ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବିରୋଧରେ ସ୍ବାଧୀକାର ଭଙ୍ଗ ନୋଟିସ୍

add-all

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଭାଙ୍ଗିଲେ ନିୟମ । ଫେରାଦ ହେଲା କଂଗ୍ରେସ । ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବିରୋଧରେ ସ୍ବାଧୀକାର ଭଙ୍ଗ ନୋଟିସ୍ ଆଣିଲା କଂଗ୍ରେସ । ଶୂନ୍ୟକାଳରେ ନୋଟିସ୍‌କୁ ଗ୍ରହଣ କଲେ ବାଚସ୍ପତି ସୁରମା ପାଢୀ । ଅଗ୍ନିବୀର ସଂରକ୍ଷଣ ଓ ୫ ବର୍ଷ ବୟସ ସୀମା କୋହଳ ଘୋଷଣାରେ  କିଛି ଏମିତି ଅଭିଯୋଗ ଆଣିଛି କଂଗ୍ରେସ । ଗୃହ ଚାଲିଥିବା ବେଳେ କାହିଁକି ବାହାରେ ଏହାର ଘୋଷଣା କଲେ ବୋଲି ପ୍ରଶ୍ନ କରି ମୁଖ୍ୟମନ୍ତ୍ରୀ ନିୟମ ଭଙ୍ଗ କରିଛନ୍ତି ବୋଲି ଅଭିଯୋଗ ଆଣି ଗୃହ ଭିତରେ ଉଭୟ ବିଜେଡି ଓ କଂଗ୍ରେସ ପକ୍ଷରୁ ହଟ୍ଟଗୋଳ ଆରମ୍ଭ ହୋଇଥିଲା । ଏହାସହିତ ଉକ୍ତ ନୋଟିସକୁ ସ୍ବାଧୀକାର କମିଟିକୁ ପଠାଇବାକୁ ଦାବି କରିଛନ୍ତି ବିରୋଧୀ । ଏମିତିକି ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ପଢିବା ବେଳେ ହୋହାଲ୍ଲା କରିଥିଲେ ବିରୋଧୀ ।

ଅନ୍ୟପକ୍ଷରେ ଶାସକ ବିଜେପି ମଧ୍ୟ କଂଗ୍ରେସ ବିରୋଧରେ ପାଲଟା ସ୍ବାଧୀକାର ଭଙ୍ଗ ନୋଟିସ୍ ଆଣିଛି । ଏଡ଼େଇ ସୂଚନା ଦେଇଛନ୍ତି ବିଜେପି ବିଧାୟକ ଈରାଶିଷ ଆଚାର୍ଯ୍ୟ । ଈରାଶିଷ କହିଛନ୍ତି, କଂଗ୍ରେସ ସ୍ବାଧିକାର ନୋଟିସ୍‌ ଆଣିବ, ଏହା କିପରି ଗଣମାଧ୍ୟମକୁ ଆସିଲା । ବାଚସ୍ପତିଙ୍କ ବିନା ଅନୁମତିରେ ଖବର କିପରି  ପ୍ରକାଶ ପାଇଲା ବୋଲି ପଚାରି ଏହାବି ନିୟମ ଭଙ୍ଗ ବୋଲି କହିଛନ୍ତି ବିଧାୟକ ।

ତେବେ କହିରଖୁଛୁ, ଗତ ୨୬ ତାରିଖରେ ଗୃହ ଚାଲିଥିବାବେଳେ ଅଗ୍ନିବୀରମାନଙ୍କ ପାଇଁ ଚାକିରିରେ ୧୦ ପ୍ରତିଶତ ସଂରକ୍ଷଣ ଓ ୫ ବର୍ଷ ବୟସ କୋହଳ ନେଇ ମୁଖ୍ୟମନ୍ତ୍ରୀ ଗୃହ ବାହାରେ ଘୋଷଣା କରିଥିଲେ। ବିଧାନସଭା ବା ସଂସଦୀୟ ନିୟମ ଅନୁସାରେ ଗୃହର ଅଧିବେଶନ ଚାଲିଥିବା ସମୟରେ କୌଣସି ନୀତିଗତ ନିଷ୍ପତ୍ତି ଗୃହ ବାହାରେ ଘୋଷଣା କରାଯାଇପାରିବ ନାହିଁ। ଏହାକୁ ପ୍ରଥମେ ଗୃହରେ ଆଗତ କରିବା ନିହାତି ଜରୁରୀ । ହେଲେ ମୁଖ୍ୟମନ୍ତ୍ରୀ ଏହି ନିୟମ ଭାଙ୍ଗିଲେ ବୋଲି ବରିଷ୍ଠ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଅଭିଯୋଗ କରି ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କିଛି ଏଭଳି ନୋଟିସ୍ ଜାରି କରିଛନ୍ତି । ଯାହାକୁ ଗ୍ରହଣ କରିଛନ୍ତି ବାଚସ୍ପତି ।

ad-week
Leave A Reply

Your email address will not be published.