‘କୋଚିଂ ସେଣ୍ଟର ହୋଇଗଲାଣି ଡେଥ୍ ଚ୍ୟାମ୍ବର’, କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କୁ ନୋଟିସ୍ ପଠାଇଲେ ସୁପ୍ରିମକୋର୍ଟ

ଦିଲ୍ଲୀ କୋଚିଂ ସେଣ୍ଟରରେ ତିନି ଛାତ୍ରଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କୁ ନୋଟିସ୍ ଜାରି କରିବା ସହ କୋଚିଂ ସେଣ୍ଟରଗୁଡିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଥିବା କହିଛନ୍ତି ସର୍ବୋଚ୍ଚ ଅଦାଲତ।

ଏହି ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ, କୋଚିଂ ସେଣ୍ଟର ସଂସ୍ଥାଗୁଡ଼ିକ ପିଲାମାନଙ୍କ ଜୀବନ ସହ ଖେଳୁଛନ୍ତି। କୋଚିଂ ସେଣ୍ଟରଗୁଡିକ ଡେଥ୍ ଚ୍ୟାମ୍ବର(ମୃତ୍ୟୁ ପ୍ରକୋଷ୍ଠ)ରେ ପରିଣତ ହୋଇଯାଇଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯିବା ଉଚିତ୍। 

କୋଚିଂ ସେଣ୍ଟରରେ ସୁରକ୍ଷା ନିୟମ ଲାଗୁ ହୋଇଛି କି ନାହିଁ ବୋଲି କେନ୍ଦ୍ର ସରକାର ଏବଂ ଦିଲ୍ଲୀର ମୁଖ୍ୟ ସଚିବଙ୍କୁ ନୋଟିସ ଜାରି କରି ପଚାରିଛନ୍ତି ସୁପ୍ରିମକୋର୍ଟ। ଏହି ମାମଲାରେ ଆଟର୍ଣ୍ଣି ଜେନେରାଲ କୋର୍ଟଙ୍କୁ ସହାୟତା କରନ୍ତୁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ସର୍ବୋଚ୍ଚ ଅଦାଲତ ଆହୁରି କହିଛନ୍ତି ଯେ, ଯଦି କୋଚିଂ ସେଣ୍ଟରଗୁଡିକ ସୁରକ୍ଷା ନିୟମ ପୂରଣ କରି ପାରୁନାହାନ୍ତି ତେବେ ଅନଲାଇନ୍ ମୋଡରେ ପରିଚାଳନା କରନ୍ତୁ। ଛାତ୍ରଛାତ୍ରୀଙ୍କ ଜୀବନ ପ୍ରତି ନିରାପତ୍ତା ନିୟମ ଏବଂ ମୌଳିକ ଆଦର୍ଶକୁ ସମ୍ପୂର୍ଣ୍ଣରୂପେ ପାଳନ ନ କରିବା ପର୍ଯ୍ୟନ୍ତ ଅନଲାଇନରେ କ୍ଲାସ୍ କରାଯାଇ ପାରିବ। ଉପଯୁକ୍ତ ଭେଣ୍ଟିଲେସନ୍, ସୁରକ୍ଷା ମାର୍ଗ, ବାୟୁ ଏବଂ ଆଲୋକ ଚଳାଚଳ ହୋଇ ପାରୁଥିବା ସ୍ଥାନରେ କୋଚିଂ ସେଣ୍ଟର କରାଯାଉ।

ସେହିପରି ଶୁଣାଣି ସମୟରେ ସୁପ୍ରିମକୋର୍ଟ କୋଚିଂ ସେଣ୍ଟର ଫେଡେରେଶନର ସଭାପତି, ସଚିବ ଏବଂ କୋଷାଧ୍ୟକ୍ଷଙ୍କ ଉପରେ ଏକ ଲକ୍ଷ ଟଙ୍କାର ଜୋରିମାନା ପକାଇଛନ୍ତି। ଏମାନେ ଦିଲ୍ଲୀ ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରିଥିବାରୁ ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏଥିସହ ଯେଉଁ କୋଚିଂ ସେଣ୍ଟର ବେସମେଣ୍ଟରେ ବନ୍ୟା ପାଣି ପଶି ତିନି ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଥିଲା ତାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ad-week
Leave A Reply

Your email address will not be published.