ଖଲିସ୍ତାନୀଙ୍କ ବିରୋଧରେ ରଣହୁଙ୍କାର: କାନାଡାରେ ଏକାଠି ହେଲେ ହିନ୍ଦୁ ଓ ଶିଖ୍‌

add-all

ନୂଆଦିଲ୍ଲୀ : କାନାଡାରେ ରହିଥିବା ଖଲିସ୍ତାନ ସପକ୍ଷବାଦୀଙ୍କ ବିରୋଧରେ ଏକାଠି ହୋଇଛନ୍ତି ସେଠାରେ ରହୁଥିବା ହିନ୍ଦୁ ଓ ଶିଖ ସଂପ୍ରଦାୟର ଲୋକ। ଖଲିସ୍ତାନୀମାନେ ଦିନକ ତଳେ କାନାଡାର ବ୍ରାମ୍ପଟନରେ ଥିବା ଗୋଟିଏ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ କରିଥିଲେ। ସେମାନେ ହିନ୍ଦୁ ଶ୍ରଦ୍ଧାଳୁମାନଙ୍କୁ ମାଡ଼ ମାରିଥିଲେ।
ଏହି ଘଟଣା ପରେ କାନାଡାର ହିନ୍ଦୁ ଓ ଶିଖ ସଂପ୍ରଦାୟର ଲୋକମାନେ ଖଲିସ୍ତାନୀଙ୍କ ବିରୋଧରେ ରଣହୁଙ୍କାର ଦେଇଛନ୍ତି। ଆଜି ହଜାର ହଜାର ସଂଖ୍ୟାରେ ଭାରତୀୟ ବଂଶୋଦ୍ଭବମାନେ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
କାନାଡାର ଜଷ୍ଟିନ ଟ୍ରୁଡୋ ସରକାର ଖଲିସ୍ତାନୀଙ୍କୁ ସମର୍ଥନ କରୁଥିବା ବେଳେ ପ୍ରଥମଥର ପାଇଁ ହିନ୍ଦୁ ଓ ଶିଖ ସଂପ୍ରଦାୟର ଲୋକମାନେ ଏକାଠି ହୋଇ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। ସବୁବେଳେ କାନାଡାର ଆଇନକୁ ଏମାନେ ସମ୍ମାନ ଦିଅନ୍ତି। ହେଲେ ପ୍ରଥମଥର ପାଇଁ ସେମାନେ ହିନ୍ଦୁ ମନ୍ଦିରରେ ହୋଇଥିବା ଆକ୍ରମଣ ବିରୋଧରେ ବିକ୍ଷୋଭ କରିଛନ୍ତି।
ବିକ୍ଷୋଭରେ ସାମିଲ ହୋଇଥିବା ଗୋଟିଏ ଗ୍ରୁପ ରାସ୍ତା ରୋକ କରିଥିବା ବେଳେ ଆଉ ଗୋଟିଏ ଗ୍ରୁପ ଖଲିସ୍ତାନୀ ଆକ୍ରମଣକୁ ନିନ୍ଦା କରିଛି। ଏଥିସହ କାନାଡାରେ ରହୁଥିବା ହିନ୍ଦୁମାନେ ଗୋଟିଏ ଥର ସେମାନେ ସମର୍ଥନ କରୁଥିବା ରାଜନୀତିକ ଦଳକୁ ନେଇ ଚିନ୍ତା କରନ୍ତୁ ବୋଲି ଆହ୍ୱାନ ଦିଆଯାଇଛି।
ହଜାର ହଜାର ଭାରତୀୟ ବଂଶୋଦ୍ଭବ କାନାଡା ନାଗରିକମାନେ ଆକ୍ରମଣ ବିରୋଧରେ ବ୍ରାମ୍ପଟନରେ ଥିବା ହିନ୍ଦୁ ସଭା ମନ୍ଦିର ବାହାରେ ଶୋଭାଯାତ୍ରା ମଧ୍ୟ କରିଛନ୍ତି। ଏହି ଶୋଭାଯାତ୍ରାକୁ ଉତ୍ତର ଆମେରିକାରେ ଥିବା ହିନ୍ଦୁମାନଙ୍କ ତତ୍ତ୍ୱାବଧାନରେ କରାଯାଇଥିଲା।
କାନାଡାର ସାମ୍ବାଦିକ ଡାନିଏଲ ବୋର୍ଡମାନ କହିଛନ୍ତି, “ଏହା ହିନ୍ଦୁ ସଂପ୍ରଦାୟକୁ ଜାଗ୍ରତ କରିବା ଭଳି ଘଟଣା। ସେମାନେ କେବେ ହେଲେ ହଜାର ହଜାର ସଂଖ୍ୟାରେ ବିକ୍ଷୋଭ କରିବାର ନଜିର ନାହିଁ। ଖଲିସ୍ତାନୀମାନେ ସୀମା ଅତିକ୍ରମ କରିଛନ୍ତି।
ଏବେ ହିନ୍ଦୁମାନେ ଏକାଠି ହୋଇ ନିଜର ଶକ୍ତିପ୍ରଦର୍ଶନ କରିଛନ୍ତି। ସମସ୍ତ ସଂପ୍ରଦାୟର ଲୋକମାନେ ଏବେ ଖଲିସ୍ତାନୀ ବିରୋଧୀ ହୋଇଛନ୍ତି। ହିନ୍ଦୁ ସଭା ମନ୍ଦିର ବାହାରେ ହିନ୍ଦୁଙ୍କ ସହ ଶିଖ, ଇହୁଦୀ, ଖ୍ରୀଷ୍ଟିୟାନ ଓ ଇରାନୀୟମାନେ ଶୋଭାଯାତ୍ରା କରିଛନ୍ତି।”
ଖଲିସ୍ତାନୀମାନେ ମନ୍ଦିରରେ ଆକ୍ରମଣ କରୁଥିବା ବେଳେ ପୁଲିସ କେବଳ ନିରବଦ୍ରଷ୍ଟା ସାଜିଥିଲା। ଏଥିପାଇଁ ବିକ୍ଷୋଭକାରୀମାନେ ପୁଲିସ୍‌ ବିରୋଧରେ ମଧ୍ୟ ନାରାବାଜୀ କରିଛନ୍ତି।

ad-week
Leave A Reply

Your email address will not be published.