ବିଷ୍ଣୋଇ ଗ୍ୟାଙ୍ଗ ନାଁରେ ସାଂସଦ ପପୁ ଯାଦବଙ୍କୁ ଧମକ ଦେଇଥିବା ଯୁବକ ଗିରଫ

add-all

ନୂଆଦିଲ୍ଲୀ : ସ୍ୱାଧୀନ ଭାବେ ଲୋକସଭା ନିର୍ବାଚନ ଜିତି ସାଂସଦ ହୋଇଥିବା ପପୁ ଯାଦବଙ୍କୁ ହତ୍ୟା ଧମକ ଦେଇଥିବା ଯୁବକଙ୍କୁ ବିହାର ପୁଲିସ୍‌ ଗିରଫ କରିଛି। ପୂର୍ଣ୍ଣିୟା ଲୋକସଭା ଆସନରୁ ସାଂସଦ ହୋଇଥିବା ପପୁ ଯାଦବଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ନାଁରେ ଧମକ ମିଳିଥିଲା।
ଏହାପରେ ବିହାର ପୁଲିସ୍‌ ତଦନ୍ତ କରି ଦିଲ୍ଲୀରୁ ମହେଶ ପାଣ୍ଡେ ନାମକ ଜଣେ ଯୁବକଙ୍କୁ ଗିରଫ କରିଛି। ଜେରା ବେଳେ ମହେଶ ନିଜର ଅପରାଧ ସ୍ୱୀକାର କରିଛନ୍ତି। ହେଲେ ତାଙ୍କର ଲିଙ୍କ କୌଣସି ଗ୍ୟାଙ୍ଗ ସହ ନାହିଁ। ସେ କେବଳ ପପୁ ଯାଦବଙ୍କୁ ଡରାଇ ଚର୍ଚ୍ଚାରେ ରହିବା ପାଇଁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ନାଁରେ ଧମକ ଦେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ଅକ୍ଟୋବର ୨୮ରେ ପପୁ ଯାଦବଙ୍କୁ ଫୋନରେ ହତ୍ୟା ଧମକ ମିଳିଥିବା ସେ ଅଭିଯୋଗ କରିଥିଲେ। ଏହାପୂର୍ବରୁ ପପୁ ଯାଦବ ଗୁଜରାଟ ଜେଲରେ ଥିବା ଲରେନ୍ସ ବିଷ୍ଣୋଇକୁ ସଫା କରିଦେବେ ବୋଲି କହିଥିଲେ। ତାଙ୍କ ବୟାନର କିଛି ଦିନ ପରେ କେହି ଜଣେ ତାଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ନାଁରେ ହତ୍ୟା ଧମକ ଦେଇଥିଲା।
ଏବେ ପୁଲିସ୍‌ ଏହି ଘଟଣାରେ ମହେଶ ପାଣ୍ଡେଙ୍କୁ ଗିରଫ କରିଛି। ଏ ସମ୍ପର୍କରେ ପୂର୍ଣ୍ଣିୟା ଏସ୍‌ପି କାର୍ତ୍ତିକେୟ ଶର୍ମା କହିଛନ୍ତି, ଟେକ୍ନିକାଲ ସର୍ଭେଲାନ୍ସ ଦ୍ୱାରା ଗିରଫଦାରୀ କରାଯାଇଛି। ପାଣ୍ଡେ ପୂର୍ବରୁ କିଛି ପ୍ରଭାବଶାଳୀ ଲୋକଙ୍କ ସହ କାମ କରୁଥିଲେ। ପପୁ ଯାଦବ ଯେତେବେଳେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇକୁ ଚ୍ୟାଲେଞ୍ଜ ଦେଇଥିଲେ ସେତେବେଳେ ମହେଶ ପାଣ୍ଡେ ଯୋଜନା କରି ସାଂସଦଙ୍କୁ ହତ୍ୟା ଧମକ ଦେଇଥିଲେ।
ତେବେ ମହେଶଙ୍କ ସମ୍ପର୍କ କୌଣସି ଗ୍ୟାଙ୍ଗଷ୍ଟର ସହ ନାହିଁ। କିନ୍ତୁ ସେ କାହିଁକି ପପୁ ଯାଦବଙ୍କୁ ହତ୍ୟା ଧମକ ଦେଇଥିଲେ, ତା’ର ତଦନ୍ତ କରାଯାଉଥିବା ଏସ୍‌ପି କହିଛନ୍ତି।
ପୁଲିସ ଧମକ ଦେବା ପାଇଁ ବ୍ୟବହାର ହୋଇଥିବା ମୋବାଇଲ ଫୋନ ଓ ସିମ କାର୍ଡକୁ ମଧ୍ୟ ଜବତ କରିଛି।

ad-week
Leave A Reply

Your email address will not be published.