ଓଡ଼ିଶା କ୍ରୀଡା ଓ ଯୁବସେବା ବିଭାଗ ପକ୍ଷରୁ ସଫଳ କ୍ରୀଡ଼ାବିତ୍‌ଙ୍କୁ ସମ୍ବର୍ଦ୍ଧନା, ୭୨ କ୍ରୀଡ଼ାବିତ୍‌ଙ୍କୁ ୩ ଲକ୍ଷ ୮୫ ହଜାର ୫୦୦ ଟଙ୍କା ପୁରସ୍କାର ରାଶି ପ୍ରଦାନ

add-all

ଭୁବନେଶ୍ୱର:ବିଭିନ୍ନ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଆୟୋଜିତ ହୋଇଥିବା କ୍ରୀଡା ପ୍ରତିଯୋଗିତା ମାନଙ୍କରେ ନିଜର ଉଲ୍ଲେଖନୀୟ ପ୍ରଦର୍ଶନ ଦ୍ୱାରା ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଥିବା ୭୨ କ୍ରୀଡାବିତ୍ ମାନଙ୍କୁ ଆଜି ଓଡ଼ିଶା କ୍ରୀଡା ଓ ଯୁବସେବା ବିଭାଗ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। କଳିଙ୍ଗ ଷ୍ଟାଡିୟମ୍ ଠାରେ ଆୟୋଜିତ ହୋଇଥିବା ଆଜିର ପୁରସ୍କାର ବିତରଣ ସମାରୋହରେ ସମୁଦାୟ ୦୯ଟି ବିଭାଗର କ୍ରୀଡ଼ାବିତ୍ ମାନଙ୍କୁ ମୋଟ୍ ୩ ଲକ୍ଷ ୮୫ ହଜାର ୫୦୦ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି।
ଆଜିର କାର୍ଯ୍ୟକ୍ରମରେ ହକି ପ୍ରୋମସନ୍ କାଉନସିଲ୍, ଓଡ଼ିଶାର ସିଇଓ ଦୀପଙ୍କର ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ନିଜର ଅଭିଭାଷଣରେ ସେ ସମସ୍ତ କ୍ରୀଡାବିତ୍ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ପ୍ରତିଭାବାନ୍‌ କ୍ରୀଡାବିତ୍ ମାନଙ୍କୁ ପ୍ରୋତ୍ସାହନ ଦେବା ଦିଗରେ କ୍ରୀଡା ଓ ଯୁବସେବା ବିଭାଗର ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ ଯେ, ଆଜିର କାର୍ଯ୍ୟକ୍ରମରେ ବିଭିନ୍ନ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଅନୁଷ୍ଠିତ ହୋଇଥିବା କ୍ରୀଡା ପ୍ରତିଯୋଗିତା ମାନଙ୍କରେ ନିଜର ଉତ୍କୃଷ୍ଟ ପ୍ରଦର୍ଶନ ମାଧ୍ୟମରେ ଆମ ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଥିବା କ୍ରୀଡାବିତ୍ ମାନଙ୍କୁ ଆମେ ସମ୍ବର୍ଦ୍ଧିତ କରୁଛେ। ଏହା ଆମ ସମସ୍ତଙ୍କ ପାଇଁ ଗର୍ବ ଏବଂ ଆନନ୍ଦର ମୁହୂର୍ତ୍ତ ଏବଂ ଆଜିର ଦିନଟି କ୍ରୀଡାବିତ୍ ମାନଙ୍କର ସଫଳତା ନିମନ୍ତେ ଉତ୍ସର୍ଗୀକୃତ। ଆଗକୁ ମଧ୍ୟ ଆମ କ୍ରୀଡାବିତ୍ ମାନେ ବିଭିନ୍ନ ପ୍ରତିଯୋଗିତା ମାନଙ୍କରେ ପଦକ ହାସଲ କରି ଆମ ରାଜ୍ୟ ଏବଂ ଦେଶକୁ ଗୌରବାନିତ୍ୱ କରିବେ ବୋଲି ମୋର ଆଶା ଓ ବିଶ୍ୱାସ। ଏଥିସହ କ୍ରୀଡାର ବିକାଶ ଓ କ୍ରୀଡାବିତ୍ ମାନଙ୍କର ସର୍ବାଙ୍ଗୀନ ବିକାଶ ପାଇଁ ଆବଶ୍ୟକ ଭିତ୍ତିଭୂମି ଏବଂ ସମସ୍ତ ପ୍ରକାର ସୁବିଧା ଓ ସହଯୋଗ ପ୍ରଦାନ କରାଯିବ ବୋଲି ସେ ମତପ୍ରକାଶ କରିଥିଲେ।
ପ୍ରକାଶଯୋଗ୍ୟ ଯେ, ଆଜିର କାର୍ଯ୍ୟକ୍ରମରେ ବିଭିନ୍ନ କ୍ରୀଡାରେ ସଫଳତା ହାସଲ କରିଥିବା କ୍ରୀଡାବିତ୍‌ ମାନଙ୍କୁ ପୁରସ୍କାର ରାଶି ପ୍ରଦାନ କରାଯାଇଛି। ସୂଚନା ଅନୁଯାୟୀ କ୍ରିକେଟ ଖେଳାଳୀଙ୍କ ପାଇଁ ୧,୧୦,୫୦୦ ଟଙ୍କା, ସେପକ ଟକରାଓ ଖେଳାଳୀଙ୍କ ପାଇଁ ୮୬,୦୦୦ ଟଙ୍କା, ଟେନିସବଲ୍ କ୍ରିକେଟ୍ ପାଇଁ ୮୦,୦୦୦ ଟଙ୍କା, ରୋଲ୍ ବଲ୍ ପାଇଁ ୩୦,୦୦୦ ଟଙ୍କା, ଫେନ୍ସିଙ୍ଗ ପାଇଁ ୨୦,୦୦୦ ଟଙ୍କା, କାୟାକିଙ୍ଗ ପାଇଁ ୨୫,୦୦୦ ଟଙ୍କା, ଟେବଲ୍ ଟେନିସ୍‌ ପାଇଁ ୨୬,୦୦୦ ଟଙ୍କା, ହ୍ୟାଣ୍ଡବଲ୍ ପାଇଁ ୪,୫୦୦ ଟଙ୍କା ଏବଂ ଭଲିବଲ୍ ପାଇଁ ୩,୫୦୦ ଟଙ୍କା ପ୍ରଦାନ କରାଯାଇଛି।
ଆଜିର କାର୍ଯ୍ୟକ୍ରମରେ କ୍ରୀଡା ଓ ଯୁବସେବା ବିଭାଗର ଅତିରିକ୍ତ ସଚିବ ଶ୍ରୀ ବିଜୟ କୁମାର ସ୍ୱାଇଁ, ଯୁଗ୍ମ ସଚିବ ଶ୍ରୀ ଶୈଳେନ୍ଦ୍ର ଜେନା ଓ ଅନ୍ୟ ସମସ୍ତ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.