ପରମ୍ପରା ଅନୁଯାୟୀ ଆଜିଠୁ ରଥଭଙ୍ଗା କାମ ଆରମ୍ଭ

add-all

ପୁରୀ: ନବଦିନାତ୍ମକ ଯାତ୍ରା ସାରି ମହାପ୍ରଭୁ ରତ୍ନସିଂହାସନରେ ବିରାଜମାନ କରିଛନ୍ତି । ହେଲେ ଚତୁର୍ଦ୍ଧାବିଗ୍ରହ ଯାତ୍ରା କରିଥିବା ତିନିରଥ ସିଂହଦ୍ୱାର ସମ୍ମୁଖରେ ରହିଥିବା ବେଳେ ଆଜିଠାରୁ ଭଙ୍ଗା ଆରମ୍ଭ ହୋଇଛି । ଶ୍ରୀମନ୍ଦିର ପ୍ରଶାସନର ଚିଠି ପାଇବା ପରେ ଆଜି ଭୋଇ ସର୍ଦ୍ଦାରଙ୍କ ନେତୃତ୍ୱରେ ଆରମ୍ଭ ହୋଇଛି ରଥଭଙ୍ଗା କାର୍ଯ୍ୟ। ଆଜିଠାରୁ ତିନି ରଥ ଭଙ୍ଗା କାର୍ଯ୍ୟ ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି।

ନିୟମ ଅନୁଯାୟୀ ଆଜି ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଭଙ୍ଗା ଯାଉଛି। ଏହାପରେ ତାଳଧ୍ୱଜ ରଥ ଭଙ୍ଗାଯିବ। ଶେଷରେ ନନ୍ଦିଘୋଷ ରଥ ଭଙ୍ଗାଯିବାର ପରମ୍ପରା ରହିଛି। ତେବେ ଆଜି ଭୋଇ ସର୍ଦ୍ଦାର ଅନୁକୁଳ କରିବା ପରେ ପ୍ରଥମେ କଳସରୁ ଆରମ୍ଭ ହୋଇଛି ଭଙ୍ଗା କାମ। ତାପରେ ପାରାଭାଡି ଓ ପରେ ପରେ ଦ୍ୱାରବେଢା ଭଙ୍ଗାଯାଉଛି। ରଥଯାତ୍ରା ପରେ ରଥର ବିଭିନ୍ନ ଅଂଶ କଥା ସାରଥୀ, ପାର୍ଶ୍ଵ ଦେବାଦେବୀ, ଘୋଡ଼ା, ଓଲଟ ଶୁଆ ଆଦିକୁ ପରବର୍ତ୍ତୀ ବର୍ଷ ପାଇଁ ସଂରକ୍ଷିତ ରଖାଯାଉଥିବା ବେଳେ ରଥ କାଠ ଗୁଡ଼ିକୁ ଭାଙ୍ଗି ଦିଆଯାଇଥାଏ । ଏବଂ ଶ୍ରୀମନ୍ଦିର ରୋଷ ଘରେ ଜାଳେଣି ରୂପରେ ବ୍ୟବହୃତ ହୋଇଥାଏ ।

ସେହିଭଳି ପ୍ରଭା ଓ ଚକ ଭଳି ଅଂଶକୁ ନିଲାମ କରାଯାଇଥାଏ । ଶ୍ରୀମନ୍ଦିର ପ୍ରଶାସନର ଚିଠି ପାଇବା ପରେ ରଥକାଠ ତତ୍ୱାବଧାରକ ସୁଦର୍ଶନ ମେକାପଙ୍କ ଉପସ୍ଥିତିରେ ପ୍ରାୟ ୮ ଜଣ ଭୋଈ ସେବକ ପ୍ରଥମେ ଦେବଦଳନ ରଥ ଭାଙ୍ଗିବା ଆରମ୍ଭ କରିଛନ୍ତି। ତେବେ ଚଳିତଥର ରଥ ଚକ ଓ ପ୍ରଭା ଭଳି ଅଂଶକୁ ପାଇବା ପାଇଁ ୧୦୦୧ ଟଙ୍କା ଦେଇ ଆବେଦନ କରିପାରିବେ ଭକ୍ତ ଶ୍ରଦ୍ଧାଳୁ । ଦେବଦଳନ ରଥର ଚକ ପାଇଁ ୫୦ ହଜାର ତାଳଧ୍ଵଜ ରଥ ପାଇଁ ୬୦ ହଜାର ଓ ନନ୍ଦିଘୋଷ ରଥ ଚକକୁ ୧ ଲକ୍ଷ ଟଙ୍କା ଦେଇ ପାଇ ପାରିବେ ଶ୍ରଦ୍ଧାଳୁ।

ad-week
Leave A Reply

Your email address will not be published.