ଭୁଶୁଡ଼ିଲା ମନ୍ଦିର କାନ୍ଥ, ୯ ପିଲା ମୃତ

add-all

ମନ୍ଦିରରେ ଧାର୍ମିକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଘଟିଲା ଅଘଟଣ। ଭୁଶୁଡ଼ି ପଡ଼ିଲା ମନ୍ଦିର କାନ୍ଥ। କାନ୍ଥ ପଡ଼ି ୯ ଜଣ ପିଲାଙ୍କ ମୃତ୍ୟୁ ଘଟିଛି। ସେହିପରି ଅନେକ ଆହତ ହୋଇଛନ୍ତି। ମଧ୍ୟ ପ୍ରଦେଶରେ ଏହି ଘଟଣା ଘଟିଛି।

ସାଗର ଜିଲ୍ଲାର ଶାହପୁରରେ ଅଛି ହରଦୌଲ ବାବା ମନ୍ଦିର। ଏଠାରେ ଆଜି ସକାଳେ ଏକ ଧାର୍ମିକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ହଠାତ୍ କାନ୍ଥ ଭୁଶୁଡ଼ି ପଡ଼ିଥିଲା। ଭଙ୍ଗା କାନ୍ଥ ତଳେ ୯ ଜଣ ପିଲା ଚାପି ହୋଇ ରହି ଯାଇଥିଲେ। ସେମାନଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ବୟସ ୧୦ରୁ ୧୫ ବର୍ଷ ଭିତରେ ହେବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। କାନ୍ଥ ପଡ଼ି ଆହତ ହୋଇଥିବା ଅନ୍ୟ କିଛି ପିଲାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶାହପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲା। 

ଏହି ଘଟଣାକୁ ନେଇ ଶୋକ ବ୍ୟକ୍ତ କରିଛନ୍ତି ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ। ମୃତ ପିଲାମାନଙ୍କ ପରିବାର ଲୋକଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଯୋଗାଇ ଦିଆଯିବ ବୋଲି ସେ ଘୋଷଣା କରିଛନ୍ତି। ସେହିପରି ଆହତମାନେ ଶୀଘ୍ର ସୁସ୍ଥ ହୋଇଯିବେ ବୋଲି ସେ ଆଶା ରଖିଥିବା କହିଛନ୍ତି।

କିଛି ଦିନ ତଳେ ମଧ୍ୟ ପ୍ରଦେଶର ରେୱା ଜିଲ୍ଲାରେ ଏକ ଘରର କାନ୍ଥ ପଡ଼ିଯିବାରୁ ୪ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିଲା। ସେମାନଙ୍କ ବୟସ ୫ରୁ୭ ବର୍ଷ ମଧ୍ୟରେ ଥିଲା। ସେମାନେ ସ୍କୁଲରୁ ଫେରୁଥିବା ବେଳେ ଏହି ଘଟଣା ଘଟିଥିଲା। ଏହି ଘଟଣା ପରେ ଉକ୍ତ ଘର ମାଲିକଙ୍କୁ ପୁଲିସ ଗିରଫ କରିଥିଲା। 

ମଧ୍ୟ ପ୍ରଦେଶରେ ଭୀଷଣ ବର୍ଷା ହେଉଥିବା ବେଳେ ଏଭଳି ଘଟଣାଗୁଡ଼ିକ ଘଟୁଛି। ଚଳିତ ବର୍ଷ ବର୍ଷା ଜନିତ ଦୁର୍ଘଟଣା ଯୋଗୁ ୨୦୦ ଲୋକଙ୍କର ମୃତ୍ୟୁ ଘଟିଛି। ୨୦୬ଟି ଘର ଭାଙ୍ଗି ଥିବା ବେଳେ ୨୪୦୩ ଘର ଆଂଶିକ ଭାବେ ନଷ୍ଟ ହୋଇଛି। 

ad-week
Leave A Reply

Your email address will not be published.