ଆପଣ ୨୦୪୭ ଯାଏ ବଞ୍ଚନ୍ତୁ, ଖଡ଼ଗେଙ୍କୁ ଟାର୍ଗେଟ୍‌ କଲେ ଶାହ

add-all

‘ଖଡ଼ଗେ ଦୀର୍ଘାୟୁ ହୁଅନ୍ତୁ। ସୁସ୍ଥ ରୁହନ୍ତୁ। ୨୦୪୭ ଯାଏ ବିକଶିତ ଭାରତର ନିର୍ମାଣ ହେବା ଯାଏ ସେ ଜୀବିତ ରୁହନ୍ତି।’ ଆଜି ଏଭଳି କିଛି କହି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।

ଜମ୍ମୁ-କଶ୍ମୀରର ଜସ୍ରୋତାଠାରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରିବା ଅବସରରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଅସୁସ୍ଥ ହୋଇପଡିଥିଲେ। ତଥାପି ଟିକେ ଭଲ ଲାଗିବା ପରେ ସେ ମୋଦିଙ୍କୁ ସମାଲୋଚନା କରିଥିଲେ। ମୋଦିଙ୍କୁ କ୍ଷମତାରୁ ନହଟାଇବା ଯାଏଁ ସେ ମରିବେ ନାହିଁ ବୋଲି କହିଥିଲେ। ଏବେ ଏହାକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅମିତ ଶାହ ପ୍ରତିକ୍ରିୟା ରଖିଛନ୍ତି।

ଶ୍ରୀ ଶାହ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କ୍ଷମତାକୁ ହଟାଇଲା ପରେ ସେ (ମଲ୍ଲିକାର୍ଜୁନ ଖଡ଼ଗେ) ମରିବେ ବୋଲି କହିଛନ୍ତି। ନିଜ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ମନ୍ତବ୍ୟ ଦେବା ବେଳେ ମଲ୍ଲିକାର୍ଜୁନ ଖଡ଼ଗେ ଏପରି କହି ଅଯଥାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତା’ ଭିତରକୁ ଟାଣିଛନ୍ତି।

ଖଡ଼ଗେଙ୍କ ମନ୍ତବ୍ୟରୁ ଜଣାପଡୁଛି ଯେ କଂଗ୍ରେସ ନେତାଙ୍କ ମନରେ ମୋଦିଙ୍କ ପ୍ରତି କେତେ ଘୃଣା ଓ ଭୟ ରହିଛି ବୋଲି ଶାହ କହିଛନ୍ତି। କଂଗ୍ରେସ ନେତାମାନେ ସବୁବେଳେ ଏଭଳି ଚିନ୍ତା କରୁଛନ୍ତି। ଖଡ଼ଗେଙ୍କ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରନ୍ତୁ। ମୁଁ ପ୍ରାର୍ଥନା କରୁଛି ଏବଂ ଆମେ ସମସ୍ତେ ପ୍ରାର୍ଥନା କରୁଛୁ ଯେ ସେ ଦୀର୍ଘ ଦିନ ପର୍ଯ୍ୟନ୍ତ ସୁସ୍ଥ ରୁହନ୍ତୁ। କଂଗ୍ରେସ ନେତା ୨୦୪୭ ସୁଦ୍ଧା ଏକ ବିକଶିତ ଭାରତ ଗଠନ ହେବା ଯାଏ ସେ ଏହାକୁ ଦେଖିବାକୁ ବଞ୍ଚି ରହିବେ ବୋଲି ଶାହ ସୋଶାଲ ମିଡିଆ ହ୍ୟାଣ୍ଡେଲ ଏକ୍ସରେ ପୋଷ୍ଟ କରିଛନ୍ତି।

ଗତକାଲି ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି ମଲ୍ଲିକାର୍ଜୁନ ଖଡ଼ଗେ କହିଥିଲେ ଯେ ଜମ୍ମୁ-କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦେବା ପାଇଁ ସେ ନିଶ୍ଚିତ ଭାବେ ଲଢ଼ିବେ। ତାଙ୍କର ବୟସ ୮୩। ଏତେ ଶୀଘ୍ର ମରିବେ ନାହିଁ । ମୋଦିଙ୍କୁ କ୍ଷମତାରୁ ହଟାଇବା ପର୍ଯ୍ୟନ୍ତ ସେ ବଞ୍ଚିବେ। ମୋଦି ଜମ୍ମୁ-କଶ୍ମୀର ଆସି ଯୁବକମାନଙ୍କ ଭବିଷ୍ୟତ ପାଇଁ ମିଛ ଲୁହ ଝରାଉଛନ୍ତି ବୋଲି ଖଡ଼ଗେ କହିଥିଲେ।

ଗତ ୧୦ ବର୍ଷ ମଧ୍ୟରେ ସମଗ୍ର ଦେଶର ଯୁବପିଢ଼ି ଅନ୍ଧାର ଭିତରକୁ ଠେଲି ହୋଇଯାଇଛନ୍ତି, ଯେଉଁଥିପାଇଁ ନିଜେ ମୋଦି ଦାୟୀ। ବେକାରୀ ସଂଖ୍ୟା ବଢିଛି। ଗତ ୪୫ ବର୍ଷ ମଧ୍ୟରେ ସବୁଠାରୁ ଅଧିକ ବେକାରୀ ସୃଷ୍ଟି ହୋଇଛନ୍ତି, ଯାହା ମୋଦି ଶାସନର ଫଳାଫଳ। ମୋଦି-ଶାହଙ୍କ ଚିନ୍ତାଧାରା ରୋଜଗାର ଦେବା ନୁହେଁ, ବରଂ କେବଳ ଭାଷଣ ଦେବା, ଫଟୋ ଉଠାଇବା ଓ ରିବନ କାଟିବା ବୋଲି କହିଥିଲେ ଖଡ଼ଗେ।

ad-week
Leave A Reply

Your email address will not be published.