ଶିବାଜୀଙ୍କ ପ୍ରତିମୂର୍ତ୍ତି ଭୁଶୁଡ଼ିବା ଘଟଣା: ସ୍ଥପତି ଓ କଣ୍ଟ୍ରାକ୍ଟରଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା

add-all

ମହାରାଷ୍ଟ୍ରୀ ସିନ୍ଧୁଦୁର୍ଗ ଜିଲ୍ଲାରେ ଥିବା ୩୫ ଫୁଟ ଉଚ୍ଚ ଶିବାଜୀଙ୍କ ପ୍ରତିମୂର୍ତ୍ତି ଭୁଶୁଡ଼ିବା ଘଟଣାରେ ତଦନ୍ତ ଜାରି ରହିଛି। ଆଜି ଷ୍ଟାଚ୍ୟୁ ଭୁଣୁଡ଼ିବା ଘଟଣାରେ କଲ୍ୟାଣର ଜଣେ ସ୍ଥପତି ଓ କୋଲାହାପୁରର ଜଣେ କଣ୍ଟ୍ରାକ୍ଟରଙ୍କ ବିରୋଧରେ ରୁଜୁ ହୋଇଛି ହତ୍ୟା ଉଦ୍ୟମ ମାମଲା।

ସୋମବାର ରାଜକୋଟ ଫୋର୍ଟରେ ଥିବା ଷ୍ଟାଚ୍ୟୁଟି ‌ହଠାତ୍ ଭୁଶୁଡ଼ି ପଡ଼ିଥିଲା। ଏହାକୁ ନେଇ ବିବାଦ ଲାଗି ରହିଛି। ଶିବାଜୀ ମହାରାଜଙ୍କ ଏହି ବିଶାଳକାୟ ପ୍ରତିମୂର୍ତ୍ତିକୁ ୨୦୨୩ ଡିସେମ୍ବର ୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନାବରଣ କରିଥିଲେ। ହେଲେ ଏହାକୁ ବର୍ଷେ ପୂରି ନଥିବା ବେଳେ ସୋମବାର ଭୁଶୁଡ଼ି ପଡ଼ିଥିଲା।

ଏବେ ମାଲଭାନ ପୁଲିସ୍‌ ପୂର୍ତ୍ତ ବିଭାଗର ଅଭିଯୋଗ ଆଧାରରେ ଏଫଆଇଆର ରୁଜୁ କରିଛି। ସ୍ଥପତି ଜୟଦେବ ଆପେଟ ଓ କଣ୍ଟ୍ରାକ୍ଟର ଚେତନ ପାଟିଲଙ୍କ ନାଁରେ ମାମଲା ରୁଜୁ କରାଯାଇଛି। ସିନ୍ଧୁଦୁର୍ଗ ଏସ୍‌ପି ସୌରଭ କୁମାର ଅଗ୍ରୱାଲ କହିଛନ୍ତି, “ଫରେନ୍ସି ଟିମ ଘଟଣାସ୍ଥଳରୁ ନମୁନା ସଂଗ୍ରହ କରିଛି। ଭୁଶୁଡ଼ିବାର କାରଣ ଜାଣିବା ପାଇଁ ବିଶେଷଜ୍ଞଙ୍କୁ ଅଣାଯିବ।

ଏଯାଏ କୌଣସି ଗିରଫଦାରୀ ହୋଇନି। ପ୍ରତିମୂର୍ତ୍ତିର ସ୍ଥପତି ଓ ନିର୍ମାଣ କାମ ନେଇଥିବା ବ୍ୟକ୍ତିଙ୍କ ବିରୋଧରେ ଏଫଆଇଆର ହୋଇଛି। ପ୍ରଥମେ ତଦନ୍ତକାରୀ ଟିମ ସବୁ ଦସ୍ତାବିଜ ଦେଖିବ ଓ ଫରେନ୍ସିକ ରିପୋର୍ଟକୁ ଯାଞ୍ଚ କରିବ। ଏହାପରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବ।”

ପୂର୍ତ୍ତ ବିଭାଗ ତା’ର ଏଫଆଇଆରରେ କହିଛି ଯେ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ୨.୪ କୋଟି ଟଙ୍କା ନୌସେନାକୁ ଦିଆଯାଇଥିଲା। ନିର୍ମାଣରେ ନିମ୍ନ ମାନର ଜିନିଷ ବ୍ୟବହାର କରାଯାଇଥିଲା। କଳଙ୍କି ଲାଗି ଥିବା ନଟ ଓ ବୋଲ୍ଟୋ ପ୍ରତିମୂର୍ତ୍ତିରୁ ମିଳିଛି ବୋଲି ଏଫଆଇଆରରେ କୁହାଯାଇଛି।

ଅନ୍ୟପକ୍ଷରେ ମନ୍ତ୍ରୀ ଦୀପକ କେସରକର କହିଛନ୍ତି ଯେ ସରକାର ଏବେ ଉକ୍ତ ସ୍ଥାନରେ ୧୦୦ ଫୁଟ ଉଚ୍ଚ ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିବେ।

ad-week
Leave A Reply

Your email address will not be published.