ଧର୍ମକୁ ଆଖିଠାର ନ୍ୟାୟରେ ଚାଲିଛି ଶିଶୁ ଶ୍ରମିକ ଉଦ୍ଧାର

add-all

ହିଞ୍ଜିଳିକାଟୁ : ପ୍ରତିବର୍ଷ ଜୁନ ୧୨ ତାରିଖକୁ ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସ ଭାବେ ପାଳନ କରାଯାଉଛି । ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ନିକଟବର୍ତ୍ତୀ ଅଞ୍ଚଳରେ ଶିଶୁ ଶ୍ରମିକଙ୍କ ସଂଖ୍ୟା ଉଦ୍‌ବେଗ ଜନକ ଭାବେ ଦିନକୁ ଦିନ ବୃଦ୍ଧି ପାଉଥିଲେ ମଧ୍ୟ ଏହାକୁ ନିୟନ୍ତ୍ରଣ ଦିଗରେ ଶ୍ରମ ବିଭାଗ ବିଫଳ ହୋଇଛି । ପାରିବାରିକ ଆର୍ଥୀକ ଦୁରବସ୍ଥା ହେଉ କିମ୍ବା ଅନ୍ୟାନ କେତେକ କାରଣରୁ ପରିବାର ପ୍ରତିପୋଷଣ ପାଇଁ ବହୁ ଶିଶୁ ଶ୍ରମିକ ବିଭିନ୍ନ ଅନୁଷ୍ଠାନରେ ଖଟୁଥିବା ଦେଖିବାକୁ ମିଳୁଛି । ଶିଶୁ ଶ୍ରମିକଙ୍କ ପାଇଁ ଉଦ୍ଧିଷ୍ଟ ସମସ୍ତ ସରକାରୀ ନୀତି, ନିୟମ ଓ କଟକଣା ପ୍ରଶାସନିକ ଅଧିକାରୀମାନଙ୍କ ଆନ୍ତରିକତାର ଅଭାବ ଯୋଗୁଁ ହିଞ୍ଜିଳିକାଟୁ ଅଞ୍ଚଳରେ ବାଟବଣା ହେଉଥିବାର ସାଧାରଣରେ ମତପ୍ରକାଶ ପାଇଛି । ଶିଶୁ ଶ୍ରମିକ ମାନଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ପ୍ରଶାସନ ସେଭଳି କୌଣସି ସୁଚିନ୍ତିତ ପଦକ୍ଷେପ ନେଉନାହିଁ । ତେଣୁ ହିଞ୍ଜିଳିକାଟୁ ଅଞ୍ଚଳରେ ଶିଶୁ ଶ୍ରମିକ ଥମିବାର ନାଁ ନେଉନି । ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ନିକଟବର୍ତ୍ତୀ ଅଞ୍ଚଳରେ ଅଧିକାଂଶ ହୋଟେଲ, ଗ୍ୟାରେଜ୍‌, ତେଜରାତି ଦୋକାନ, ରେଷ୍ଟୁରାଣ୍ଟ, ପାନ ଦୋକାନ, ଫାଷ୍ଟପୁଡ଼ ଦୋକାନ,ଛୋଟବଡ଼ ଶିଳ୍ପାନୁଷ୍ଠାନ ସମେତ ବହୁ ବ୍ୟବସାୟ ପ୍ରତିଷ୍ଠାନ ଗୁଡ଼ିକରେ ଶିଶୁ ମାନେ ଅନେକ ବିପଦପୂର୍ଣ୍ଣ କାର୍ଯ୍ୟ କରୁଥିବାର ଦେଖିବାକୁ ମିଳୁଛି । ଶିଶୁ ଶ୍ରମିକ ପଥାକୁ ବିଲୋପ ସହ ସେମାନଙ୍କୁ ଉଦ୍ଧାର କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ପାଇଁ ଦାୟିତ୍ୱରେ ଥିବା ପ୍ରଶାସନିକ ଅଧିକାରୀ ମାନଙ୍କ ନିରବଦ୍ରଷ୍ଟା ସାଙ୍ଗକୁ ରୀତିମତ ଚଢାଉ କରାଯାଉନଥିବା ଯୋଗୁଁ ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ନିକଟବର୍ତ୍ତୀ ଅଞ୍ଚଳରେ ଶିଶୁ ଶ୍ରମିକଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ସେମାନଙ୍କ ହସଖେଳ ଏବଂ ପାଠପଢା ଠାରୁ ଦୂରେଇ ରହି ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନରେ କାମଧନ୍ଦା କରୁଛନ୍ତି । ସେମାନେ ସେମାନଙ୍କର ଅଧିକାରରୁ ବଞ୍ଚିତ ହେଉଛନ୍ତି । ଶିଶୁ ଅଧିକାର ଆଇନରେ କମ୍ ବର୍ଷର ଶିଶୁଙ୍କୁ କୌଣସି ବିପଦପୂର୍ଣ୍ଣ କାର୍ଯ୍ୟରେ ନିୟୋଜିତ କରାଯିବା ଏକ ଦଣ୍ଡନୀୟ ଅପରାଧ ବୋଲି ଉଲ୍ଲେଖ ରହିଛି । ହେଲେ ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ନିକଟବର୍ତ୍ତୀ ଅଞ୍ଚଳର ଅଧିକାଂଶ ହୋଟେଲ, ଗ୍ୟାରେଜ୍‌, ତେଜରାତି ଦୋକାନ, ରେଷ୍ଟୁରାଣ୍ଟ, ପାନ ଦୋକାନ, ଫାଷ୍ଟପୁଡ଼ ଦୋକାନ,ଛୋଟବଡ଼ ଶିଳ୍ପାନୁଷ୍ଠାନ ସମେତ ବହୁ ବ୍ୟବସାୟ ପ୍ରତିଷ୍ଠାନ ଓ ବହୁ ବଡ଼ବଡ଼ିଆଙ୍କ ବାସଗୃହରେ ୧୨ ରୁ ୧୮ ବର୍ଷର ଶିଶୁ ମାନେ କାମ କରୁଥିବାର ଦେଖିବାକୁ ମିଳୁଛି । ଏହି ଶିଶୁ ମାନଙ୍କୁ ଉଦ୍ଧାର କରିବା ଦାୟିତ୍ୱ ହେଉଛି ଶ୍ରମ ବିଭାଗର । ହେଲେ ଶିଶୁ ଶ୍ରମିକ ମାନଙ୍କୁ ଉଦ୍ଧାର ଦିଗରେ ଶ୍ରମ ବିଭାଗ ତତ୍ପରତା ପ୍ରକାଶ କରୁନଥିବାର ଦେଖିବାକୁ ମିଳୁଛି । ପୂର୍ବରୁ ପ୍ରତିବର୍ଷ ଜୁଳାଇ ଶେଷ ସପ୍ତାହ ଠାରୁ ଅଗଷ୍ଟ ଦ୍ବିତୀୟ ସପ୍ତାହ ପର୍ଯ୍ୟନ୍ତ ଗଞ୍ଜାମ ପୋଲିସ ପ୍ରଶାସନ ପକ୍ଷରୁ ପରୀ କାର୍ଯ୍ୟକ୍ରମ କରାଯାଉଥିଲା । ଏହି ପରିପ୍ରେକ୍ଷୀରେ ହିଞ୍ଜିଳି ପୋଲିସ ପ୍ରଶାସନ ପକ୍ଷରୁ ସ୍ଥାନୀୟ ଥାନା ଅଞ୍ଚଳର ବିଭିନ୍ନ ଗ୍ରାମର ବହୁ ବ୍ୟବସାୟିକ ଅନୁଷ୍ଠାନରେ ଚଢାଉ କରାଯାଇ କାର୍ଯ୍ୟ କରୁଥିବା ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ପରବର୍ତ୍ତୀ ସମୟରେ ସେମାନଙ୍କ ଅଭିଭାବକଙ୍କୁ ହସ୍ତାନ୍ତର କରାଯାଇଥିଲା । ଗଞ୍ଜାମ ଜିଲ୍ଲାର ଦ୍ବିତୀୟ ବୃହତ୍ତମ ସହର ଭାବେ ପରିଗଣିତ ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ବ୍ଳକର ୨୧ ଟି ପଞ୍ଚାୟତର ବହୁ ବ୍ୟବସାୟିକ ଅନୁଷ୍ଠାନରେ ଶତାଧିକ ଶିଶୁ ଶ୍ରମିକ କାର୍ଯ୍ୟ କରୁଥିବା ବେଳେ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ଗତ ୨୦୧୯ ମସିହାରେ ପରୀ-୩ କାର୍ଯ୍ୟକ୍ରମ ମାଧ୍ୟମରେ ୨ ଥରରେ ମାତ୍ର ୧୬ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିବା ଘଟଣା ନେଇ ଧର୍ମକୁ ଆଖି ଠାର ନ୍ୟାୟରେ ଚାଲିଛି ଶିଶୁ ଶ୍ରମିକ ଉଦ୍ଧାର ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି । ଘଟଣା ପର ଠାରୁ ଦୀର୍ଘ ୫ ବର୍ଷ ଅତିବାହିତ ହୋଇଯାଇଥିଲେ ମଧ୍ୟ ପୁଲିସ ପ୍ରଶାସନ କିମ୍ବା ଶ୍ରମ ବିଭାଗ ପକ୍ଷରୁ କୈାଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ଜଣାପଡିଛି। ଏ ଦିଗରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

ad-week
Leave A Reply

Your email address will not be published.