ସ୍ୱାତୀ ମାଲିୱାଲଙ୍କୁ ମାଡ଼ ଘଟଣା: କେଜ୍ରିୱାଲଙ୍କ ସହଯୋଗୀଙ୍କୁ ମିଳିଲା ଜାମିନ

add-all

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘନିଷ୍ଠ ସହଯୋଗୀ ବିଭବ କୁମାରଙ୍କୁ ଆଜି ସୁପ୍ରିମକୋର୍ଟ ଜାମିନ ଦେଇଛନ୍ତି। ସେ ଆପ୍‌ର ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲଙ୍କୁ ମାଡ଼ ମାରିବା ଘଟଣାରେ ଗିରଫ ହୋଇ ଜେଲରେ ଥିଲେ। ପ୍ରାୟ ୧୦୦ ଦିନ ପରେ ତାଙ୍କୁ ଆଜି ଜାମିନ ମିଳିଛି।

ଜଷ୍ଟିସ ସୂର୍ଯ୍ୟ କାନ୍ତ ଓ ଜଷ୍ଟିସ ଉଜ୍ଜ୍ୱଳ ଭୂୟାଁଙ୍କ ଖଣ୍ଡପୀଠ ଆଜି ତାଙ୍କ ଆବେଦନର ଶୁଣାରି କରି ଜାମିନ ପ୍ରଦାନ କରିଛନ୍ତି। ଶୁଣାଣି ବେଳେ ଜଷ୍ଟିସ ଭୂୟାଁ କହିଥିଲେ ଯେ ବିଭବ କୁମାର ୧୦୦ ଦିନ ହେଲା ବିଚାର ବିଭାଗୀୟ ହାଜତରେ ଅଛନ୍ତି। ମାମଲାରେ ଚାର୍ଜଶିଟ ମଧ୍ୟ ଦାଖଲ ହୋଇ ସାରିଛି।

ଆଘାତ ଚିହ୍ନ(ମାଲିୱାଲ) ମଧ୍ୟ ସାଧାରଣ। ଏହା ଏକ ଜାମିନ ଯୁକ୍ତ ମାମଲା। ଆପଣ ଏହାକୁ ବିରୋଧ କରନ୍ତୁ ନାହିଁ। ଏପରି ଏକ ମାମଲାରେ ଆପଣ ଜଣଙ୍କୁ ଜେଲରେ ରଖି ପାରିବେ ନାହିଁ।

ଦିଲ୍ଲୀ ପୁଲିସ୍‌ ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ ଏସ୍‌ଭି ରାଜୁ କହିଥିଲେ ଯେ ମାମଲାରେ ଏମିତି କିଛି ନିର୍ଦ୍ଦିଷ୍ଟ ସାକ୍ଷୀ ରହିଛନ୍ତି, ଯେଉଁମାନେ ବିଭବ କୁମାରଙ୍କ ଦ୍ୱାରା ପ୍ରଭାବିତ ହୋଇପାରନ୍ତି। ତାଙ୍କ ବୟାନକୁ ଯାଞ୍ଚ କରାଯାଉ। ଏହାପରେ ମୁଁ ଜାମିନକୁ ବିରୋଧ କରିବି ନାହିଁ ବୋଲି ସେ କହିଥିଲେ।

ଏହାର ଜବାବର ଜଷ୍ଟିସ ଭୂୟାଁ କହିଥିଲେ ଯେ “ଯଦି ଏମିତି ବିଚାର କରାଯିବ। ଆମେ ତା’ହେଲେ କାହାକୁ ବି ଆଉ ଜାମିନ ଦେଇପାରିବୁ ନାହିଁ। ଏପରି ଆଶଙ୍କା କେବଳ ଅତିରଞ୍ଜିତ।” ଏହାପରେ କୋର୍ଟ ବିଭବ କୁମାରଙ୍କୁ ଜାମିନ ପ୍ରଦାନ କରିଥିଲେ।

ମେ’ ୧୩ରେ କେଜ୍ରିୱାଲଙ୍କ ବାସଭବନରେ ବିଭବ କୁମାର ଆପ୍‌ ସାଂସଦ ମାଲିୱାଲଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ତାଙ୍କ ଗୋଡ଼ ଓ ମୁହଁରେ ସାମାନ୍ୟ ଆଘାତ ଲାଗିଥିବା ମେଡିକାଲ ରିପୋର୍ଟରୁ ସ୍ପଷ୍ଟ ହୋଇଥିଲା। ଏହାପରେ ମେ’ ୧୮ରେ ଦିଲ୍ଲୀ ପୁଲିସ୍‌ ବିଭବ କୁମାରଙ୍କୁ ଗିରଫ କରିଥିଲା। ସେବେଠାରୁ ସେ ଜେଲରେ ରହିଥିଲେ।

ad-week
Leave A Reply

Your email address will not be published.