ବିଜେପିରେ ମିଶିଲେ ରବିନ୍ଦ୍ର ଜାଡେଜା

add-all

ନୂଆଦିଲ୍ଲୀ : ଟି-୨୦ କ୍ରିକେଟରୁ ଅବସର ନେଇ ସାରିଥିବା ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ତାଙ୍କର ନୂଆ ଇନିଂସ ଆରମ୍ଭ କରିଛନ୍ତି। ସେ ଏବେ ରାଜନୀତିରେ ପାଦ ଦେଇଛନ୍ତି। ଜାଡେଜା କେନ୍ଦ୍ରରେ କ୍ଷମତାସୀନ ବିଜେପିରେ ମିଶିଛନ୍ତି। ଜାଡେଜା ବିଜେପିର ସଦସ୍ୟତା ଗ୍ରହଣ କରିଥିବା ତାଙ୍କ ପତ୍ନୀ ସମସ୍ତଙ୍କୁ ଅବଗତ କରାଇଛନ୍ତି।
ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭାବା ହେଉଛନ୍ତି ବିଜେପିର ଗୁଜରାଟ ବିଧାୟକ। ତାଙ୍କ ପରେ ଏବେ ଜାଡେଜା ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି। ରିଭାବା ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ରବୀନ୍ଦ୍ର ଜାଡେଜା ବିଜେପିର ନୂଆ ସଦସ୍ୟ ହୋଇଥିବା ଫଟୋକୁ ଶେୟାର କରିଛନ୍ତି।
ରିଭାବା ମଧ୍ୟ ବିଜେପିର ସଦସ୍ୟତା ପୁଣି ଗ୍ରହଣ କରିଥିବା କହିଛନ୍ତି। ସଦସ୍ୟତା ଗ୍ରହଣ କରିବା ପରେ ବିଜେପି ପକ୍ଷରୁ ମିଳୁଥିବା କାର୍ଡକୁ ମଧ୍ୟ ସେ ସାର୍ବଜନୀନ କରିଛନ୍ତି।
ସେପ୍ଟେମ୍ବର ୨ରୁ ବିଜେପିର ସଦସ୍ୟତା ସଂଗ୍ରହ ଅଭିଯାନ ଦେଶବ୍ୟାପୀ ଆରମ୍ଭ ହୋଇଛି। ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଏହାକୁ ଶୁଭାରମ୍ଭ କରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମେ ଦଳରେ ଥିବା ତାଙ୍କ ସଦସ୍ୟତାକୁ ନବୀକରଣ କରିଥିଲେ। ଏନେଇ ମୋଦିଙ୍କୁ ମଧ୍ୟ ଗୋଟିଏ ପ୍ରମାଣପତ୍ର ମିଳିଥିଲା।
ଏହାପରେ ପୂରା ଦେଶରେ ସଦସ୍ୟତା ସଂଗ୍ରହ ଅଭିଯାନ ଚାଲିଛି। ଏହିକ୍ରମରେ ଜାଡେଜା ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି। ଜାଡେଜାଙ୍କ ପତ୍ନୀ ୨୦୧୯ରେ ବିଜେପିରେ ମିଶିଥିଲେ। ତାଙ୍କୁ ୨୦୨୨ ଗୁଜରାଟ ନିର୍ବାଚନ ବେଳେ ଜାମନଗରରୁ ଦଳ ପ୍ରାର୍ଥୀ କରିଥିଲା। ସେ ଏଠାରେ ଆପ୍‌ ପ୍ରାର୍ଥୀଙ୍କୁ ହରାଇଥିଲେ।
ଅନ୍ୟପକ୍ଷରେ ଜାଡେଜା କ୍ରିକେଟରୁ ସଂପୂର୍ଣ୍ଣ ଅବସର ନେଇ ନାହାନ୍ତି। ସେ କେବଳ ଟି-୨୦ରୁ ଅବସର ନେଇଥିବା ବେଳେ ଦିନିକିଆ ଓ ଟେଷ୍ଟରେ ଭାରତ ପାଇଁ ଖେଳିବେ ବୋଲି ସ୍ପଷ୍ଟ କରିଛନ୍ତି। ଏପରି ସ୍ଥିତିରେ ସେ କୌଣସି ରାଜନୀତିକ ଦଳର ସଦସ୍ୟତା ଗ୍ରହଣ କରିବା ସମସ୍ତଙ୍କୁ ଚକିତ କରିଛି।

ad-week
Leave A Reply

Your email address will not be published.