ଆରମ୍ଭରୁ ବିଜେଡି ହଟ୍ଟଗୋଳ କରି ଖରାପ ପରମ୍ପରା ସୃଷ୍ଟି କରିଛି: ବାବୁ ସିଂହ

add-all

ଭୁବନେଶ୍ବର: ଆଜି ବିଧାନସଭା ବଜେଟ୍ ଅଧିବେଶନର ତୃତୀୟ ଦିନରେ ବି ହଟ୍ଟଗୋଳକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିଜେପି ବିଧାୟକ ବାବୁ ସିଂହ। ଗୃହ ବାହାରେ ବିଜେଡି ଗୃହ ଚଳାଇ ଦେଉ ନ ଥିବା ଅଭିଯୋଗ କରି କାଉଣ୍ଟର କରି ମାହାଙ୍ଗା ଡବଲ ମର୍ଡର ପ୍ରସଙ୍ଗ ଉଠାଇ ବାବୁ ସିଂହ କହିଛନ୍ତି, ଆଜି ଯେଉଁ କଥା କହୁଛନ୍ତି, ଶାସନରେ ଥିଲା ବେଳେ କରୁ ନ ଥିଲେ କାହିଁକି? ମାହାଙ୍ଗା ଡବଲ ମର୍ଡର ଘଟଣାର ୧୩ ନଂ ମୁଦାଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ନ ଥିଲେ କାହିଁକି ବୋଲି ବାବୁ ସିଂହ ପ୍ରଶ୍ନ କରିଛନ୍ତି। ଅନେକ ବିଧାୟକ ପ୍ରଥମ କରି ବିଧାନସଭାକୁ ନିର୍ବାଚିତ ହେଉଛନ୍ତି।ସେମାନେ ନିଜ ଅଞ୍ଚଳ କଥା ବିଧାନସଭାରେ ଉଠାଇବେ। ତାହା କରିବାକୁ ନଦେଇ ଆରମ୍ଭରୁ ବିଜେଡି ହଟ୍ଟଗୋଳ କରି ଖରାପ ପରମ୍ପରା ସୃଷ୍ଟି କରିଛି।

ରାଜ୍ୟପାଳଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବକୁ ବଏକଟ କରି କଳଙ୍କିତ ଅଧ୍ୟାୟ ସୃଷ୍ଟି କରୁଛି ବିଜେଡି । ସେମାନେ ବିରୋଧୀ ଆସନରେ ଥିବାରୁ ସହଜରେ ହଜମ କରିପାରୁ ନାହାନ୍ତି । ସେମାନେ ୨୪ ବର୍ଷ ସରକାରରେ ଥିଲେ, ସେହି ହ୍ୟାଙ୍ଗଓଭରରୁ ବାହାରି ପାରୁନାହାନ୍ତି । ରାଜ୍ୟର ପ୍ରମୁଖ ବିରୋଧୀ ଦଳ ବିଜେଡି ଆଲୋଚନା ଚାହୁଁ ନାହିଁ ବୋଲି କହିଛନ୍ତି ଏକାମ୍ରର ବିଜେପି ବିଧାୟକ ବାବୁ ସିଂହ। ରାଜ୍ୟପାଳଙ୍କ ପୁଅ ପ୍ରସଙ୍ଗରେ ଆଇନ ମନ୍ତ୍ରୀ କହି ସାରିଛନ୍ତି। ତେଣୁ ଗୃହରେ ବିରୋଧୀ ଆଲୋଚନାକୁ ଆସିଲେ ନିର୍ଯ୍ୟାସ ବାହାରିବ ବୋଲି ସେ କହିଛନ୍ତି।

ସେପଟେ ବଜେଟ୍ ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ ବାବୁ ସିଂହ କହିଛନ୍ତି, କଂଗ୍ରେସ କେନ୍ଦ୍ରରେ କ୍ଷମତା ଥିବା ସମୟରେ ଓଡ଼ିଶାକୁ କିଛି ଦେଲନି, ଓଡ଼ିଶା ମାଗିବାରୁ ତାଙ୍କ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଟଙ୍କା କଣ ଗଛରେ ଫଳୁଛି? ଏ କଥା ସେମାନେ ଭୁଲିବା କଥା ନୁହେଁ। ଏଥିସହ କଂଗ୍ରେସ ଓଡ଼ିଆ ଅସ୍ମିତା କଥା କହିଲା ଯେ, ରାଜ୍ୟପାଳ କାହିଁକି ହିନ୍ଦୀରେ ଅଭିଭାଷଣ ଦେଲେ? ତାଙ୍କୁ ତ କାହିଁକି ବାଧୁନି ଯେ, ବିରୋଧୀ ଦଳ ନେତା ଇଂରାଜୀରେ କହିଲେ। ହିନ୍ଦୀ ଆମ ରାଷ୍ଟ୍ରୀୟ ଭାଷା। ତେଣୁ ରାଜ୍ୟପାଳ ହିନ୍ଦୀରେ ଅଭିଭାଷଣ ରଖିଲେ।

ଉଲ୍ଲେଖଯୋଗ୍ୟ, ପ୍ରଶ୍ନକାଳ ଆରମ୍ଭରୁ ହଟ୍ଟଗୋଳ କରି କକ୍ଷତ୍ୟାଗ କରିଲେ ବିଜେଡି ସଦସ୍ୟ। ଏହାପରେ ସାଢ଼େ ୧୧ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ସୁରମା ପାଢ଼ୀ। ପୁଣି ଗୃହରେ ଅଚଳାବସ୍ଥା ଜାରି ରହିବାରୁ ଅପରାହ୍ଣ ୪ଟା ଯାଏ ବିଧାନସଭାକୁ ମୁଲତବୀ ରଖାଯାଇଛି।

ad-week
Leave A Reply

Your email address will not be published.