ମେଡିକାଲ୍‌ରେ ପିଲା ଜନ୍ମ ପରେ ହାତ ଖର୍ଚ୍ଚ ପାଇଁ ୫୦୦୦ ଟଙ୍କା ନେଲେ ନର୍ସ

add-all

ଅନୁଗୁଳ : ସରକାରୀ ମେଡିକାଲ୍‌ରେ ଅଜବ ଚିତ୍ର। ପିଲା ଜନ୍ମ ପରେ ହାତ ଖର୍ଚ୍ଚ ପାଇଁ ନର୍ସ ନେଲେ ୫୦୦୦ ଟଙ୍କା। ଆଉ କହିଲେ ଯିଏ ସରକାରୀ ମେଡ଼ିକାଲ୍‌ରେ ପ୍ରସବ କରାଇବ, ତାଙ୍କୁ ୫ ହଜାର ଟଙ୍କା ଦେବାକୁ ପଡ଼ିବ। ତେଣୁ କିଛି ଉପାୟ ନପାଇ ଦାରିଦ୍ର୍ୟ ଯନ୍ତ୍ରଣାରେ ଜୁଜୁଥିବା ରୋଗୀ ଜଣକ ଧାର ଉଧାର କରି ୫୦୦୦ ଟଙ୍କା ଦେଇଥିଲେ। ସ୍ୱାସ୍ଥ୍ୟ ସେବାର ଏପରି ବିଚିତ୍ର ଚିତ୍ର ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲାରେ।
ପରାଚାଟ ଗାଁର ପ୍ରତାପ ସାହୁଙ୍କ ପତ୍ନୀ ରୀତା ଗର୍ଭବତୀ ଥିଲେ। ଗତ ୨୫ ତାରିଖରେ ସିଏ ଗର୍ଭ ଯନ୍ତ୍ରଣା ପାଇଥିଲେ। ତେଣୁ ପ୍ରତାପ ତାଙ୍କୁ ଖମାର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ମେଡ଼ିକାଲ୍‌ରେ ପ୍ରସବ କରିଥିଲେ ରୀତା। ପିଲା ଜନ୍ମ ପରେ ମେଡିକାଲ୍‌ରେ କାର୍ଯ୍ୟରତ ନର୍ସମାନେ ତାଙ୍କୁ ହାତ ଖର୍ଚ୍ଚ ପାଇଁ ୫୦୦୦ ଟଙ୍କା ମାଗିଥିଲେ। ମାତ୍ର ଦାରିଦ୍ର୍ୟ ଯନ୍ତ୍ରଣାରେ ଜର୍ଜରୀତ ପ୍ରତାପ ଏତେ ଟଙ୍କା ଦେବା ପାଇଁ ଅସହାୟତା ପ୍ରକାଶ କରିଥିଲେ।
ଅଭିଯୋଗ ଅନୁସାରେ ନର୍ସମାନେ କୁଆଡେ ପ୍ରତାପଙ୍କୁ ୫୦୦୦ ଟଙ୍କା ଦେବା ପାଇଁ ଜୋର୍ ଜବରଦସ୍ତ କରିଥିଲେ। ଆଉ କହିଥିଲେ ଯିଏ ମେଡ଼ିକାଲ୍‌ରେ ପ୍ରସବ କରାଉଛି, ସିଏ ୫ ହଜାର ଦେଉଛି। ନର୍ସଙ୍କଠାରୁ ଏପରି କଥା ଶୁଣିବା ପରେ ଅଡୁଆରେ ପଡ଼ି ଯାଇଥିଲେ ପ୍ରତାପ। ବହୁ କଷ୍ଟରେ ପତ୍ନୀଙ୍କ ଚିକିତ୍ସା ପାଇଁ ପାଖରେ ରଖିଥିବା ଟଙ୍କା ଓ ଧାର ଉଧାର କରି ୫୦୦୦ ଟଙ୍କା ଜୁଗାଡ଼ କରିଥିଲେ। ସେହି ଟଙ୍କା ନର୍ସଙ୍କୁ ଦେଇଥିଲେ।
ଧାର ଉଧାର କରି ଟଙ୍କା ଦେବା ପରେ ପ୍ରତାପଙ୍କ ପକେଟ୍‌ ଖାଲି ହୋଇଯାଇଥିଲା। ପତ୍ନୀ ଓ ପିଲାକୁ ଘରକୁ ନେବେ କେମିତି? ମେଡ଼ିକାଲ୍‌ରେ ରହିବା ବେଳେ ଖାଇବେ କ’ଣ? ସେହି ଚିନ୍ତାରେ ପଡ଼ି ଯାଇଥିଲେ। ଶେଷରେ କିଛି ଉପାୟ ନପାଇ ମେଡ଼ିକାଲ୍‌ ପାଖରେ ଥିବା ଜଣେ ଦୋକାନୀଙ୍କୁ ଖାଇବା ପାଇଁ କିଛି ଟଙ୍କା ଧାର ମାଗିଥିଲେ। ଦୋକାନୀ ଜଣକ ତାଙ୍କୁ ସବୁ କଥା ପଚାରିଥିଲେ। ତା’ପରେ ପ୍ରତାପ ସବୁ କଥା ଗୋଟି ଗୋଟି କରି କହିଥିଲେ। ପରବର୍ତ୍ତୀ ସମୟରେ ସମୟ ସେହି କଥା ପ୍ରଘଟ ହୋଇ ଯାଇଥିଲା। ସ୍ଥାନୀୟ ଲୋକମାନେ ଜାଣିବାକୁ ପାଇଥିଲେ।
ଏକଥା ଜାଣିବା ପରେ ସ୍ଥାନୀୟ ଲୋକେ ମେଡିକାଲରେ ପହଞ୍ଚି ହୋ-ହଲ୍ଲା କରିଥିଲେ। ସେଥିରେ ଭୟଭୀତ ହୋଇ ନର୍ସମାନେ ନେଇଥିବା ୫୦୦୦ ଟଙ୍କା ପ୍ରତାପଙ୍କୁ ଫେରାଇ ଦେଇଥିଲେ। ଏପରିକି ଅନ୍ୟ ପ୍ରସୂତିଙ୍କଠାରୁ ନେଇଥିବା ଟଙ୍କା ମଧ୍ୟ ଫେରାଇ ଦେଇଥିଲେ। ଟଙ୍କା ନେବା କଥା ଆଗକୁ ନବଢ଼ାଇବା ପାଇଁ ନର୍ସମାନେ ରୋଗୀଙ୍କୁ କହିଥିବା ଅଭିଯୋଗ ହୋଇଛି।

ସେପଟେ ମେଡ଼ିକାଲ ଅଧିକାରୀ ଶଶିକାନ୍ତ ବେହେରା କହିଛନ୍ତି, ପ୍ରାଥମିକ ତଦନ୍ତରୁ ଯାହା ଜଣାପଡ଼ୁଛି ନର୍ସ କିରଣ ବାଳା ନାଏକ ଓ ରୀନା ମହାନ୍ତି ସେତେବେଳେ କାର୍ଯ୍ୟରତ ଥିଲେ। ସେମାନଙ୍କ ସଂପୃକ୍ତି ଥିବା ଜଣାପଡ଼ୁଛି। ତେଣୁ ସେମାନଙ୍କ ଉପରେ କାର୍ଯ୍ୟାନଷ୍ଠାନ ହେବ।

ad-week
Leave A Reply

Your email address will not be published.