ଚାଇନା ପାଇଁ ଚେନାବ ବ୍ରିଜର ତଥ୍ୟ ସଂଗ୍ରହ କରୁଛି ପାକିସ୍ତାନ

add-all

ଚାଇନାର ବୋଲକରା ସାଜିଥିବା ପାକିସ୍ତାନର ଭାରତ ବିରୋଧୀ ଷଡ଼ଯନ୍ତ୍ର ପୁଣି ସାମ୍ନାକୁ ଆସିଛି। ଚାଇନା ଗୁଇନ୍ଦା ବିଭାଗ କଥାରେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଜମ୍ମୁ-କଶ୍ମୀରରେ ଥିବା ଚେନାବ ବ୍ରିଜଜର ତଥ୍ୟ ସଂଗ୍ରହ କରୁଛି। ଚେନାବ ଠାରେ ଭାରତ ସରକାର ରେଳ ବ୍ରିଜ ନିର୍ମାଣ କରୁଛନ୍ତି। ଏହା ରୈସି ଓ ରାମବନ ଜିଲ୍ଲା ସହ ଲିଙ୍କ ହୋଇଛି। ଚାଇନା ଏହି ବ୍ରିଜ ସମ୍ପର୍କରେ ସବିଶେଷ ତଥ୍ୟ ଚାହୁଁଥିବାରୁ ପାକିସ୍ତାନ ଗୁଇନ୍ଦା ସଂସ୍ଥାକୁ ଏହାର ଦାୟିତ୍ୱ ଦେଇଥିବା ଜଣାପଡ଼ିଛି।

ଚେନାବ ବ୍ରିଜ ହେଉଛି ବିଶ୍ୱର ସୁଉଚ୍ଚ ରେଳ ବ୍ରିଜ। ନିକଟରେ ଏହି ଲାଇନରେ ଟ୍ରାଏଲ ରନ ହୋଇଛି। ଜମ୍ମୁ-କଶ୍ମୀର ସହ ପୂରା ଭାରତକୁ ଯୋଡ଼ିବା ପାଇଁ ଏପରି ବ୍ରିଜ୍‌କୁ ତିଆରି କରାଯାଉଛି।

ସୂତ୍ର ଅନୁସାରେ, ବ୍ରିଜ ସହ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ଉଭୟ ପାକିସ୍ତାନ ଓ ଚାଇନା ଗୁଇନ୍ଦା ସଂସ୍ଥା ସଂଗ୍ରହ କରିବାରେ ଲାଗିଛନ୍ତି। ଜମ୍ମୁର ରୈସି ଜିଲ୍ଲାରେ ଏହି ବ୍ରିଜ୍‌କୁ ଶେଷ କରିବା ପାଇଁ ସରକାରଙ୍କୁ ୨୦ ବର୍ଷ ଲାଗିଥିଲା। ସବୁ ପାଣିପାଗ ସହ ଖାପ ଖୁଆଇ ପାରୁଥିବା ୨୭୨ କିମି ରେଳ ସେକସନର ଏହା ଅଂଶବିଶେଷ।

ଏହି ରେଳ ଲାଇନ କଶ୍ମୀର ଉପତ୍ୟକା ଯାଏ ଲମ୍ବିଛି। ତେବେ ଏହି ପ୍ରକଳ୍ପ କେବେ ଶେଷ ହେବ, ତା’ର ତାରିଖ ଧାର୍ଯ୍ୟ କରାଯାଇନାହିଁ। ବର୍ତ୍ତମାନ କଶ୍ମୀରକୁ ଅବଶିଷ୍ଟ ଭାରତ ସହ ସଂଯୋଗ କରୁଥିବା ସଡ଼କ ପଥ ସାଧାରଣତଃ ଶୀତ ଋତୁରେ ବନ୍ଦ ହୋଇଯାଉଛି। ତେଣୁ ସରକାର ଚେନାବ ବ୍ରିଜ ଦ୍ୱାରା ଉକ୍ତ ପଥକୁ ଚଳଚଞ୍ଚଳ ରଖିବାକୁ ଲକ୍ଷ୍ୟ ରଖିଛନ୍ତି।

କଶ୍ମୀରକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ତିକ୍ତତା ସମ୍ପର୍କରେ ସମସ୍ତଙ୍କୁ ଜଣା। କଶ୍ମୀର ରେଳ ଲାଇନ ଜରିଆରେ ଗୋଟିଏ ବଡ଼ ଭିତ୍ତିଭୂମି ପାଇବାକୁ ଯାଉଛି।

ଭାରତ ସରକାର କଶ୍ମୀରର ବିକାଶ କରିବା ଲକ୍ଷ୍ୟରେ ଏପରି ବ୍ୟବସ୍ଥା କରିଥିବା ବେଳେ ପାକିସ୍ତାନ ଓ ଚାଇନା ଏଥିରେ ବିଶୃଙ୍ଖଳା ସୃଷ୍ଟି କରିବା ଉଦ୍ଦେଶ୍ୟରେ ତଥ୍ୟ ସଂଗ୍ରହରେ ଲାଗି ପଡ଼ିଥିବା କୁହାଯାଉଛି।

ad-week
Leave A Reply

Your email address will not be published.