‘କଙ୍ଗୁଭା’ ରିଲିଜ ପୂର୍ବରୁ ଫିଲ୍ମ ଏଡିଟରଙ୍କ ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ

add-all

ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ସୂର୍ଯ୍ୟା ଏବଂ ବବି ଦେଓଲଙ୍କ ଅଭିନୀତ ‘କଙ୍ଗୁଭା’ ଫିଲ୍ମର ସଂପାଦକ ନିଶାଦ ୟୁସୁଫଙ୍କର ମୃତ୍ୟୁ ଘଟିଛି। ଅକ୍ଟୋବର ୩୦ (ବୁଧବାର) କୋଚିରେ ଏକ ଆପାର୍ଟମେଣ୍ଟରୁ ନିଶାଦଙ୍କ ମୃତଦେହ ମିଳିଛି। ନିଶାଦଙ୍କ ଅଚାନକ ମୃତ୍ୟୁ ପୂରା ଫିଲ୍ମ ଇଣ୍ଡଷ୍ଟ୍ରିରେ ଆଲୋଡ଼ନ ସୃଷ୍ଟି କରିଛି। ନିଶାଦ ୟୁସୁଫଙ୍କ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ ହୋଇଥିବାବେଳେ ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ପ୍ରାଥମିକ ତଦନ୍ତରୁ ସନ୍ଦେହ କରାଯାଉଛି।

ନିଶାଦ ୟୁସୁଫ ମୃତ୍ୟୁର ଦୁଇ ଦିନ ପୂର୍ବରୁ ଇନଷ୍ଟାଗ୍ରାମରେ ତାଙ୍କର ଶେଷ ପୋଷ୍ଟ ସେୟାର କରିଥିଲେ। ସେ ସେୟାର କରିଥିବା ଦୁଇଟି ପୋଷ୍ଟ ମଧ୍ୟରୁ ଗୋଟିକରେ ନିଶାଦ ‘କଙ୍ଗୁଭା’ ନିର୍ଦ୍ଦେଶକ ଶିବାଙ୍କ ସହ ଥିବାବେଳେ ଅନ୍ୟ ଫଟୋରେ ତାଙ୍କୁ ବବି ଦେଓଲ ଏବଂ ସୂର୍ଯ୍ୟାଙ୍କ ସହ ଦେଖିବାକୁ ମିଳିଥିଲା। କେରଳ ଚଳଚ୍ଚିତ୍ର କର୍ମଚାରୀ ସଂଘ (FEFKA) ନିଶାଦ୍ ୟୁସୁଫଙ୍କ ମୃତ୍ୟୁ ନେଇ ଏହାର ଆଧିକାରୀକ ଫେସବୁକ୍ ପେଜରେ ସୂଚନା ଦେଇଛି। ସଂଘ ଲୋକପ୍ରିୟ ଚଳଚ୍ଚିତ୍ର ସମ୍ପାଦକଙ୍କ ଏକ ଫଟୋ ସେୟାର କରି ମାଲାୟାଲମରେ ଲେଖିଛି, ପରିବର୍ତ୍ତିତ ମାଲାୟାଲମ୍ ସିନେମାର ସମସାମୟିକ ଭବିଷ୍ୟତ ନିର୍ଣ୍ଣୟ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଚଳଚ୍ଚିତ୍ର ସମ୍ପାଦକ ନିଶାଦ ୟୁସୁଫଙ୍କ ଅପ୍ରତ୍ୟାଶିତ ମୃତ୍ୟୁ ଏକ ଦୁଃଖଦ ଘଟଣା।

‘ଥାଲୁମାଲା’ ଚଳଚ୍ଚିତ୍ର ସମ୍ପାଦନା ପାଇଁ ୨୦୨୨ ମସିହାରେ କେରଳ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ ନିଶାଦ ୟୁସୁଫ। ‘ଥାଲୁମାଲା’ ବ୍ୟତୀତ ‘ଚାଭେର’, ‘ଉଣ୍ଡା’, ‘ସାଉଦି ଭେଲ୍ଲାକ୍କା’, ‘ୱାନ’, ଏବଂ ‘ଅପରେସନ୍ ଜାଭା’ ଭଳି ସୁପର ହିଟ୍ ଚଳଚ୍ଚିତ୍ର ସମ୍ପାଦନା କରିଥିଲେ ନିଶାଦ। ସେ ସମ୍ପାଦନା କରିଥିବା ‘ବାଜୁକା’ ଏବଂ ‘କାଙ୍ଗୁଭା’ ଚଳଚ୍ଚିତ୍ର ବେଶ ଚର୍ଚ୍ଚାରେ ରହିଛି। ହେଲେ ଏହି ଫିଲ୍ମ ରିଲିଜ ହେବା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଛି।

ad-week
Leave A Reply

Your email address will not be published.