ବେଦାନ୍ତ ଓଡ଼ିଶାରେ ଆଉ ୧ ଲକ୍ଷ କୋଟି ଟଙ୍କା ନିବେଶ କରିବ : ସୃଷ୍ଟି ହେବ ୨ ଲକ୍ଷ ନୂଆ ନିଯୁକ୍ତି

ମୁମ୍ବାଇ, : ବେଦାନ୍ତ ଗତ ଦୁଇ ଦଶନ୍ଧି ଧରି ଓଡ଼ିଶାର ଅଂଶୀଦାର ହୋଇ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜି ନିବେଶ କରିବା ସହିତ ରାଜ୍ୟରେ ଏକ ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟି କରିଥିବାବେଳେ ଆଉ ୧ଲକ୍ଷ କୋଟି ଟଙ୍କାର ନୂତନ ପୁଞ୍ଜି ବିନିଯୋଗ କରିବ । ବେଦାନ୍ତ ଟେଣ୍ଡର ମାଧ୍ୟମରେ ସିଜିମାଳି ଖଣି ପାଇଛି ଯେଉଁଠାରେ ବିପୁଳ ପରିମାଣର ବକ୍ସାଇଟ୍‌ ଗଚ୍ଛିତ ରହିଛି ।
ମେକ୍‌ ଇନ୍‌ ଓଡ଼ିଶା କନ୍‌ କ୍ଲେଭ୍‌ ୨୦୨୫ ରୋଡ୍‌ ସୋ’ରେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ପ୍ରତିନିଧିଦଳ ସହ ଆଲୋଚନାବେଳେ ବେଦାନ୍ତ ଲିମିଟେଡ୍‌ ୧ ଲକ୍ଷ କୋଟି ଟଙ୍କାର ନୂଆ ପୁଞ୍ଜିନିବେଶ ଘୋଷଣା କରିଛି । ଅକ୍ଷୟ ଶକ୍ତି ଦ୍ୱାରା ପରିଚାଳିତ ସବୁଜ ଆଲୁମିନିୟମ ଉତ୍ପାଦନ ଉପରେ ଗୁରୁତ୍ୱ ଦେଇ ବାର୍ଷିକ ୬ ନିୟୁତ ଟନ୍‌ ଆଲୁମିନିୟମ ରିଫାଇନାରୀ ଓ ୩ ମିଲିୟନ ଟନ୍‍ କ୍ଷମତା ବିଶିଷ୍ଟ ଆଲୁମିନିୟମ କାରଖାନା ପ୍ରତିଷ୍ଠା ଦିଗରେ ଏହି ପୁଞ୍ଜିନିବେଶକୁ ଆଗେଇ ନିଆଯିବ । ଅଟୋ, ଶକ୍ତି, ର୍ନିମାଣ ଏବଂ ରେଲୱେ ଭଳି ଶତାଧିକ କ୍ଷେତ୍ରରେ ବ୍ୟବହୃତ ହେଉଥିବା ଆଲୁମିନିୟମର ଅଧିକ ପ୍ରୟୋଗ ହେଉଥିବାରୁ ଏହା ଆନୁଷଙ୍ଗିକ ଶିଳ୍ପ ପାଇଁ ଏକ ବିଶାଳ ଶିଳ୍ପ କମ୍ପେ୍ଲକ୍ସ ସୃଷ୍ଟି କରିବ ।
୨୦୩୦ ସୁଦ୍ଧା ଅଧା ଟ୍ରିଲିୟନ ଡଲାର ଅର୍ଥନୀତି ହାସଲ କରିବା ଲକ୍ଷ୍ୟ ନେଇ ଓଡ଼ିଶା ଅନ୍ୟତମ ବିକଶିତ ରାଜ୍ୟରେ ପରିଣତ ହେବା ଦିଗରେ ଅଗ୍ରସର ହେଉଥିବା ବେଳେ ବେଦାନ୍ତ ଝାରସୁଗୁଡ଼ା ଭଳି ରାୟଗଡ଼ାକୁ ଏକ ଉଚ୍ଚ ବିକଶିତ ଅଞ୍ଚଳ ଭାବେ ଉଭା ହେବାକୁ ଲକ୍ଷ୍ୟ ରଖିଛି । ଓଡ଼ିଶା ସରକାରଙ୍କ ସହଯୋଗରେ ବେଦାନ୍ତ ଶିକ୍ଷାନୁଷ୍ଠାନ, ଡାକ୍ତରଖାନା, ଦକ୍ଷତା ବିକାଶ କେନ୍ଦ୍ର ଓ ନନ୍ଦଘର ପ୍ରତିଷ୍ଠା କରି ରାଜ୍ୟବାସୀଙ୍କୁ ଉପକୃତ କରିବ । ଓଡ଼ିଶାରେ ଏହା ହେଉଛି ସର୍ବବୃହତ୍‍ ପୁଞ୍ଜିନିବେଶ ଯାହା ୧୦୦୦ ଏମ୍‌ଏସ୍‌ଏମ୍‌ଇ ପାଇଁ ସୁଯୋଗ ସୃଷ୍ଟି ସହିତ ୨ ଲକ୍ଷ ନିଯୁକ୍ତି ସୃଷ୍ଟି କରିବ । ଆଲୁମିନିୟମ ଭବିଷ୍ୟତର ଭିତ୍ତିଭୂମି ହୋଇଥିବାରୁ ୨୦୩୦ ସୁଦ୍ଧା ଆଲୁମିନିୟମ୍‌ ର ଚାହିଦା ସମାନ ଭାବରେ ବୃଦ୍ଧି ପାଇବ ।
ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଲେ, ୨୦୪୭ ସୁଦ୍ଧା ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତ ପରିକଳ୍ପନା ପ୍ରତି ଓଡ଼ିଶାର ନୂତନ ଡବଲ ଇଞ୍ଜିନ ସରକାର ପ୍ରତିଶ୍ରୁତିବଦ୍ଧ । ୨୦୩୦ ସୁଦ୍ଧା ଓଡ଼ିଶାକୁ ଅଧା ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଥିବାରୁ ଆମେ ନୂଆ ଓଡ଼ିଶାରେ ପୁଞ୍ଜିନିବେଶ କରିବାକୁ ବିଶ୍ୱକୁ ଆମନ୍ତ୍ରଣ କରୁଛୁ । ଆମେ ଜାନୁଆରୀ ୨୦୨୫ରେ ମେକ୍‌ ଇନ୍‌ ଓଡ଼ିଶା କାର୍ଯ୍ୟକ୍ରମ ଉକ୍ରର୍ଷ ଓଡ଼ିଶା ଆୟୋଜନ କରୁଛୁ ଏବଂ ଆଜି ପ୍ରି-ଇଭେଣ୍ଟ ରୋଡ୍‌ ସୋ’ ସମୟରେ ଆମେ ବେଦାନ୍ତ ଅଧ୍ୟକ୍ଷ ଶ୍ରୀ ଅନୀଲ ଅଗ୍ରୱାଲଙ୍କ ସହ ଫଳପ୍ରଦ ଆଲୋଚନା କରିଛୁ ।

ad-week
Leave A Reply

Your email address will not be published.