଇନ ଅନୁସାରେ ସେମାନଙ୍କୁ ଦଣ୍ଡ ମିଳିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। 

ad-week
Leave A Reply

Your email address will not be published.