କେରଳ ଭୂସ୍ଖଳନ; ଦୁଇ ଓଡ଼ିଆ ଡାକ୍ତରଙ୍କ ପତ୍ତା ମିଳୁନି

add-all

କଟକ : କେରଳ ବୁଲିବାକୁ ଯାଇଥିଲେ ଦୁଇ ଡାକ୍ତର ଓ ସେମାନଙ୍କ ପତ୍ନୀ। ହେଲେ ସୋମବାର ବିଳମ୍ୱିତ ରାତିରେ ହୋଇଥିବା ପ୍ରଳୟଙ୍କରୀ ଭୂସ୍ଖଳନରେ ଦୁଇ ଓଡ଼ିଆ ଡାକ୍ତରଙ୍କ ପତ୍ତା ମିଳୁନି। ସେମାନଙ୍କ ପତ୍ନୀମାନେ ଏବେ ଅସ୍ଥାୟୀ ଭାବେ ନିର୍ମାଣ ହୋଇଥିବା ମେଡ଼ିକାଲ୍‌ରେ ଚିକିତ୍ସିତ ହେଉଛନ୍ତି। ନିଖୋଜ ଥିବା ଦୁଇ ଡାକ୍ତରଙ୍କୁ ଉଦ୍ଧାର ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ପରିବାର ଲୋକ।
କଟକ ଜିଲ୍ଲା ଚୌଦ୍ୱାର ହାଉସିଂ ବୋର୍ଡର ବାସିନ୍ଦା ହେଉଛନ୍ତି ଡାକ୍ତର ବିଷ୍ଣୁ ପ୍ରସାଦ ଚିନରା। ତାଙ୍କ ଅଧ୍ୟାପିକା ପତ୍ନୀ ପ୍ରିୟଦର୍ଶିନୀ ପାଲ ଓ ବନ୍ଧୁ ଡାକ୍ତର ସ୍ଵାଧୀନ ପଣ୍ଡା ଏବଂ ସ୍ୱାଧୀନ ପତ୍ନୀ ସ୍ୱୀକୃତି ମହାପାତ୍ର ଗତ ୨୬ ତାରିଖରେ ବାଙ୍ଗାଲୁରୁ ବୁଲିବା ପାଇଁ ଯାଇଥିଲେ। ସେମାନେ ସେଠାରୁ କେରଳ ଯାଇଥିଲେ। ୱାଇନାଡର ଲିନରା ଭିଲ୍ଲାରେ ରହିଥିଲେ। ଦୁର୍ଭାଗ୍ୟକୁ ସୋମବାର ରାତିରେ ମୋପ୍ପାଡି, ମୁବାଡକାଇ ଓ ଚୁରାଲ ମାଲା ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ହୋଇଥିଲା। ଭୂସ୍ଖଳନ ପରେ ମାଟି ମିଶା ବନ୍ୟା ପାଣି ବିଭିନ୍ନ ଜନବସତୀ ଅଞ୍ଚଳକୁ ମାଡ଼ି ଆସିଥିଲା।
ଡାକ୍ତର ଚିନରାଙ୍କ ବାପା ପ୍ରମୋଦ କୁମାର ଚିନରାଙ୍କ କହିବା ଅନୁସାରେ ସୋମବାର ରାତି ପ୍ରାୟ ୨ଟା ସମୟରେ ବନ୍ୟା ପାଣି ମାଡ଼ି ଆସିଥିଲା। ତା’ପରଠାରୁ ବିଷ୍ଣୁ ପ୍ରସାଦଙ୍କ ପତ୍ତା ମିଳୁନି। ତାଙ୍କ ପତ୍ନୀ ପ୍ରିୟଦର୍ଶିନୀଙ୍କୁ ଉଦ୍ଧାର କରାଯାଇ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି। ଆଜି ସକାଳ ୬ଟା ବେଳେ ଆମେ ବୋହୂ କଥା ହୋଇଥିବା ପ୍ରମୋଦ କହିଛନ୍ତି। ସେହିପରି ଡାକ୍ତର ବିଷ୍ଣୁଙ୍କ ସହିତ ଯାଇଥିବା ତାଙ୍କ ବନ୍ଧୁ ଡାକ୍ତର ସ୍ଵାଧୀନ ପଣ୍ଡାଙ୍କର ମଧ୍ୟ କୌଣସି ପତ୍ତା ମିଳୁନାହିଁ। ତାଙ୍କ(ଡାକ୍ତର ସ୍ଵାଧୀନ ପଣ୍ଡା) ସ୍ତ୍ରୀ ସ୍ୱୀକୃତି ମହାପାତ୍ର ଏବେ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି ବୋଲି ପ୍ରିୟଦର୍ଶିନୀ କହିଥିବା ପ୍ରମୋଦ କୁମାର ଚିନରା ଜଣାଇଛନ୍ତି।
ସୂଚନାରୁ ପ୍ରକାଶ, ୱାଇନାଡରେ ହୋଇଥିବା ପ୍ରଳୟଙ୍କରୀ ଭୂସ୍ଖଳନରେ ୪ଟି ଗାଁର କିଛି ଅଞ୍ଚଳ ଛିନ୍‌ଛତର ହୋଇଯାଇଛି। ଏଥିରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ନିଖୋଜ ଅଛନ୍ତି। ଉଦ୍ଧାରକାରୀ ଦଳ ମାଟି ତଳୁ ମୃତଦେହ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି।

ad-week
Leave A Reply

Your email address will not be published.