ଅରୁଣ ସ୍ତମ୍ଭ ଆଗରେ ଭାସୁଛି ପେଜ ପାଣି, ଭକ୍ତ ଅସନ୍ତୁଷ୍ଟ

add-all

ପୁରୀ : କୋଟି କୋଟି ଟଙ୍କା ବ୍ୟୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶେଷ ହେବାର ୬ ମାସ ନ ପୁରୁଣୁ ଦେଖାଦେଲାଣି ସାଂଘାତିକ ତ୍ରୁଟି। ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖ ଅରୁଣ ସ୍ତମ୍ଭ ସାମ୍ନାରେ ଭାସୁଛି ପେଜ ନଳାରୁ ନିର୍ଗତ ପାଣି। ଏହାର ଦୁର୍ଗନ୍ଧରେ ନାକ ଫାଟି ପଡ଼ୁଥିବା ସତ୍ତ୍ୱେ ଭକ୍ତମାନେ ବାଧ୍ୟ ହୋଇ ତା’ ମଧ୍ୟରେ ପଶି ମନ୍ଦିରକୁ ଯାଉଛନ୍ତି।
ଆଜି ସକାଳୁ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ପରେ ଅନ୍ୟ ନିତିକାନ୍ତି ଚାଲିଥିବା ବେଳେ ସିଂହଦ୍ୱାର ସମ୍ମୁଖରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଦୀର୍ଘ ସମୟ ଧରି ଅରୁଣ ସ୍ତମ୍ଭ ସାମ୍ନାରେ ପେଜ ଭାସି ଚାଲିଲା। ପେଜ ସ୍ରୋତକୁ ସଫା ନିମନ୍ତେ ସଫେଇ କର୍ମଚାରୀ ନିୟୋଜିତ ଥିଲେ ବି ତାହା ବନ୍ଦ ହେବା ନାଁ ଧରୁ ନ ଥିଲା।
ଶ୍ରୀମନ୍ଦିର ଭୋଜନାଳୟରୁ ଏହି ପେଜପାଣି ଆସୁଥିବା ଜଣାପଡ଼ିଛି। ତେବେ ଏଥିରେ ଆଖପାଖ ସାହିବସ୍ତିର ପାଣି ମିଶୁଥିବା କୁହାଯାଉଥିବା ବେଳେ ଏହାକୁ ଖଣ୍ଡନ କରିଛନ୍ତି ଅଧିକାରୀ ।
ନାଳରେ କିଛି ଚୋପା ଜାତୀୟ ପଦାର୍ଥ ଜମା ହୋଇ ଏହି ପରିସ୍ଥିତି ସୃଷ୍ଟି ହୋଇଛି। ତୁରନ୍ତ ଏହାର ସମାଧାନ ପାଇଁ ଅଧିକାରୀ ତଥା କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି। ତେବେ ଏଥିଯୋଗୁ ଭକ୍ତଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି। ଶ୍ରୀମନ୍ଦିର ପ୍ରଶାସନର ଖାମଖିଆଲିପଣ ଯୋଗୁ ଏପରି ସ୍ଥିତି ଉପୁଜିଥିବା ସେମାନେ କହିଛନ୍ତି। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ସମସ୍ୟା ସମ୍ପୂର୍ଣ୍ଣ ଭାବେ ସମାଧାନ ହୋଇ ନ ଥିବା ଜଣାଯାଇଛି।

ad-week
Leave A Reply

Your email address will not be published.