ପ୍ରାର୍ଥୀ ଘୋଷଣା କଲା ବିଜେପି: ଭିନେଶଙ୍କୁ ଟକ୍କର ଦେବେ ଏହି ନେତା

add-all

ଅକ୍ଟୋବର ୫ରେ ହେବାକୁ ଥିବା ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଆଜି ବିଜେପି ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି। ଏହି ପର୍ଯ୍ୟାୟରେ ଦଳ ୨୧ ଜଣଙ୍କ ନାଁ ଘୋଷଣା କରିଛି। ଏହାକୁ ମିଶାଇ ବିଜେପି ହରିୟାଣାର ୯୦ଟି ବିଧାନସଭା ଆସନରୁ ୮୮ଟି ସ୍ଥାନରେ ପ୍ରାର୍ଥୀ ଦେଇ ସାରିଲାଣି। ଏବେ ଆଉ ୨ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯିବ। ପ୍ରଥମ ପର୍ଯ୍ୟାୟରେ ଦଳ ୬୭ ଜଣଙ୍କ ନାଁ ଘୋଷଣା କରିଥିଲା।

ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ବିଜେପି ଜୁଲାନା ଆସନରୁ କିଏ ଲଢ଼େଇ କରିବେ, ତାଙ୍କ ନାଁ ସାର୍ବଜନୀନ କରିଛି। ଜୁଲାନାରେ ଏଥର ହାଇପ୍ରୋଫାଇଲ ଲଢ଼େଇ ହେବ। କାରଣ ଗୋଟିଏ ପଟେ କଂଗ୍ରେସରୁ ଷ୍ଟାର ରେସଲର ତଥା ଅଲିମ୍ପିଆନ ଭିନେଶ ଫୋଗାଟ ରହିଥିବା ବେଳେ ବିଜେପି କ୍ୟାପ୍ଟେନ ଯୋଗେଶ ବୈରାଗୀଙ୍କୁ ପ୍ରାର୍ଥୀ କରିଛି। 

ଭିନେଶ କଂଗ୍ରେସରେ ମିଶିବା ପରେ ଦଳ ତାଙ୍କୁ ଜୁଲାନା ଆସନରୁ ପ୍ରାର୍ଥୀ କରିଥିଲା। ଏଠାରେ ବିଜେପି କାହାକୁ ଟିକେଟ ଦେବ, ତା’କୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଆଜି କ୍ୟାପ୍ଟେନ ଯୋଗେଶଙ୍କ ନାଁ ଘୋଷଣା କରାଯାଇଛି।

କ୍ୟାପ୍ଟେନ ଯୋଗେଶ ଏବେ ବିଜେପି ଯୁବ ମୋର୍ଚ୍ଚାର ରାଜ୍ୟ ଉପସଭାପତି। ସେହିପରି ସେ ହରିୟାଣା ବିଜେପିର କ୍ରୀଡ଼ା ସେଲର ସହ ଆବାହକ ଭାବେ କାର୍ଯ୍ୟ କରୁଥିବା ଫେସବୁକରେ ଉଲ୍ଲେଖ କରିଛନ୍ତି।

ଏହାବାଦ ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନିଙ୍କ ଘନିଷ୍ଠ କୁହାଯାଉଥିବା ପବନ ସୈନିଙ୍କୁ ବିଜେପି ନାରାୟଣଗଡ଼ରୁ ପ୍ରାର୍ଥୀ କରିଛି। ପୁଣ୍ଡ୍ରୀ ଆସନରୁ ସତପାଲ ଜାମ୍ବା ପ୍ରାର୍ଥୀ ହୋଇଛନ୍ତି। ପୁନହାନାରୁ ଅଜିତ ଖାନ, ହାଥିନରୁ ମନୋଜ ରାୱତ ଓ ହୋଡାଲରୁ ହରିନ୍ଦର ସିଂହଙ୍କୁ ଟିକେଟ ମିଳିଛି।

ହରିୟାଣା ବିଜେପିର ପୂର୍ବତନ ମୁଖିଆ ଓମ ପ୍ରକାଶ ଧନକର ବଡଲି ଆସନରୁ ଲଢ଼ିବେ। ବରିଷ୍ଠ ନେତା ଅନୀଲ ବିଜ ପୂର୍ବଭଳି ପାରମ୍ପରିକ ଅମ୍ବାଲା କ୍ୟାଣ୍ଟରୁ ପ୍ରାର୍ଥୀ ହୋଇଛନ୍ତି।

ad-week
Leave A Reply

Your email address will not be published.