ଚୋଟ ମାରିଲା ବିଷଧର, ସାପକୁ ବେକରେ ଗୁଡ଼ାଇ ଡାକ୍ତରଖାନାରେ ହାଜର

add-all

ପାଟନା : ବିହାରର ଜଣେ ବ୍ୟକ୍ତି ଏପରି ହରକତ କରିଛନ୍ତି, ଯାହା ସମସ୍ତଙ୍କୁ ଥରହର କରିଦେଇଛି। ଦୁନିଆର ସବୁଠୁ ବିଷଧର ସାପ ଭାବେ ବିବେଚନା କରାଯାଉଥିବା ଚନ୍ଦନ ମନ୍ଦନ ବୁଢା ଚୋଟ ମାରିବା ପରେ ତାକୁ ବେକରେ ଗୁଡ଼ାଇ ଡାକ୍ତରଖାନାରେ ପହଞ୍ଚିଛନ୍ତି।
ଲୁଙ୍ଗି ଓ ଗଞ୍ଜି ପିନ୍ଧିଥିବା ବ୍ୟକ୍ତିଙ୍କ ବେକରେ ବୁଢା ସାପକୁ ଦେଖି ଡାକ୍ତରଖାନାରେ ରୋଗୀଙ୍କଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟକର୍ମୀ ସମସ୍ତେ ଭୟଭୀତ ହୋଇ ପଡ଼ିଥିଲେ। କାରଣ ସେ କେବଳ ସାପକୁ ବେକରେ ଗୋଡାଇ ନଥିଲେ, ଯନ୍ତ୍ରଣା ଜର୍ଜରିତ ଅବସ୍ଥାରେ ଯେଉଁପରି ଭାବେ ସାପକୁ ଜାବୁଡ଼ି ଧରିଥିଲେ ତାହା ଭୟଙ୍କର ଥିଲା।
ବ୍ୟକ୍ତି ଜଣକ ତା’ଠୁ ଆହୁରି ଭୟଙ୍କର ହରକତ ମଧ୍ୟ କରିଛନ୍ତି। ଅତ୍ୟଧିକ ଯନ୍ତ୍ରଣା ହେବାରୁ ସାପକୁ ବେକରୁ ବାହାର ନିଜେ ହସ୍ପିଟାଲ ଚଟାଣରେ ଶୋଇପଡ଼ିବା ସହ ସାପ ମୁଣ୍ଡକୁ ଯୋରରେ ଚାପି ଧରିଥିଲେ। ତାଙ୍କର ଏପରି ହରକତ ଦେଖି ଉପସ୍ଥିତ ଲୋକେ ଭୟଭୀତ ହୋଇ ପଡ଼ିଥିଲେ। କିଛି ଲୋକ ଏହି ସମୟର ଦୃଶ୍ୟକୁ ସୋଶାଲ ମିଡିଆରେ ପୋଷ୍ଟ କରିଛନ୍ତି, ଯାହା ଖୁବ୍ ଭାଇରାଲ୍ ହେଉଛି।
ସୂଚନା ଅନୁସାରେ, ବିହାରର ଏହି ବ୍ୟକ୍ତି ଜଣକ (ପ୍ରକାଶ ମଣ୍ଡଳ) କିଛି କାମ କରୁ ଥିବାବେଳେ ତାଙ୍କୁ ସାପଟି କାମୁଡ଼ି ଦେଇଥିଲା। ଏହାପରେ ସେ ସେହି କ୍ଷଣି ହିଁ ସାପକୁ ଧରି ପକାଇଥିଲେ। କେବଳ ସାପକୁ ଧରି ନଥିଲେ ବେକରେ ଗୁଡ଼ାଇ ଡାକ୍ତରଖାନାରେ ପହଞ୍ଚିଥିଲେ ପ୍ରକାଶ।
ଡାକ୍ତରଖାନାରେ ତାଙ୍କର ଏପରି ବେଶକୁ ଦେଖି ସମସ୍ତେ ଭୟଭୀତ ହୋଇ ପଡ଼ିବାରୁ ସାପକୁ ଛାଡିବାକୁ କହିଥିଲେ ଡାକ୍ତର। ସାପକୁ ଛାଡ଼ିବା ପରେ ଡାକ୍ତର ତାଙ୍କ ଚିକିତ୍ସା ଆରମ୍ଭ କରିଥିଲେ। ବର୍ତ୍ତମାନ ତାଙ୍କ ଚିକିତ୍ସା ଚାଲିଥିବା କୁହାଯାଉଛି। ମାତ୍ର ସ୍ୱାସ୍ଥ୍ୟାବସ୍ଥା କିପରି ଅଛି, ତାହା ଜଣାପଡ଼ିନାହିଁ।

ad-week
Leave A Reply

Your email address will not be published.