ଦୁଷ୍କର୍ମ ପରେ ନାବାଳିକାଙ୍କୁ ହତ୍ୟା ଘଟଣା: ଫାଶୀ ଦଣ୍ଡାଦେଶ ଦେଲେ କୋର୍ଟ

add-all

ସମ୍ବଲପୁର : ଏକ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାର ବିଚାର କରି ସମ୍ବଲପୁରର ସ୍ୱତନ୍ତ୍ର ପକ୍ସୋ କୋର୍ଟ ଦୋଷୀ ପ୍ରଶାନ୍ତ ବଘରାଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି। ତା’ ସହିତ କୋର୍ଟ ତାଙ୍କ ଉପରେ ୧ ଲକ୍ଷ ଟଙ୍କା ଜୋରିମାନା ପକାଇଛନ୍ତି।
୨୦୨୨ ମସିହା ମାର୍ଚ୍ଚ ମାସରେ ସମ୍ବଲପୁର ଜିଲ୍ଲା ଯମନକିରା ଥାନା ଅଞ୍ଚଳରେ ଏକ ଗାଁରେ ଘଟିଥିଲା ଏହି ଜଘନ୍ୟ ଘଟଣା। ଗାଁର ଜଣେ ନାବାଳିକା ଶୌଚ ପାଇଁ ବାହାରକୁ ଯାଇଥିବା ବେଳେ ପ୍ରଶାନ୍ତ ତାଙ୍କୁ ଦୁଷ୍କର୍ମ କରି ହତ୍ୟା କରିଥିଲେ।
ସେ ଟାଙ୍ଗିଆରେ ନାବାଳିକାଙ୍କୁ ହାଣି ମୁଣ୍ଡଗଣ୍ଡି ଅଲଗା କରି ଦେଇଥିଲେ। ପରେ କଟାମୁଣ୍ଡ ଧରି ଗାଁରେ ଥିବା ଏକ ନଳକୂପ ପାଖକୁ ଆସିଥିଲେ। ସେ ନଳକୂପ ପାଣିରେ ନାବାଳିକାଙ୍କ କଟାମୁଣ୍ଡକୁ ଧୋଇଥିଲେ। ଏହା ଦେଖି ଗ୍ରାମବାସୀ ଭୟଭୀତ ହୋଇଯାଇଥିଲେ। ସେମାନେ ଘଟଣା ସଂପର୍କରେ ପୁଲିସକୁ ଜଣାଇଥିଲେ। ପୁଲିସ ଆସି ପ୍ରଶାନ୍ତଙ୍କୁ କାବୁ କରିଥିଲା।
ମୃତ ନାବାଳିକାଙ୍କ ବାପାଙ୍କ ଅଭିଯୋଗ ଆଧାରରେ ପୁଲିସ ପ୍ରଶାନ୍ତଙ୍କ ବିରୋଧରେ ବିଭିନ୍ନ ଦଫା ଲଗାଇ ମାମଲା ରୁଜୁ କରିବା ସହିତ ତାଙ୍କୁ ଗିରଫ କରିଥିଲା। ପୁଲିସ୍ ଏହି ମାମଲାରେ ଚାର୍ଜଶିଟ ଦାଖଲ କରିବା ପରେ ପକ୍ସୋ କୋର୍ଟରେ ଶୁଣାଣି ଚାଲିଥିଲା। ମୋଟ ୨୫ ଜଣ ସାକ୍ଷୀଙ୍କ ବୟାନ ଓ ବିଭିନ୍ନ ଦଲିଲକୁ ବିଚାରକୁ ନେଇ କୋର୍ଟ ପ୍ରଶାନ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ ଫାଶୀ ଦଣ୍ଡାଦେଶ ଦେଇଛନ୍ତି।

ad-week
Leave A Reply

Your email address will not be published.