ଆସୁଛି ଘୂର୍ଣ୍ଣିବଳୟ: ବାତ୍ୟାର ସୂଚନା ନାହିଁ

add-all

ଭୁବନେଶ୍ବର : ଆସନ୍ତା ୨୦ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ୨୨ ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। କ୍ରମେ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ଅଧିକ ଘନୀଭୂତ ହେବା ନେଇ ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି। ଏହାର ପ୍ରଭାବରେ ୨୩ ଓ ୨୪ ତାରିଖରେ ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି। କିନ୍ତୁ ଏ ନେଇ କୌଣସି ୱାର୍ଣ୍ଣିଂ ଦିଆଯାଇ ନାହିଁ। ଲଘୁଚାପ କ୍ଷେତ୍ର ସୃଷ୍ଟି ପରେ ଚିତ୍ର ଆହୁରି ସ୍ପଷ୍ଟ ହେବ ବୋଲି ମନୋରମା କହିଛନ୍ତି। ତେବେ ବାତ୍ୟା ନେଇ କୌଣସି ସୂଚନା ନାହିଁ।
ଅନ୍ୟପକ୍ଷରେ ପାଣିପାଗ ବିଶେଷଜ୍ଞ ଶରତ ସାହୁଙ୍କ ଆକଳନ ଅନୁଯାୟୀ, ଲଘୁଚାପଟି ଅଧିକ ଘନୀଭୂତ ହୋଇ ଆସନ୍ତା ୨୪ ତାରିଖ ବେଳକୁ ଗଭୀର ଅବପାତ କିମ୍ବା ଏକ ଛୋଟ ବାତ୍ୟାର ରୂପ ନେଇପାରେ। ବିଭିନ୍ନ ମଡେଲର ଆକଳନ ଅନୁଯାୟୀ ଏହା ଓଡ଼ିଶା ଉପକୂଳ କିମ୍ବା ପଶ୍ଚିମବଙ୍ଗ କିମ୍ବା ବାଂଲାଦେଶ ମୁହାଁ ହେବାର ସମ୍ଭାବନା ରହିଛି। ତେବେ ଏ ସଂପର୍କରେ ୨୨-୨୩ ବେଳକୁ ସ୍ପଷ୍ଟ ଚିତ୍ର ଆସିବ ବୋଲି ଶରତ ସାହୁ କହିଛନ୍ତି।
ସୂଚନାରୁ ପ୍ରକାଶ, ମୌସୁମୀ ଅପସାରଣ ପରେ ଗତ କିଛି ଦିନ ହେଲା ଗାଏବ ହୋଇଯାଇଛି ବର୍ଷା। ଆଉ ରାଜୁତି କରୁଛି ଖରା। ବର୍ଷା ଋତୁରେ ଭୟଙ୍କର ତାତି ଅନୁଭୂତ ହେଉଛି। ଯେଉଁଥିପାଇଁ ଚାଷ ଜମିରୁ ପାଣି ଶୁଖିବା ଆରମ୍ଭ ହେଲାଣି। ଧାନ ଗଛ ମରିବାକୁ ବସିଲାଣି। ଆଗାମୀ ୨ରୁ ୩ ଦିନ ଭିତରେ ବର୍ଷା ନହେଲେ ଧାନ ଗଛ ମରିଯିବ ବୋଲି ଜଣାପଡ଼ିଛି।

ad-week
Leave A Reply

Your email address will not be published.