ୟୁକ୍ରେନ୍‌ରେ ଶାନ୍ତି ପାଇଁ ମୋଦି-ବାଇଡେନ୍‌ କଥାବାର୍ତ୍ତା

add-all

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥା ହେଲେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌। ନିକଟରେ ୟୁକ୍ରେନ ଗସ୍ତରୁ ଫେରିଥିବା ପ୍ରଧାନମନ୍ତ୍ରୀ ମୋଦି ସୋମବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ କଥା ହୋଇଛନ୍ତି।

ଉଭୟ ରାଷ୍ଟ୍ର ନେତାଙ୍କ ମଧ୍ୟରେ ହୋଇଥିବା ଏହି ଟେଲିଫୋନ କଥାବାର୍ତ୍ତାରେ ଭାରତ-ଆମେରିକା ଦ୍ୱିପାକ୍ଷିକ ସମ୍ପର୍କ ଉପରେ ଗୁରୁତ୍ୱ ଦିଆଯାଇଛି। ଏନେଇ ଖୋଦ୍ ପ୍ରଧାନମନ୍ତ୍ରୀ ମୋଦି ସୋଶାଲ ମିଡିଆରେ ଏକ ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି। 

ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୋଲାଣ୍ଡ ଓ ୟୁକ୍ରେନ୍‌ ଗସ୍ତରେ ଯାଇଥିଲେ। ରାଷ୍ଟ୍ରପତି ବାଇଡେନ ତାଙ୍କ ପୋଲାଣ୍ଡ ଏବଂ ୟୁକ୍ରେନ ଗସ୍ତକୁ ନେଇ ଅନେକ ବିଶ୍ୱସ୍ତରୀୟ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହୋଇଛନ୍ତି। ବିଶେଷ କରି ଯୁଦ୍ଧକ୍ଷେତ୍ର ୟୁକ୍ରେନରେ ଶୀଘ୍ର ଶାନ୍ତି ଓ ସ୍ଥିରତା ଫେରାଇ ଆଣିବାକୁ ଭାରତ କଥାବାର୍ତ୍ତା ଦ୍ୱାରା ସମାଧାନ ସପକ୍ଷରେ ଥିବା ମୋଦି ସ୍ପଷ୍ଟ କରିଛନ୍ତି। ଭାରତ ଓ ଆମେରିକା ସହ ସାରା ବିଶ୍ୱରେ ଗଣତନ୍ତ୍ର ପ୍ରତିଷ୍ଠା, ଆଇନ୍ ପାଳନ ଏବଂ ଲୋକସମ୍ପର୍କ ମଜଭୁତ ଦିଗରେ ଉଭୟ ଦେଶ ପ୍ରତିଶ୍ରୁତିବଦ୍ଧ ବୋଲି ଦୋହରାଇଛନ୍ତି ମୋଦି।

ଏହି ଅବସରରେ ଉଭୟ ନେତା ବାଂଲାଦେଶରେ ସୃଷ୍ଟି ହୋଇଥିବା ଅସ୍ଥିରତା ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିଛନ୍ତି। ବାଂଲାଦେଶରେ ଆଇନ ଶୃଙ୍ଖଳା ପ୍ରତିଷ୍ଠା ସହ ସଂଖ୍ୟାଲଘୁଙ୍କ ସୁରକ୍ଷା ବିଶେଷ କରି ସେଠାରେ ରହୁଥିବା ହିନ୍ଦୁଙ୍କ ସୁରକ୍ଷା ନେଇ ଉଭୟ ମୋଦି ଏବଂ ବାଇଡେନ୍ ଗୁରୁତ୍ୱାରୋପ କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ୨୧ରେ ପୋଲାଣ୍ଡ ଯାଇଥିଲେ। ଏହାପରେ ଅଗଷ୍ଟ ୨୩ରେ ୟୁକ୍ରେନ୍‌ ଯାଇଥିଲେ ମୋଦି। ପୋଲାଣ୍ଡରୁ ୧୦ ଘଣ୍ଟାର ଟ୍ରେନ୍ ଯାତ୍ରା କରି ସେ କିଭ ଯାଇଥିଲେ । ରୁଷ-ୟୁକ୍ରେନ୍ ଯୁଦ୍ଧ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏହା ପ୍ରଥମ ୟୁକ୍ରେନ୍ ଗସ୍ତ ଥିଲା। ଏଠାରେ ୟୁକ୍ରେନ ରାଷ୍ଟ୍ରପତି ଭୋଲଡିମିର ଜେଲେନସ୍କିଙ୍କୁ ଭେଟିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କିଭ୍‌ରେ ଏହି ଦୁଇ ନେତାଙ୍କ ଭେଟ୍‌ଘାଟ ହୋଇଥିଲା। ମୋଦିଙ୍କୁ ସ୍ୱାଗତ କରିଥିଲେ ଜେଲେନସ୍କି।

ad-week
Leave A Reply

Your email address will not be published.