ଟ୍ରାକ ସଫା କରୁଥିବାବେଳେ ମାଡ଼ିଗଲା ଟ୍ରେନ, ୪ ସଫେଇ କର୍ମଚାରୀଙ୍କ ମୃତ୍ୟୁ

add-all

ନୂଆଦିଲ୍ଲୀ : ରେଲୱେ ଟ୍ରାକ ସଫା କରୁଥିବା ସଫେଇ କର୍ମଚାରୀଙ୍କୁ ଧକ୍କା ଦେଲା ଟ୍ରେନ। ଦୁର୍ଘଟଣାରେ ୪ ସଫେଇ କର୍ମଚାରୀଙ୍କର ମୃତ୍ୟୁ ଘଟିଛି। ଏଭଳି ବିଚଳିତ କଲା ଭଳି ଘଟଣା କେରଳର ପାଲକ୍କଡ ନିକଟ ଶୋରନୁର ଷ୍ଟେସନଠାରୁ ଅଳ୍ପ ଦୂରରେ ଘଟିଛି। କେରଳ ଏକ୍ସପ୍ରେସ ଧକ୍କାରେ ମୃତ୍ୟୁ ଘଟିଥିବା ୪ ସଫେଇ କର୍ମଚାରୀଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୩ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି।
ଖବର ଅନୁସାରେ, ରେଲୱେ ଟ୍ରାକ୍ ସଫେଇ କର୍ମଚାରୀଙ୍କ ଏକ ଚାରି ଜଣିଆ ଦଳ ଭରତପୁଝା ନଦୀ ବ୍ରିଜ ଉପରେ ଟ୍ରାକ ସଫା କରୁଥିଲେ। ଏତିକିବେଳେ କେରଳ ଏକ୍ସପ୍ରେସ ଟ୍ରେନ ଆସିଥିଲା। ଟ୍ରେନ ଦେଖି ସେମାନେ ସେଠାରୁ ଦୌଡ଼ିବାକୁ ଚେଷ୍ଟା କରିଥିଲେ ମଧ୍ୟ ଠିକ୍ ସମୟରେ ବ୍ରିଜର ଅନ୍ୟ ପ୍ରାନ୍ତରେ ପହଞ୍ଚିପାରିନଥିଲେ। ଟ୍ରାକ୍ ମଧ୍ୟରେ ଅଟକି ଯିବାରୁ ସେମାନଙ୍କୁ ଟ୍ରେନ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଦୁଇଜଣ ପୁରୁଷ ଏବଂ ଦୁଇଜଣ ମହିଳାଙ୍କ ସମେତ ୪ ଜଣ ସଫେଇ କର୍ମଚାରୀଙ୍କର ମୃତ୍ୟୁ ଘଟିଛି।
ରେଳବାଇ ପୁଲିସର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତିନୋଟି ମୃତଦେହ ଜବତ କରିଛି। ଚତୁର୍ଥ ମୃତଦେହ ନିକଟ ଭରତପୁଝା ନଦୀରେ ପଡ଼ିଯାଇଥିବା ଜଣାପଡିଛି। ଯାହାକୁ ଖୋଜିବା ପାଇଁ ଉଦ୍ୟମ ଜାରି ରହିଥିବା ପୁଲିସ ଅଧିକାରୀ କହିଛନ୍ତି। ଶ୍ରମିକମାନେ ହୁଏତ ଆସୁଥିବା ଟ୍ରେନକୁ ଠିକ୍ ସମୟରେ ଦେଖି ପାରିନଥିବେ, ଯାହା ଦୁର୍ଘଟଣାର କାରଣ ହୋଇପାରେ ବୋଲି ଅଧିକାରୀ ଜଣକ କହିଛନ୍ତି। ତେବେ ଘଟଣାର ଅଧିକ ତଦନ୍ତ ଜାରି ରହିଛି।

ad-week
Leave A Reply

Your email address will not be published.